ସାଥୀ ଯବାନଙ୍କ ଗୁଳିମାଡ଼ରେ ୪ ସିଆରପିଏଫ୍ ଯବାନଙ୍କ ମୃତ୍ୟୁ, ତିନି ଆହତ | News Room Odisha

ସାଥୀ ଯବାନଙ୍କ ଗୁଳିମାଡ଼ରେ ୪ ସିଆରପିଏଫ୍ ଯବାନଙ୍କ ମୃତ୍ୟୁ, ତିନି ଆହତ

ରାୟପୁର: ସୁକମାରେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ୍) ଯବାନ ତାଙ୍କ ସହକର୍ମୀଙ୍କ ଉପରକୁ ଗୁଳି ଚଳାଇଥିବାର ଖବର ଆସିଛି। ମିଳିଥିବା ସୂଚନା ଅନୁଯାୟୀ ଏହି ଅଘଟଣରେ ୪ ଜଣ ଯବାନଙ୍କ ମୃତ୍ୟୁ ହୋଇଛି। ଏହା ସହିତ ଅନ୍ୟ ୩ ସୈନିକ ଆହତ ହୋଇଛନ୍ତି। ସିଆରପିଏଫ୍ ଦେଇଥିବା ସୂଚନା ଅନୁଯାୟୀ ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଉଛି। ସୋମବାର ଭୋର୍ ପ୍ରାୟ ୩.୨୫ ସମୟରେ ଏହି ଘଟଣା ଘଟିଛି | ଅଭିଯୁକ୍ତ ସିଆରପିଏଫ୍ ଯବାନଙ୍କୁ ଗିରଫ କରାଯାଇଛି।ଏହି ଘଟଣାରେ ଦୁଃଖ ପ୍ରକାଶ କରି ସିଆରପିଏଫ୍ ଏକ ବିବୃତ୍ତିରେ କହିଛି ଯେ ଜବାନ ରିତେଶ ରଂଜନ ମାରିଗୁଡା ପୋଲିସ ଥାନା ଅଧୀନ ଲିଙ୍ଗପାଲିରେ ମୁତୟନ ହୋଇଥିବା ସିଆରପିଏଫର ଏକ କମ୍ପାନୀ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହି ଘଟଣାରେ ୪ ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଯବାନ ଆହତ ହୋଇଥିଲେ। ଆହତମାନଙ୍କୁ ତୁରନ୍ତ ଭଦ୍ରାଚଲମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ବସ୍ତର ରେଞ୍ଜର ଇନ୍ସପେକ୍ଟର ଜେନେରାଲ୍ ପୋଲିସ୍ (ଆଇଜି) ସୁନ୍ଦରରାଜ ପି କହିଛନ୍ତି ଯେ ଏହି ଘଟଣା ଭୋର୍ ପ୍ରାୟ ୩:୩୦ ସମୟରେ ସୁକମା ଜିଲ୍ଲାର ଲିଙ୍ଗମପାଲ୍ଲୀ ଗ୍ରାମରେ ଥିବା ସିଆରପିଏଫ୍ ର ୫୦ ତମ ବାଟାଲିୟନର କ୍ୟାମ୍ପରେ ଘଟିଛି। ସେ କହିଛନ୍ତି ଯେ ପ୍ରାଥମିକ ସୂଚନା ଅନୁଯାୟୀ, ଯବାନ ତାଙ୍କ ସର୍ଭିସ୍ ବନ୍ଧୁକ ଏକେ-୪୭ରୁ ଆଖିବୁଜା ନିଜ ସାଥୀ ଯବାନମାନଙ୍କ ଉପରକୁ ଗୁଳି ଚଳାଇଥିଲେ।
ଅଭିଯୁକ୍ତ ଯବାନଙ୍କୁ ତୁରନ୍ତ ଗିରଫ କରାଯାଇଥିଲା ଏବଂ ତାଙ୍କୁ ପଚରାଉଚରା ଜାରି ରହିଛି।