ହରିୟାଣାର କର୍ନାଲରୁ ଚାରି ଖଲିସ୍ତାନୀ ଆତଙ୍କବାଦୀ ଗିରଫ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ | News Room Odisha

ହରିୟାଣାର କର୍ନାଲରୁ ଚାରି ଖଲିସ୍ତାନୀ ଆତଙ୍କବାଦୀ ଗିରଫ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ନୂଆଦିଲ୍ଲୀ: ଦେଶରେ ବଡ଼ ଧରଣର ଆତଙ୍କୀ ଆକ୍ରମଣ ଯୋଜନାକୁ ପଣ୍ଡ କରିଛି ହରିୟଣା ପୋଲିସ । ହରିୟାଣାର କର୍ନାଲରୁ ଚାରି ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ବହୁ ପରିମାଣର ଗୁଳିଗୋଳା ଏବଂ ବିସ୍ଫୋରକ ଭର୍ତ୍ତି ବାକ୍ସ ମିଳିଛି | ଏହା ଆରଡିଏକ୍ସ ହୋଇପାରେ ବୋଲି ସନ୍ଦେହ କରାଯାଉଛି | ସେମାନଙ୍କଠାରୁ ତିନୋଟି ଆଇଇଡି ବୋମା ମଧ୍ୟ ମିଳିଛି |

କୁହାଯାଉଛି ଯେ ଏହି ଚାରିଜଣ ପଞ୍ଜାବ ସ୍ଥିତ ଆତଙ୍କବାଦୀ ସଂଗଠନ ବାବର ଖାଲସା ଇଣ୍ଟରନ୍ୟାସନାଲ (ବିକେଆଇ) ସହିତ ଜଡିତ। ସେମାନଙ୍କୁ ଧରିବା ପାଇଁ ଆଇବି ପଞ୍ଜାବ ପୋଲିସ ଏବଂ ହରିୟାଣା ପୋଲିସ ତରଫରୁ ମିଳିତ ଅପରେସନ୍ କରାଯାଇଥିଲା।

ଗିରଫ ଆତଙ୍କବାଦୀଙ୍କ ପାଖରେ ଅଧିକ ବିସ୍ଫୋରକ ଥିବା ସନ୍ଦେହରେ ସେମାନେ ବ୍ୟବହାର କରୁଥିବା ଗାଡ଼ିକୁ ରୋବଟ ଦ୍ବାରା ଖୋଜାଖୋଜି କରାଯାଇଥିଲା। ସେମାନଙ୍କ ପାଖରୁ ଜବତ ଏତେ ମାତ୍ରାରେ ଗୁଳିଗୋଳା ଓ ବନ୍ଧୁକରୁ ସେମାନେ ରାଜଧାନୀ ଦିଲ୍ଲୀ ସହ ଦେଶରେ ଅନେକ ସ୍ଥାନରେ ବଡ଼ ଧରଣର ଆକ୍ରମଣ କରିବା ଯୋଜନାରେ ଥିଲେ ବୋଲି ସ୍ପଷ୍ଟ ହୋଇଛି ।

ଗିରଫ ଯୁବକଙ୍କ ନାମ ଗୁରୁପ୍ରୀତ, ଅମନଦୀପ, ପରମିନ୍ଦର, ଭୁପିନ୍ଦର ବୋଲି କର୍ନାଲ ପୋଲିସ ଏସପି ଗଙ୍ଗା ରାମ ପୁନିଆ ସୂଚନା ଦେଇଛନ୍ତି। ଖଲିସ୍ତାନୀ ଆତଙ୍କବାଦୀ ରିଣ୍ଡା ଏହି ସବୁ ଅସ୍ତ୍ରଶସ୍ତ୍ର ପାକିସ୍ତାନରୁ ଫିରୋଜପୁରକୁ ଡ୍ରୋନ୍ ମାଧ୍ୟମରେ ପଠାଇଥିଲେ। ଗିରଫ ଆତଙ୍କବାଦୀଙ୍କ ମଧ୍ୟରୁ ତିନିଜଣ ଫିରୋଜପୁରର ଏବଂ ଜଣେ ଲୁଧିଆନାର ବାସିନ୍ଦା।