ମହରମ୍ ଶୋଭାଯାତ୍ରା ବେଳେ ଅଘଟଣ, ବିଦ୍ୟୁତ ତାର ଲାଗି ୪ ମୃତ | News Room Odisha

ମହରମ୍ ଶୋଭାଯାତ୍ରା ବେଳେ ଅଘଟଣ, ବିଦ୍ୟୁତ ତାର ଲାଗି ୪ ମୃତ

ରାଞ୍ଚି : ଝାଡଖଣ୍ଡର ବୋକାରୋ ଜିଲ୍ଲାରେ ଶନିବାର ମହରମ୍ ଶୋଭାଯାତ୍ରା ବେଳେ ଘଟିଛି ଅଘଟଣ । ମହରମ୍ ଶୋଭାଯାତ୍ରାର ତାଜିଆ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ଚାରି ଜଣଙ୍କର ମୃତ୍ୟୁ ହୋଇଛି।

ଏହି ଘଟଣାରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ରହିଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ସକାଳ ୫:୩୦ ସମୟରେ ଖେଟକୋ ଗାଁର ମୁସଲିମ ଧାର୍ମିକ ନେତାମାନେ ମହରମର ତାଜିଆକୁ ଇମାମଓ୍ବାଡା ନେଇ ଯାଉଥିଲେ। ଏହି ସମୟରେ ତାଜିଆ ଏକ ହାଇ ଟେନସନ୍ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲା | ଏହି କାରଣରୁ ଶୋଭାଯାତ୍ରା ପାଇଁ ରଖାଯାଇଥିବା ବ୍ୟାଟେରୀ ବିସ୍ଫୋରଣ ହୋଇଥିଲା | ଫଳରେ ସେଠାରେ ଉପସ୍ଥିତ ପ୍ରାୟ ବହୁ ଲୋକ ଆହତ ହୋଇଥିଲେ।

ଗ୍ରାମବାସୀ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା। ଆଉ କିଛି ଆହତଙ୍କ ବୋକାରୋ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଖେଟକୋର ମୁଖ୍ୟ ଶବବୀର ଅନସାରୀ କହିଛନ୍ତି ଯେ ଉପର ଦରଘା ଟୋଲାର ତାଜିଆ ମିଲନ ସମୟରେ ଏହି ଘଟଣା ଘଟିଛି। ଏହି ଗାଁରେ ତାଜିଆ ମିଲନର ଏକ ପୁରୁଣା ପରମ୍ପରା ରହିଆସିଛି |

ପେଟୱାରର ବିଡିଏ ଶୈଳେନ୍ଦ୍ର ଚୌରାସିଆ କହିଛନ୍ତି ଯେ ଏହି ଘଟଣାରେ ମୋଟ ୧୩ ଜଣ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଚାରିଜଣଙ୍କର ମୃତ୍ୟୁ ହୋଇଛି। ଆଉ ୭ ଜଣ ଚିକିତ୍ସିତ ହେଉଥିବା ବେଳେ ଦୁଇ ଜଣଙ୍କ ଡିସଚାର୍ଜ କରାଯାଇଛି।