ପାକିସ୍ତାନ-ବାଂଲାଦେଶ ମ୍ୟାଚ୍ ବେଳେ ପାଲେଷ୍ଟାଇନ ପତାକା ଉଡ଼ାଇବା ଅଭିଯୋଗ, ଚାରି ଅଟକ | News Room Odisha

ପାକିସ୍ତାନ-ବାଂଲାଦେଶ ମ୍ୟାଚ୍ ବେଳେ ପାଲେଷ୍ଟାଇନ ପତାକା ଉଡ଼ାଇବା ଅଭିଯୋଗ, ଚାରି ଅଟକ

କୋଲକାତା: ଦିନିକିଆ ବିଶ୍ୱକପରେ ମଙ୍ଗଳବାର ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିବା ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ବେଳେ କିଛି ଦର୍ଶକ ପାଲେଷ୍ଟାଇନ ପତାକା ଉଡ଼ାଇବା ଅଭିଯୋଗ ହୋଇଛି । ଏହି ମାମଲାରେ ପୋଲିସ ଚାରି ଜଣଙ୍କୁ ଅଟକ ରଖିଥିଲା । ତେବେ ପଚରାଉଚରା ପରେ ସମସ୍ତଙ୍କୁ ବର୍ତ୍ତମାନ ଛାଡ଼ି ଦିଆଯାଇଛି ।

ସୂଚନା ଅନୁଯାୟୀ, ଉକ୍ତ ଚାରି ଦର୍ଶକ ଗ୍ୟାଲେରୀରେ ପାଲେଷ୍ଟାଇନ ପତାକା ପ୍ରଦର୍ଶନ କରିଥିଲେ। କିନ୍ତୁ ସେମାନେ କୌଣସି ସ୍ଲୋଗାନ ଦେଇନଥିଲେ।

ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, “ପ୍ରାରମ୍ଭିକ ପଚରାଉଚରା ପରେ ଚାରିଜଣଙ୍କୁ ଛାଡ଼ି ଦିଆଯାଇଛି। ସେମାନେ ପଶ୍ଚିମବଙ୍ଗର ବେଲି, ଇକବାଲପୁର ଏବଂ କରାୟା ପୋଲିସ୍ ଥାନା ଅଞ୍ଚଳର ବାସିନ୍ଦା। ଷ୍ଟାଡିୟମର ଫାଟକ ନମ୍ବର ୬ ଏବଂ ବ୍ଲକ୍ ଜି-୧ ନିକଟରେ ପାଲେଷ୍ଟାଇନ ପତାକା ଉଡ଼ାଇବା ଅଭିଯୋଗରେ ଆମେ ସେମାନଙ୍କୁ ଅଟକ ରଖିଥିଲୁ।

ଉଲ୍ଲେଖଯୋଗ୍ୟ, ଇସ୍ରାଏଲ ଓ ହାମାସ ମଧ୍ୟରେ ଯୁଦ୍ଧ ୨୫ ଦିନରେ ପହଞ୍ଚିଛି । ଅକ୍ଟୋବର ୭ରେ ହାମାସର ଅତର୍କିତ ଆକ୍ରମଣ ପରେ ଇସ୍ରାଏଲ୍ ଗାଜା ଉପରେ ବୋମାମାଡ଼ ଜାରି ରଖିଛି । ଇସ୍ରାଏଲର ଆକ୍ରମଣରେ ଏପର୍ଯ୍ୟନ୍ତ ୮,୫୨୫ ଲୋକଙ୍କ ମୃତ୍ୟୁ ହେଲାଣି । ମୃତକଙ୍କ ମଧ୍ୟରେ ମୁଖ୍ୟତଃ ସାଧାରଣ ନାଗରିକ ଏବଂ ୩୫୦୦ ରୁ ଅଧିକ ଛୋଟପିଲା ରହିଛନ୍ତି ।