ନୂଆଦିଲ୍ଲୀ: ଆଜିଠାରୁ ସମଗ୍ର ଦେଶରେ ୧୮ ରୁ ୫୯ ବର୍ଷ ବୟସ ବର୍ଗର ନାଗରିକଙ୍କୁ ମାଗଣା କୋଭିଡ୍ ବୁଷ୍ଟର୍ ଡୋଜ ଦିଆଯିବ । ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜିଠାରୁ ଆସନ୍ତା ୭୫ ଦିନ ପାଇଁ ମାଗଣା ବୁଷ୍ଟର ଡୋଜ୍ ଅଭିଯାନ ଚଳାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ସମସ୍ତ ସରକାରୀ ହସ୍ପିଟାଲରେ ଏହା ମାଗଣା ଦିଆଯିବ। ଦେଶରେ ୧୮ରୁ ୫୯ ବର୍ଷ ବୟସ ବର୍ଗରେ ୭୭ କୋଟି ଲୋକ ଥିବା ବେଳେ ସେମାନଙ୍କ ମଧ୍ୟରୁ ୧ ପ୍ରତିଶତରୁ କମ୍ ଲୋକ ବୁଷ୍ଟର ଡୋଜ୍ ନେଇଛନ୍ତି। ଅନ୍ୟପକ୍ଷରେ ୬୦ରୁ ଅଧିକ ବୟସ ବର୍ଗର ପ୍ରାୟ ୧୬ କୋଟି ଲୋକ ଏବଂ ଆଗଧାଡ଼ିର କର୍ମୀଙ୍କ ମଧ୍ୟରୁ ୨୬ ପ୍ରତିଶତ ଲୋକ ବୁଷ୍ଟର ଡୋଜ୍ ନେଇଛନ୍ତି। ସେମାନଙ୍କୁ ମାଗଣା ଦିଆଯାଉଛି। ନିକଟରେ କେନ୍ଦ୍ର ସରକାର ବୁଷ୍ଟର୍ ଡୋଜ୍ର ସମୟସୀମା ୯ ମାସରୁ କମାଇ ୬ ମାସ କରିଥିଲେ। ୧୮ ବର୍ଷରୁ ଅଧିକ ବୟସ ବର୍ଗର ସମସ୍ତ ନାଗରିକ ବୁଷ୍ଟର ଡୋଜ୍ ନେବାପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ନିବେଦନ କରିଛନ୍ତି।