ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ପରେ ପେଗାସସ୍ ମାମଲାରେ ସୁପ୍ରିମକୋର୍ଟରେ ସାନି ପିଟିସନ | News Room Odisha

ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ପରେ ପେଗାସସ୍ ମାମଲାରେ ସୁପ୍ରିମକୋର୍ଟରେ ସାନି ପିଟିସନ

ନୂଆଦିଲ୍ଲୀ:ପେଗାସସ୍ ମାମଲାରେ ସୁପ୍ରିମକୋର୍ଟରେ ଏକ ସାନି ଆବେଦନ ହୋଇଛି। ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ପରେ ଆଇନଜୀବୀ ଏମ୍.ଏଲ୍ ଶର୍ମା ଏହି ପିଟିସନ ଦାୟର କରିଛନ୍ତି। ସେ ନିଜ ଆବେଦନରେନ୍ୟୁୟର୍କ ଟାଇମ୍ସ ରିପୋର୍ଟର ସଜ୍ଞାନ ନେବାକୁ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ନିବେଦନ କରିଛନ୍ତି । ସୂଚନାଯୋଗ୍ୟ ଯେ, ଏହି ମାମଲାର ତଦନ୍ତ ପାଇଁ ପୂର୍ବତନ ବିଚାରପତିଙ୍କ ତତ୍ତ୍ୱାବଧାନରେ ସୁପ୍ରିମକୋର୍ଟ ପୂର୍ବରୁ ଏକ କମିଟି ଗଠନ କରିସାରିଛନ୍ତି।

ଆମେରିକାର ଖବରକାଗଜ ‘ନ୍ୟୁୟର୍କ ଟାଇମ୍ସ’ର ରିପୋର୍ଟରେ କୁହାଯାଇଛି ଯେ ଭାରତ ସରକାର ୨୦୧୭ରେ ଇସ୍ରାଏଲର ଗୁପ୍ତଚର ସଫ୍ଟୱେର୍ ପେଗାସସ୍ କିଣିଥିଲେ। ଏଥିରେ କୁହାଯାଇଛି ଯେ ମୋଦି ସରକାର ପାଞ୍ଚ ବର୍ଷ ପୂର୍ବେ ଇସ୍ରାଏଲ ସହିତ ଦୁଇ ବିଲିୟନ ଡଲାର (ପ୍ରାୟ ୧୫ ହଜାର କୋଟି ଟଙ୍କା) ରେ ସ୍ୱାକ୍ଷରିତ ହୋଇଥିବା ପ୍ରତିରକ୍ଷା ଚୁକ୍ତିରେ ପେଗାସସ୍ ସ୍ପାଏୱେୟାର ଡିଲ୍ ମଧ୍ୟ ସାମିଲ ହୋଇଥିଲା। ଏହି ପ୍ରତିରକ୍ଷା ଚୁକ୍ତିରେ ଭାରତ କିଛି ଅସ୍ତ୍ରଶସ୍ତ୍ର ସହିତ ମିସାଇଲ୍ ସିଷ୍ଟମ୍ ମଧ୍ୟ କିଣିଥିଲା।

ଆମେରିକାର ଫେଡେରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ଏଫବିଆଇ) ମଧ୍ୟ ଇସ୍ରାଏଲର ଏନ୍ଏସ୍ଓରୁ ପେଗାସସ୍ କିଣିଛି ବୋଲି ଖବରକାଗଜ ଏହାର ନିଜ ଅନୁସନ୍ଧାନ ମୂଳକ ରିପୋର୍ଟରେ ପ୍ରକାଶ କରିଛି। ଏହି ସଫ୍ଟୱେରର ଘରୋଇ ବ୍ୟବହାର ଯୋଜନାର ଏକ ଅଂଶ ଭାବରେ ଏଫବିଆଇ ମଧ୍ୟ ଏହାର ଅନେକ ବର୍ଷ ଟେଷ୍ଟିଂ କରିଥିଲା । କିନ୍ତୁ ଗତ ବର୍ଷ ଏଜେନ୍ସି ପେଗାସସ୍ ବ୍ୟବହାର ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା | ତେବେ ପେଗାସସ୍ ବିବାଦର ପର୍ଦ୍ଦାଫାସ ପୂର୍ବରୁ ନା ପରେ ଏଫବିଆଇ ଏହି ସ୍ପାଏଓ୍ବେରର ବ୍ୟବହାର ବନ୍ଦ କରିଥିଲା ତାହା ରିପୋର୍ଟରେ ସ୍ପଷ୍ଟ ହୋଇନାହିଁ |

ଜୁଲାଇ ୨୦୨୧ରେ ଗଣମାଧ୍ୟମର ଏକ କନ୍ସୋର୍ଟିୟମ୍ ଏହି ସ୍ପାଏଓ୍ବେରର ବିଶ୍ବର ଅନେକ ଦେଶରେ ସାମ୍ବାଦିକ ଏବଂ ବ୍ୟବସାୟୀଙ୍କ ଉପରେ ଗୁପ୍ତଚର କାର୍ଯ୍ୟ ପାଇଁ ବ୍ୟବହାର କରାଯାଉଛି | ଭାରତରେ ମଧ୍ୟ ପେଗାସସ୍ ମାଧ୍ୟମରେ ରାଜନେତା ଠାରୁ ଆରମ୍ଭ କରି ସାମ୍ବାଦିକ, ସେନା କର୍ମଚାରୀ, ବିଚାରପତିଙ୍କ ଉପରେ ଗୁଇନ୍ଦାଗିରି କରାଯାଇଥିଲା।