ଜୁଲାଇ ୧୫ରୁ ସମସ୍ତଙ୍କୁ ମାଗଣା ବୁଷ୍ଟର ଡୋଜ୍, ୭୫ ଦିନ ପାଇଁ ଚାଲିବ ସ୍ବତନ୍ତ୍ର ଅଭିଯାନ | News Room Odisha

ଜୁଲାଇ ୧୫ରୁ ସମସ୍ତଙ୍କୁ ମାଗଣା ବୁଷ୍ଟର ଡୋଜ୍, ୭୫ ଦିନ ପାଇଁ ଚାଲିବ ସ୍ବତନ୍ତ୍ର ଅଭିଯାନ

ନୂଆଦିଲ୍ଲୀ: ଦେଶର ସମସ୍ତ ନାଗରିକ ଏଣିକି ମାଗଣାରେ କରୋନାର ବୁଷ୍ଟର ଡୋଜ ପାଇବେ | ତେବେ ମାଗଣା ବୁଷ୍ଟର ଡୋଜ୍ କେବଳ ୭୫ ଦିନ ପାଇଁ ଉପଲବ୍ଧ ହେବ | କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏହି ସୂଚନା ଦେଇ କହିଛନ୍ତି, ଭାରତ ସ୍ୱାଧୀନତାର ୭୫ତମ ବାର୍ଷିକୀ ପାଳନ କରୁଛି। ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ୧୫ ଜୁଲାଇ ୨୦୨୨ରୁ ଆସନ୍ତା ୭୫ ଦିନ ପାଇଁ ୧୮ ବର୍ଷରୁ ଊର୍ଦ୍ଧ୍ବ ବୟସର ନାଗରିକଙ୍କୁ ମାଗଣାରେ ବୁଷ୍ଟର ଡୋଜ୍ ଦେବାକୁ ନିଷ୍ପତ୍ତି ନିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଭାରତର ସ୍ୱାଧୀନତାର ୭୫ ବର୍ଷ ଅବସରରେ ‘ଆଜାଦି କା ଅମୃତ ମହୋତ୍ସବ’ ଅଧୀନରେ ଏହି ସ୍ବତନ୍ତ୍ର ଅଭିଯାନ ଚାଲିବ।

ଅନୁରାଗ ଠାକୁର କହିଛନ୍ତି, ଟିକାକରଣ ଉପରେ ପ୍ରଧାନମନ୍ତ୍ରୀ ବାରମ୍ବାର ଗୁରୁତ୍ୱାରୋପ କରିଛନ୍ତି। ଆଜି ପୁଣିଥରେ ବୁଷ୍ଟର ଡୋଜର ଆବଶ୍ୟକତା ଥିବା ମନେ କରାଯାଉଛି । ସେ କହିଛନ୍ତି ଯେ ସରକାର ବୈଜ୍ଞାନିକ ତଥ୍ୟ ଆଧାରରେ ନିଷ୍ପତ୍ତି ନିଅନ୍ତି । ଏହି ନିଷ୍ପତ୍ତି ଏକତରଫା ଭାବେ ନିଆଯାଇ ନାହିଁ। କୌଣସି ରାଜନୈତିକ ଲାଭ କିମ୍ବା କ୍ଷତି ବିନା ଏହି ନିଷ୍ପତ୍ତି ନିଆଯାଇଛି। ଏହାକୁ ବଜେଟ୍ ଆଇଟମ୍ ଭାବରେ ଦେଖିବା ପରିବର୍ତ୍ତେ ଜନସଂଖ୍ୟାର ଏକ ବଡ଼ ଭାଗ ପାଇଁ ଫାଇଦା ଭାବେ ଦେଖାଯିବା ଉଚିତ | ୧୮ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ସରକାରୀ ଡାକ୍ତରଖାନାରେ ମାଗଣାରେ ବୁଷ୍ଟର ଡୋଜ୍ ଦିଆଯିବ | ଅନୁରାଗ ଠାକୁର କହିଛନ୍ତି ଯେ ଦେଶବାସୀଙ୍କୁ କରୋନାର ଏକ ବୁଷ୍ଟର ଡୋଜ୍ ନେବାକୁ ଅନୁରୋଧ କରାଯାଇଛି। ଦେଶର ସମସ୍ତ ସରକାରୀ କେନ୍ଦ୍ରରେ କରୋନା ବୁଷ୍ଟର ଡୋଜ ଉପଲବ୍ଧ ହେବ |

ସରକାର ପ୍ରଥମେ କେବଳ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି, ସ୍ୱାସ୍ଥ୍ୟ କର୍ମୀ ଏବଂ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ମାଗଣାରେ ବୁଷ୍ଟର ଡୋଜ୍ ଦେବା ପାଇଁ ଘୋଷଣା କରିଥିଲେ । ଏହାପରେ ସବୁ ନାଗରିକଙ୍କ ପାଇଁ ବୁଷ୍ଟର ଡୋଜ ଉପଲବ୍ଧ କରାଯାଇଥିଲା । ତେବେ ୧୮ ରୁ ୫୯ ବର୍ଷ ବୟସର ବ୍ୟକ୍ତି କେବଳ ବେସରକାରୀ ଟିକାକରଣ କେନ୍ଦ୍ରରେ ବୁଷ୍ଟର ଡୋଜ୍ ନେଇପାରିବେ ଏବଂ ଏଥିପାଇଁ ଟଙ୍କା ଲାଗିବ ବୋଲି କୁହାଯାଇଥିଲା । ତଥ୍ୟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ସମଗ୍ର ଦେଶରେ ମୋଟ ୧୯୯.୧୨ କୋଟି କରୋନା ଟିକା ଦିଆଯାଇଛି। ଦେଶରେ ଦୈନିକ ପଜିଟିଭିଟି ହାର ବର୍ତ୍ତମାନ ୩.୬୮ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭିଟି ହାର ୪.୨୬ ପ୍ରତିଶତ ରହିଛି |