ଜୟପୁର-ମୁମ୍ବାଇ ଟ୍ରେନରେ ଆରପିଏଫ୍ ଯବାନଙ୍କ ଗୁଳିମାଡ଼, ୪ ମୃତ | News Room Odisha

ଜୟପୁର-ମୁମ୍ବାଇ ଟ୍ରେନରେ ଆରପିଏଫ୍ ଯବାନଙ୍କ ଗୁଳିମାଡ଼, ୪ ମୃତ

ମୁମ୍ବାଇ : ଚଳନ୍ତା ଟ୍ରେନରେ ଗୁଳିମାଡ଼ । ମହାରାଷ୍ଟ୍ରର ପାଲଘର ନିକଟରେ ଜୟପୁର-ମୁମ୍ବାଇ ଏକ୍ସପ୍ରେସ ଟ୍ରେନରେ ଜଣେ ଆରପିଏଫ୍ ଯବାନଙ୍କ ଆଖିବୁଜା ଗୁଳିମାଡ଼ରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ଏଏସ୍ଆଇ ଓ ୩ ଜଣ ଯାତ୍ରୀ ଅଛନ୍ତି |

ଆଜି ଭୋର୍ ପ୍ରାୟ ୫ଟାରେ ପାଲଘର ଏବଂ ମୁମ୍ବାଇ ମଧ୍ୟରେ ଦହିସରରେ ଏହି ଘଟଣା ଘଟିଛି । ଗୁଳିମାଡ଼ କରିଥିବା ଅଭିଯୁକ୍ତ ଆରପିଏଫ୍ ଯବାନ ମୀରା ରୋଡ୍ ନିକଟରେ ଧରାପଡିଛନ୍ତି। କନଷ୍ଟେବଳ ଜଣକ ମାନସିକ ଅବସାଦଗ୍ରସ୍ତ ଥିଲେ ବୋଲି ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ସକାଳ ପ୍ରାୟ ୫:୨୫ରେ ଟ୍ରେନ ନମ୍ବର ୧୨୯୫୬ ଜୟପୁର-ମୁମ୍ବାଇ ସେଣ୍ଟ୍ରାଲ ସୁପରଫାଷ୍ଟ ଏକ୍ସପ୍ରେସର ବି୫ କୋଚରେ ଜଣେ ଆରପିଏଫ୍ କନଷ୍ଟେବଳ ହଠାତ୍ ଜଣେ ଆରପିଏଫ ଏଏସ୍ଆଇ ଓ ଅନ୍ୟ ତିନି ଜଣ ଯାତ୍ରୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହା ପରେ ସେ ଅନ୍ୟ ଯାତ୍ରୀମାନଙ୍କୁ ବନ୍ଧୁକ ମୁନରେ ଭୟଭୀତ କରିଥିଲେ । ଅଭିଯୁକ୍ତ ଆରପିଏଫ୍ ଯବାନ ଦହିସର ଷ୍ଟେସନ ନିକଟରେ ଚେନ୍ ଟାଣି ଓହ୍ଲାଇ ପଡ଼ିଥିଲେ । ପଶ୍ଚିମ ରେଳବାଇର ସୂଚନା ଅନୁଯାୟୀ ଅଭିଯୁକ୍ତ ଆରପିଏଫ୍ କନଷ୍ଟେବଳଙ୍କୁ ଅସ୍ତ୍ର ସହ ଗିରଫ କରାଯାଇଛି। ରେଳବାଇ ପୋଲିସ୍ ଓ ମହାରାଷ୍ଟ୍ର ପୋଲିସ ଏହି ଘଟଣାର ତଦନ୍ତ କରୁଛନ୍ତି।

ଏହି ଟ୍ରେନ୍ ଦିନ ୦୨:୦୦ରୁ ଜୟପୁର ଜଙ୍କସନରୁ ବାହାରି ପରଦିନ ସକାଳ ୦୬:୫୫ରେ ମୁମ୍ବାଇ ସେଣ୍ଟ୍ରାଲରେ ପହଞ୍ଚିଥାଏ |