ଆଦାନୀ ଗ୍ରୁପ୍ ବିରୋଧରେ ପୁଣି ଜାଲିଆତି ଅଭିଯୋଗ | News Room Odisha

ଆଦାନୀ ଗ୍ରୁପ୍ ବିରୋଧରେ ପୁଣି ଜାଲିଆତି ଅଭିଯୋଗ

ନୂଆଦିଲ୍ଲୀ: ହିଣ୍ଡେନବର୍ଗ ରିପୋର୍ଟ ପରେ ଏବେ ଆଉ ଏକ ସଂସ୍ଥା ଆଦାନୀ ଗ୍ରୁପ୍ ବିରୋଧରେ ଆଣିଛି ଜାଲିଆତି ଅଭିଯୋଗ । ଓସିସିଆରପି (ଅର୍ଗାନାଇଜଡ୍ କ୍ରାଇମ୍ ଆଣ୍ଡ କରପ୍ସନ୍ ରିପୋର୍ଟିଂ ପ୍ରୋଜେକ୍ଟ) ନାମକ ସଂସ୍ଥା ଆଦାନୀ ଗ୍ରୁପ୍ ଆର୍ଥିକ ଅନିୟମିତତାରେ ସମ୍ପୃକ୍ତ ଥିବା ଅଭିଯୋଗ କରିଛି। ଓସିସିଆରପି ଦାବି କରିଛି ଯେ ବେନାମୀ ମରିସସ୍ ଫଣ୍ଡ ମାଧ୍ୟମରେ ଆଦାନୀ ଗ୍ରୁପ୍ ସେୟାରରେ ବେଆଇନ ଭାବେ ଲକ୍ଷ ଲକ୍ଷ ଟଙ୍କା ନିବେଶ କରାଯାଇଛି।

ଓସିସିଆରପି ଦାବି କରିଛି ଯେ ଆଦାନୀ ପରିବାରର ବ୍ୟବସାୟିକ ପାର୍ଟନରମାନେ ଏହି ଗ୍ରୁପରେ ଏଭଳି ବେଆଇନ ପୁଞ୍ଜି ବିନିଯୋଗ କରିଛନ୍ତି | ଅନେକ ଟ୍ୟାକ୍ସ ହେଭନ୍ (କଳାଟଙ୍କା ରଖିବାକୁ ନିରାପଦ ସ୍ଥାନ) ଓ ଆଦାନୀ ଗ୍ରୁପର ଇମେଲ୍ ଗୁଡିକ ଯାଞ୍ଚ କରିବା ପରେ ଏପରି ଅନିୟମିତତା ସମ୍ପର୍କରେ ସୂଚନା ମିଳିଛି |

ଓସିସିଆରପିର ଏପରି ଦାବିକୁ ଆଦାନୀ ଗ୍ରୁପ୍ କିନ୍ତୁ ଖଣ୍ଡନ କରିଛି | ଏହି ରିପୋର୍ଟ ଭିତ୍ତିହୀନ ବୋଲି କହିଛି ଆଦାନୀ ଗ୍ରୁପ୍। ହିଣ୍ଡେନବର୍ଗ ରିପୋର୍ଟକୁ ଉଜ୍ଜୀବିତ କରିବାକୁ ଉଦ୍ୟମ କରାଯାଉଛି। ଏହି ପ୍ରୟାସର ଉଦ୍ଦେଶ୍ୟ ହେଉଛି ଆମ ଷ୍ଟକ୍ ମୂଲ୍ୟ ହ୍ରାସ କରି ଲାଭ ଉଠାଇବା | ଆମେ ଏହି ରିପୋର୍ଟକୁ ପୂରାପୂରି ଅସ୍ବୀକାର କରୁଛୁ ବୋଲି କହିଛି ଆଦାନୀ ଗ୍ରୁପ୍।

ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଜାନୁଆରୀରେ ଆମେରିକାର ସର୍ଟ ସେଲର ସଂସ୍ଥା ହିଣ୍ଡେନବର୍ଗ ଆଦାନୀ ଗ୍ରୁପ୍ ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆଣିଥିଲା। ଫଳରେ ଆଦାନୀ ଗ୍ରୁପକୁ ବହୁତ କ୍ଷତି ସହିବାକୁ ପଡ଼ିଥିଲା | ଏହାର ସେୟାର ମୂଲ୍ୟରେ ବଡ଼ ଧରଣର ହ୍ରାସ ଘଟିଥିଲା | ସେତେବେଳେ ମଧ୍ୟ ଆଦାନୀ ଗ୍ରୁପ୍ ହିଣ୍ଡେନବର୍ଗ ରିପୋର୍ଟକୁ ଅସ୍ୱୀକାର କରିଥିଲା। ହିଣ୍ଡେନବର୍ଗ ରିପୋର୍ଟ ପରେ ଆଦାନୀ ଗ୍ରୁପ୍‌ର ସେୟାର ମୂଲ୍ୟରେ ୧୫୦ ବିଲିୟନ ଡ଼ଲାର ପର୍ଯ୍ୟନ୍ତ ହ୍ରାସ ଘଟିଥିଲା ।