ଭାରତର ହିଜାବ ବିବାଦ ଏବେ ଆନ୍ତର୍ଜାତୀୟ ପ୍ରସଙ୍ଗ, ଫ୍ରାନ୍ସର ଫୁଟବଲ ଷ୍ଟାର୍ ପୋଗବା ସେୟାର କଲେ କର୍ଣ୍ଣାଟକ କଲେଜର ଭିଡ଼ିଓ | News Room Odisha

ଭାରତର ହିଜାବ ବିବାଦ ଏବେ ଆନ୍ତର୍ଜାତୀୟ ପ୍ରସଙ୍ଗ, ଫ୍ରାନ୍ସର ଫୁଟବଲ ଷ୍ଟାର୍ ପୋଗବା ସେୟାର କଲେ କର୍ଣ୍ଣାଟକ କଲେଜର ଭିଡ଼ିଓ

ନୂଆଦିଲ୍ଲୀ: ଧାର୍ମିକ ପୋଷାକ ହିଜାବକୁ ନେଇ କର୍ଣ୍ଣାଟକର ସ୍କୁଲ ଏବଂ କଲେଜଗୁଡ଼ିକରେ ବିବାଦ ଲାଗି ରହିଛି | ଭାରତରେ ଏହା ଉପରେ ରାଜନୀତି ଆରମ୍ଭ ହୋଇଥିବା ବେଳେ କର୍ଣ୍ଣାଟକର ହିଜାବ ବିବାଦ ଏବେ ଆନ୍ତର୍ଜାତୀୟ ପ୍ରସଙ୍ଗ ପାଲଟିଛି। ମଞ୍ଚେଷ୍ଟର ୟୁନାଇଟେଡ୍ ପାଇଁ ଖେଳୁଥିବା ଫ୍ରାନ୍ସ ଫୁଟବଲର୍ ପଲ୍ ପୋଗବା ମଧ୍ୟ ଏହି ବିବାଦରେ ମୁଣ୍ଡ ପୂରାଇଛନ୍ତି ।

ପଲ୍ ପୋଗବା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ହିଜାବ ପିନ୍ଧିଥିବା ଜଣେ ଛାତ୍ରୀଙ୍କୁ ବେକରେ ଗେରୁଆ ଗାମୁଛା ପକାଇ କିଛି ହିନ୍ଦୁ ଛାତ୍ର ଦୁର୍ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । ଫ୍ରାନ୍ସର ଫୁଟବଲର୍ ସେୟାର କରିଥିବା ଏହି ଭିଡିଓରେ ଲେଖା ଅଛି, ‘ଭାରତରେ ଏକ ହିନ୍ଦୁ ଗୋଷ୍ଠୀ ହିଜାବ୍ ପିନ୍ଧିଥିବାରୁ କଲେଜରେ ମୁସଲମାନ ଝିଅକୁ ହଇରାଣ କରୁଛନ୍ତି।’

ଏହାପୂର୍ବରୁ ପାକିସ୍ତାନର ଅନେକ ମନ୍ତ୍ରୀ ମଧ୍ୟ କର୍ଣ୍ଣାଟକରେ ହିଜାବ ବିବାଦକୁ ନେଇ ମନ୍ତବ୍ୟ ଦେଇଥିଲେ। ଭାରତୀୟ କୂଟନୀତିଜ୍ଞଙ୍କୁ ସମନ‌ କରି କର୍ଣ୍ଣାଟକରେ ମୁସଲମାନ ଛାତ୍ରୀ ମାନଙ୍କୁ ହିଜାବ ପିନ୍ଧିବାକୁ ବାରଣ କରିବା ନିନ୍ଦନୀୟ ବୋଲି କହିଥିଲା ।

ଅନ୍ୟପକ୍ଷରେ କର୍ଣ୍ଣାଟକ ହାଇକୋର୍ଟରେ ହିଜାବ ବିବାଦର ଶୁଣାଣି ଜାରି ରହିଛି । ଚୂଡ଼ାନ୍ତ ରାୟ ନ ଆସିବା ପର୍ଯ୍ୟନ୍ତ ରାଜ୍ୟର ସବୁ କଲେଜ ଛାତ୍ରଛାତ୍ରୀମାନେ କୌଣସି ଧାର୍ମିକ ପୋଷାକ ପିନ୍ଧିବାକୁ ଅନୁମତି ନ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅଦାଲତର ଏହି ଅନ୍ତରୀଣ ଆଦେଶ ପରେ ସ୍କୁଲ ଏବଂ କଲେଜଗୁଡ଼ିକରେ ଉଭୟ ହିଜାବ୍ ଏବଂ ଗେରୁଆ ପୋଷାକ ବ୍ୟବହାର ବନ୍ଦ ହେବ | ହାଇକୋର୍ଟ କହିଛନ୍ତି ଯେ ରାଜ୍ୟକୁ ଶାନ୍ତି ଫେରିବା ଉଚିତ ଏବଂ ସ୍କୁଲ ଏବଂ କଲେଜ ଶୀଘ୍ର ଖୋଲିବା ଉଚିତ।