ବାଜପେୟୀଙ୍କ ବିଶ୍ୱସ୍ତ ଯଶୱନ୍ତ ସିଂହଙ୍କ ୮୨ ବର୍ଷ ବୟସରେ ପରଲୋକ | News Room Odisha

ବାଜପେୟୀଙ୍କ ବିଶ୍ୱସ୍ତ ଯଶୱନ୍ତ ସିଂହଙ୍କ ୮୨ ବର୍ଷ ବୟସରେ ପରଲୋକ

ନୂଆଦିଲ୍ଲୀ – ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶୱନ୍ତ ସିଂହଙ୍କ ପରଲୋକ ହୋଇଯାଇଛି । ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠାତା ସଦସ୍ୟ ଭାବେ ଅନ୍ୟତମ ଯଶୱନ୍ତ ସିଂହ ୮୨ ବର୍ଷ ବୟସରେ ଆଖି ବୁଜିଛନ୍ତି । ରାଜସ୍ଥାନର ବାଡମେରରୁ ଆସିଥିବା ଯଶୱନ୍ତ ସିଂହ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱାଧୀନ ଏନଡିଏ ସରକାରରେ ବୈଦେଶିକ ବ୍ୟାପାର, ପ୍ରତିରକ୍ଷା ଓ ଅର୍ଥ ମନ୍ତ୍ରୀ ଭାବେ ଦାୟିତ୍ୱ ନିଭାଇ ଥିଲେ । ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ ଯଶୱନ୍ତ । ୧୯୬୦ ମସିହାରେ ସେନାରେ ମେଜର ପଦରୁ ଇସ୍ତଫା ଦେଇ ରାଜନୀତିରେ ପ୍ରବେଶ କରିଥିଲେ । ତାଙ୍କର ରାଜନୈତିକ କ୍ୟାରିଅର ବହୁ ଉତଥାନ ପତନ ଦେଇ ଗତି କରିଥିଲା । ୧୯୯୯ରେ ଏୟାର ଇଣ୍ଡିଆର ଅପହୃତ ବିମାନର ଯାତ୍ରୀଙ୍କୁ ମୁକ୍ତ କରିବା ପାଇଁ ଆତଙ୍କବାଦୀଙ୍କୁ ଧରି କାନ୍ଦାହାର ଗସ୍ତ ମାମଲାରେ ତାଙ୍କୁ ବେଶ୍ ସମାଲୋଚନାର ଶରବ୍ୟ ହେବାକୁ ପଡିଥିଲା । ବାଜପେୟୀଙ୍କ ସର୍ବଦା ବିଶ୍ୱସ୍ତ ଥିଲେ ଯଶୱନ୍ତ । ବ୍ରଜେଶ ମିଶ୍ର ଓ ପ୍ରମୋଦ ମିଶ୍ରଙ୍କ ସହ ବାଜପେୟୀଙ୍କ ଟିମରେ ସେ ଥିଲେ ଗୁରୁତ୍ୱ ପୂର୍ଣ୍ଣ ସଦସ୍ୟ ।

୨୦୦୪ରୁ ୨୦୦୯ ଯାଏଁ ରାଜ୍ୟସଭାରେ ସେ ବିରୋଧୀ ଦଳ ନେତା ଥିଲେ । ୨୦୦୯ରେ ସେ ଦାର୍ଜିଲିଂରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ତେବେ ସେହି ବର୍ଷ ହିଁ ତାଙ୍କ ଲିଖିତ ଏକ ପୁସ୍ତକରେ ସେ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ପ୍ରଶଂସା କରିଥିବାରୁ ସମାଲୋଚନାର ଶରବ୍ୟ ହୋଇଥିଲେ । ଏଥିପାଇଁ ବିଜେପିରୁ ତାଙ୍କୁ ବହିଷ୍କାର କରାଯାଇଥିଲା । ୨୦୧୦ରେ ଦଳକୁ ଫେରିବା ପରେ ୨୦୧୨ରେ ତାଙ୍କୁ ଏନଡିଏ ପକ୍ଷରୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଥିଲେ ମଧ୍ୟ ସେ ହମିଦ ଅନସାରୀଙ୍କଠାରୁ ହାରିଥିଲେ । ୨୦୧୪ ଲୋକସଭା ନିର୍ବାଚନ ପାଇଁ ବିଜେପି ତାଙ୍କୁ ଟିକେଟ ଦେଇ ନ ଥିଲା । ଫଳରେ ସେ ଦଳ ଛାଡି ନିର୍ଦ୍ଦଳୀୟ ଭାବେ ବାଡମେର ଆସନରୁ ଲଢିଥିଲେ ମଧ୍ୟ ହାରିଯାଇଥିଲେ । ଏହି ବର୍ଷ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ବହୁ ଦିନ ଧରି ସେ କୋମାରେ ରହିଲା ପରେ ଆଜି ଆଖି ବୁଜିଛନ୍ତି । ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।