ଭୁବନେଶ୍ୱର– ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟର ଉଚିତ ମୁକାବିଲା କରି ସଫଳ ଟ୍ରାକ୍ ରେକର୍ଡ ଥିବା ଭାରତର ପୂର୍ବ ଉପକୂଳ ରାଜ୍ୟ ଓଡିଶା ଏବେ କୋଭିଡ-୧୯ ମହାମାରୀର ବି ସଫଳ ମୁକାବିଲା କରିବାରେ ସମର୍ଥ ହୋଇଛି । ୨୦୨୦ ଜୁନ୍ରେ ରାଜ୍ୟରେ କୋରୋନା ସୁସ୍ଥ ହାର ଥିଲା ୬୯ ଦଶମିକ ୪ ପ୍ରତିଶତ, ଯାହା ଫଳରେ କି ରାଜ୍ୟ ଦେଶର ସୁସ୍ଥ ହାର ଅଧିକ ଥିବା ଅଗ୍ରଣୀ ରାଜ୍ୟଗୁଡିକ ମଧରେ ସାମିଲ ହୋଇପାରିଥିଲା । ଏବେ ବି ଓଡିଶା ସଫଳ ସୁସ୍ଥ ହାର ଥିବା ଭାରତର ଅଳ୍ପ କେତେକ ଅଗ୍ରଣୀ ରାଜ୍ୟ ମଧ୍ୟରେ ରହିଛି ।
ମହାମାରୀ ସଂକଟ ମଧ୍ୟରେ ବାତ୍ୟା ଅମ୍ଫାନ ରାଜ୍ୟକୁ ପ୍ରଭାବିତ କରିଥିବା ବେଳେ ସାମାଜିକ ଦୂରତା ବଜାୟ ରଖି ଲୋକଙ୍କୁ ସ୍ଥାନାନ୍ତର କରିବା ଥିଲା ଏକ ବଡ ଆହ୍ୱାନମୂଳକ କାମ । କିନ୍ତୁ ବିପ ର୍ଯ୍ୟୟ ପରିଚାଳନା ନେଇ ରାଜ୍ୟର ପୂର୍ବ ଅଭିଜ୍ଞତା ବେଶ୍ କାମଦେଇଥିଲା । ଫଳରେ ସ୍ଥିତିକୁ ଭଲ ଭାବେ ଆୟତ କରାଯାଇପାରିଥିଲା । ବିଭିନ୍ନ ପଂଚାୟତିରାଜ ସଂସ୍ଥାର ସହଯୋଗ ସହ ପ୍ରଭାବଶାଳି ସରକାରୀ ପରିଚାଳନା ଓ ଗୋଷ୍ଠୀ ଭିତିକ ରେସପନ୍ସ ଷ୍ଟ୍ରାଟେଜି ଦ୍ୱାରା ଦୃଢ ପ୍ରତିଜ୍ଞ ଭାବେ ଭାଇରସକୁ ନିୟନ୍ତ୍ରଣ କରିଛି ଓଡିଶା । ବିପୁଳ ସଂଖ୍ୟାରେ ରାଜ୍ୟକୁ ପ୍ରବାସୀ ଶ୍ରମିକଙ୍କ ପ୍ରବେଶ ସତ୍ୱେ କୋରୋନା ସଂକ୍ରମଣ ଯଥାସମ୍ଭବ କମ୍ ରଖିବା ରାଜ୍ୟର କୋଭିଡ-୧୯ ପରିଚାଳନା ରଣନୀତିର ବିଭିନ୍ନ ଦିଗନ୍ତରୁ ଗୁରୁତ୍ୱକୁ ପ୍ରତିପାଦନ କରୁଛି ।
ପ୍ରାରମ୍ଭିକ ପଦକ୍ଷେପ
କୋରୋନା ମହାମାରୀ ନିୟନ୍ତ୍ରଣ ପାଇଁ କଡା ପଦକ୍ଷେପ ଗ୍ରହଣ କରିବାର ଓଡିଶା ଥିଲା ଭାରତର ପ୍ରଥମ ରାଜ୍ୟ । ରାଜ୍ୟରେ କୌଣସି ଗୋଟିଏ ବି କୋଭିଡ ମାମଲା ଆସି ନ ଥିବା ବେଳେ ମାର୍ଚ୍ଚ ୧୩ ତାରିଖରେ ହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ସର୍ବସାଧାରଣ ସ୍ଥାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମାର୍ଚ୍ଚ ୧୫ ତାରିଖର୍ ରାଜ୍ୟରେ ପ୍ରଥମ କୋରୋନା ମାମଲା ଆସିବା ପରେ ତୁରନ୍ତ କାର୍ଯ୍ୟକ୍ଷମ ହୋଇଥିବା ରାଜ୍ୟର ସବୁ କଂଟ୍ରୋଲ ରୁମ୍ । ଏଥିସହିତ ଜଲ୍ଲାସ୍ତରରେ କ୍ୟାପାସିଟି ବିଲଡିଂ କରିବା ପାଇଁ ପଦକ୍ଷେପ ନିଆଯାଇଥିଲା । ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଆଲର୍ଟ ରଖାଗଲା । ମାସ୍କ ପିନ୍ଧିବା ଓ ହାତ ଧୋଇବା ପାଇଁ ଲୋକଙ୍କୁ ପରାମର୍ଶ ସହ ସରକାରୀ ସ୍ତରରେ ବ୍ୟାପକ ଜନସଚେତନତା ଅଭିଯାନ ଆରମ୍ଭ ହୋଇସାରିଥିଲା ।
ପ୍ରଭାବଶାଳୀ ସରକାରୀ ପରିଚାଳନା
ଦୃଢ କୋଭିଡ ମୁକାବିଲା ପାଇଁ ତ୍ୱରିତ ନିଷ୍ପତି ନେବାକୁ ରାଜ୍ୟ ସରକାର କ୍ଷମତାସଂପନ୍ନ ମନ୍ତ୍ରୀଗୋଷ୍ଠୀ ଗଠନ କରିଥିଲେ । ସାମାଜିକ ଦୂରତା,କ୍ୟାପାସିଟି ବିଲଡିଂ, ଭାଇରସ ନିୟନ୍ତ୍ରଣ ରଣକୌଶଳ, ଆଇସୋଲେସନ ଓ ଚିକିତ୍ସା ଏବଂ ସଚେତନତା ଅଭିଯାନ ପାଇଁ ଉତ୍ସର୍ଗୀକୃତ ଟିମ୍ ଗଠନ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରତ୍ୟେକ ଟିମ୍ର ନେତୃତ୍ୱ ଜଣେ ଜଣେ ବରିଷ୍ଠ ସଚିବଙ୍କୁ ଦିଆଯାଇଥିଲା । ମହମାରୀ ମୁକାବିଲା ପ୍ରସ୍ତୁତି ଓ ରେସପନସ୍ ଦାୟିତ୍ୱ ଏସବୁ ଟିମ୍ ଉପରେ ନ୍ୟସ୍ତ କରାଗଲା । ଉତ୍ସର୍ଗୀକୃତ ଟିମ୍ଗୁଡିକ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅଧିକାରୀଙ୍କ ସହ ଉପଯୁକ୍ତ ସମନ୍ୱୟ ରଖି କୋଭିଡ ପରିଚାଳନା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ ।
ଦେଶର ବୃହତମ କୋଭିଡ ଚିକିତ୍ସା ବ୍ୟବସ୍ଥା
କୋରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶା ୧ ହଜାର ଶଯ୍ୟା ବିଶିଷ୍ଟ ଏକ ଉତ୍ସର୍ଗୀକୃତ ହସପିଟାଲ୍ ପ୍ରତିଷ୍ଠା କରିଥିଲା । ମାତ୍ର ଏକ ସପ୍ତାବର ରେକର୍ଡ ସମୟ ମଧ୍ୟରେ ପ୍ରତିଷ୍ଠା ହୋଇଥିଲା ଏହି ହସପିଟାଲ୍ । କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ୍ ସାଇନ୍ସ ଓ ସମ୍ ହସପିଟାଲ୍ ମଡେଲ୍ କୋଭିଡ ହସପିଟାଲ୍ ଭାବେ ପ୍ରତିଷ୍ଠା ହୋଇଥିଲା ବେଳେ ୩୦ଟି ଉତ୍ସର୍ଗୀକୃତ ଜିଲ୍ଲା କୋଭିଡ ହସପିଟାଲ୍ ପ୍ରତିଷ୍ଠା ହୋଇଥିଲା । ଏଥିମଧ୍ୟରୁ ୧୭ଟି ହସପିଟାଲ୍ ସରକାର, ଘରୋଇ ହସପିଟାଲ୍ ଓ ଫାଇନାନନ୍ସ କର୍ପୋରେସନ ମଧ୍ୟରେ ହୋଇଥିବା ତ୍ରିପାକ୍ଷିକ ରାଜିନାମା ଅନୁସାରେ କାର୍ଯ୍ୟକାରୀ ହୋଇଥିଲା । ପାର୍ଟନରସିପ୍ ମୋଡ୍ରେ କାର୍ଯ୍ୟକାରୀ ହୋଇଥିବା କୋଭିଡ୍ ହସପିଟାଲଗୁଡିକ ରାଜ୍ୟ ସରକାରଙ୍କ ଅଥୋରାଇଜଡ୍ ମେଡିକାଲ ଅଫିସର-ଏଏମଓଙ୍କ ସୁପରିଚାଳନାରେ ସମ୍ବଳ ପରିଚାଳନା କ୍ଷେତ୍ରରେ ବେଶ୍ ସଫଳ ରହିଥିଲା ବୋଲି ଭାରତରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କଂଟ୍ରି ଅଫିସ୍ର ଓଡିଶା ପାଇଁ ସବ୍ ରିଜିଓନାଲ୍ ଟିମ୍ ଲିଡର ନିହାର ରାୟ କହନ୍ତି ।
ସ୍ୱାସ୍ଥ୍ୟ ବ୍ୟବସ୍ଥାର ସମୀକ୍ଷା
କୋଭିଡ ଚିକିତ୍ସା ପାଇଁ ରାଜ୍ୟରେ ହୋଇଥିବା ବ୍ୟବସ୍ଥାଗୁଡିକର ସ୍ୱାଧୀନ ଭାବେ ସମୀକ୍ଷା କରାଯାଇଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଜାତିସଂଘର ଟିମ୍ ସ୍ୱତନ୍ତ୍ର ଭାବେ ଏସବୁ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ । ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ପାଇଁ କଟକ ସ୍ଥିତ ଅଶ୍ୱିନୀ ହସପିଟାଲକୁ ମିଳିଥିବା ସ୍ୱୀକୃତି । ୨୦୨୦ ମେ ମାସ ଶେଷ ସୁଦ୍ଧା ରାଜ୍ୟରେ କୋଭିଡ ଚିକିତ୍ସା ପାଇଁ ଏକ ମଜବୁତ୍ ଭିତିଭୂମି ପ୍ରତିଷ୍ଠା ହୋଇସାରିଥିଲା । ଉତ୍ସର୍ଗୀକୃତ କୋଭିଡ ହସପିଟାଲଗୁଡିକରେ ୨୨ ହଜାର ୩୪୦ ଶଯ୍ୟା ପ୍ରସ୍ତୁତ ହୋଇସାରିଥିଲା ।
ପ୍ରଭାବଶାଳୀ ମନିଟରିଂ
ପୋଲିଓ ଅଭିଜ୍ଞତାକୁ ପାଥେୟ କରି ନ୍ୟାସନାଲ ପବ୍ଲିକ ହେଲ୍ଥ ସର୍ଭେଲାନଓ ପ୍ରୋଜେକ୍ଟ ( ଡବ୍ଲୁଏଚଓ-ଏନପିଏସପି ) ଟିମ ୧୫ଟି ପ୍ଲାନିଂ ଟେମ୍ପଲେଟ୍ ପ୍ରସ୍ତୁତ କରିଥିଲେ । ରାଜ୍ୟର ଜିଲ୍ଲା ଓ ବ୍ଲକ୍ ସ୍ତରରେ କଂଟ୍ରୋଲ ରୁମ୍ ମିଟିଂ, ସୁପରଭିଜନ, କଂଟେନମେଂଟ୍ ଜୋନ୍ ମାଇକ୍ରୋପ୍ଲାନିଂ ଓ କମ୍ୟୁନିଟି ମୋବିଲାଇଜେସନ ଆଦି ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା । ସର୍ଭେଲାନ୍ସ , କ୍ୱାରେଂଟାଇନ ବ୍ୟବସ୍ଥା, ଟେଷ୍ଟିଂ ଓ ଚିକିତ୍ସା ବ୍ୟବସ୍ଥାର ସମୀକ୍ଷା ପାଇଁ କଂଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ ହେଲା । ନିୟମିତ କାର୍ଯ୍ୟକଳାପ ସଂପର୍କରେ ସବୁ ପକ୍ଷକୁ ଅବଗତ କରାଗଲା ।
ଆଇଏଲଆଇ ଓ ଏସଏଆରଆଇ ମାମଲାର ସର୍ଭେଲାନସ ।
ଇନଫ୍ଲୁଏନଜା ସଦୃଶ ଅସୁସ୍ଥତା ( ଆଇଏଲଆଇ ) ଏବଂ ସିଭିୟର ଆକ୍ୟୁଟ୍ ରେସପିରେଟରୀ ଇଲନେସ୍ ( ଏସଏଆରଆଇ )
ମାମଲାଗୁଡିକର ଚିହ୍ନଟ ଓ ହାଇରିସ୍କ ଗ୍ରୁପ୍କୁ ଅଲଗା କରିବା ପାଇଁ ପ୍ରାଇଭେଟ ସେକ୍ଟରର ସହଯୋଗରେ ମିଳିତ ସର୍ଭେଲାନସ ଆରମ୍ଭ କରାଯାଇଥିଲା । ଏଥିପାଇଁ ସାପ୍ତାହିକ ରିପୋର୍ଟ ସଂଗ୍ରହ କରାଯାଇଥିଲା । ହାଇରିସ୍କ ଏରିଆ କଂଟେନମେଂଟ୍ ଜୋନ୍ ଚିହ୍ନଟ କରାଗଲା । ହାଇରିସ୍କ ଜିଲ୍ଲାଗୁଡିକରେ କୋଭିଡ ପରିଚାଳନା ପାଇଁ ଅତିରିକ୍ତ ଟାସ୍କଫୋର୍ସ ମୁତୟନ କରାଗଲା । ଏଥିରେ ରାଜ୍ୟର ପ୍ରାଶାସନିକ ଅଧିକାରୀ,ଡାକ୍ତର, ଲାବ୍ ଟେକନିସିଆନ୍ ଓ ପୋଲିସ କର୍ମୀ ରହିଲେ ।
ଟେଷ୍ଟିଂ ଷ୍ଟ୍ରାଟେଜି
ରାଜ୍ୟରେ ଟେଷ୍ଟିଂ କ୍ଷମତା ମଧ୍ୟ ବୃଦ୍ଧି କରାଯାଇଛି । ମାତ୍ର ଗୋଟିଏ ଫଙ୍କସନାଲ ଲାବରୁ ବର୍ତମାନ ଏହି ୧୯ଟି ଲାବ୍ ପ୍ରତିଷ୍ଠା ହୋଇପାରିଛି । ରାଜ୍ୟରେ ଅଧିକରୁ ଅଧିକ ଟେଷ୍ଟିଂ ହେଉଛି ।
ରୋଗୀଙ୍କ ଯତ୍ନ
ରାଜ୍ୟର ୩୦ଟି ଜିଲ୍ଲାରେ ରୋଗୀଙ୍କ ସୁବିଧା ପାଇଁ ଟେଲିମେଡିସିନ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା । ୩୦ଟି ଜିଲ୍ଲା ହସପିଟାଲ ସମେତ ୭ଟି ସରକାରୀ ହସପିଟାଲକୁ ମିଶାଇ ମୋଟ ୪୧ ଟି ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଥିଲା । ପ୍ଲାଜମା ଥେରାପି ବ୍ୟବସ୍ଥା ମଧ୍ୟ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ।
ଟେକ୍ନୋଲୋଜିର ସହାୟତା କୋଭିଡ ମହାମାରୀ ମୁକାବିଲା କ୍ଷେତ୍ରରେ ଡିଜିଟାଲ୍ ଟେକ୍ନୋଲୋଜିର ବି ପ୍ରୟୋଗ କରିଛନ୍ତି ରାଜ୍ୟ ସରକାର । ମାମଲାଗୁଡିକର ପରିଚାଳନା ଓ କଂଟେନମେଂଟ୍ ଜୋନ୍ ଚିହ୍ନଟ ପାଇଁ ଜିଓଗ୍ରାଫିକ ଇନଫର୍ମେସନ ସିଷ୍ଟମ –ଜିଆଇଏସର ସହାୟତା ନିଆଯାଇଥିଲା । ଜନସାଧାରଣଙ୍କ ବିଭିନ୍ନ ପ୍ରଶ୍ନର ଉତର ଦେବା ପାଇଁ ଉତ୍ସର୍ଗୀକୃତ କଲ୍ ସେଂଟର ପ୍ରତିଷ୍ଠା କରାଯାଇଥିଲା । ରାଜ୍ୟକୁ ଆସୁଥିବା ପ୍ରବାସୀ ଶ୍ରମିକଙ୍କ ପଂଜୀକରଣ ପାଇଁ ସେଲଫ ରେଜିଷ୍ଟ୍ରେସନ ଓ ଅନ୍ୟ ଲୋକଙ୍କ ପାଇଁ ଇ-ପାସ୍ ବ୍ୟବସ୍ଥା କରିଥିଲେ ରାଜ୍ୟ ସରକାର । ରାଜ୍ୟ କୋଭିଡ୍ ଡ୍ୟାସବୋର୍ଡ ଦ୍ୱାରା କୋଭିଡ-୧୯ ସଂପର୍କିତ ପ୍ରକୃତ ତଥ୍ୟ ସାର୍ବଜନୀନ କରାଯାଉଛି ।
ପ୍ରବାସୀ ଶ୍ରମିକଙ୍କ ପରିଚାଳନା
କୋଭିଡ ମହାମାରୀ ସମୟରେ ରାଜ୍ୟକୁ ବହୁ ସଂଖ୍ୟାରେ ପ୍ରବାସୀ ଶ୍ରମିକ ଫେରିଥିଲେ । ଏହି ପ୍ରବାସୀ ଶ୍ରମିକଙ୍କ ପରିଚାଳନା ପାଇଁ ସରକାର ଏକ ବହୁମୁଖୀ ଆଭିମୁଖ୍ୟ ଆପଣାଇଥିଲେ । ପ୍ରବାସୀ ଶ୍ରମିକଙ୍କ ଚଳପ୍ରଚଳର ତଦାରଖ, ଅନଲାଇନ୍ ଇ-ପାସ୍, କଂଟାକ୍ଟ ଟ୍ରେସିଂ, ଖାଦ୍ୟ ଓ ରହଣି ବ୍ୟବସ୍ଥା, ସ୍ୱାସ୍ଥ୍ୟ ଯାଂଚ୍ ଭଳି ପଦକ୍ଷେପ ନେଇଥିଲେ ରାଜ୍ୟ ସରକାର । ପ୍ରବାସୀଙ୍କ ପାଇଁ ଏକ ଉତ୍ସର୍ଗୀକତ ପୋର୍ଟାଲ୍ ବି ଆରମ୍ଭ କରାଯାଇଥିଲା । ୧୮ ହଜାରରୁ ଅଧିକ ଅସ୍ଥାୟୀ ମେଡିକାଲ୍ କ୍ୟାମ୍ପ -ଟିଏମସି ସ୍ଥାପନ କରାଯାଇଥିଲା । ଏଗୁଡିକ କ୍ୱାରେଂଟଇନ୍ ସେଂଟର ଭାବେ ବି ବ୍ୟବହାର ହୋଇଥିଲା । ଏସବୁ କ୍ୟାମ୍ପରେ ୮ ଲକ୍ଷରୁ ଅଧିକ ପ୍ରବାସୀଙ୍କୁ ରଖାଯାଇଥିଲା । ସବୁ ବର୍ଗ ଓ ଶ୍ରେଣୀର ଲୋକଙ୍କ ପାଇଁ ମୌଳିକ ସୁବିଧାସୁଯୋଗ ଦିଆଯାଇଥିଲା । ସବୁ ଗ୍ରାମ ପଂଚାୟତରେ କୋଭିଡ କେୟାର କମିଟି ଗଠନ କରାଯାଇ ଟିଏମସି ଓ କୋଭିଡ କେୟାର ହୋମଗୁଡିକର ସାମଗ୍ରିକ ପରିଚାଳନା ତଦାରଖ କରାଯାଉଥିଲା ।
କ୍ୟାପାସିଟି ବିଲଡିଂ
ରାଜ୍ୟ ସରକାରଙ୍କ ସହଯୋଗରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଜାତିସଂଘ ଏଜେନସୀଗୁଡିକ ବିଭିନ୍ନ ଗ୍ରୁପ୍ ପାଇଁ ପ୍ରଶିକ୍ଷଣ ବ୍ୟବସ୍ଥା କରିଥିଲେ । ଆଇସିୟୁ ମ୍ୟାନେଜମେଂଟ୍ ଓ ସାଇକୋ –ସୋସିଆଲ ଟ୍ରେନିଂ ଉପରେ ଫୋକସ୍ କରାଯାଇଥିଲା । ଲକଡାଉନ ସମୟରେ ୧ ଲକ୍ଷ ୮୦ ହଜାରରୁ ଅଧିକ ଡାକ୍ତର, ନର୍ସ, ପାରାମେଡିକ୍ସ, ଆୟୁଷ, ସଫେଇ କର୍ମଚାରୀ, ପୋଲିସ, ସମ୍ମୁଖ ସ୍ୱାସ୍ଥ୍ୟକର୍ମୀ ଓ ସ୍ୱେଚ୍ଛାସେବୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା ।
‘ମେଂଟରିଂ ସପୋର୍ଟ ଟୁ ପ୍ରୋଗ୍ରାମ’ ପଦକ୍ଷେପ
କୋଭିଡ ମହାମାରୀ ମୁକାବିଲା କାର୍ଯ୍ୟକ୍ରମର ସୁପରିଚାଳନା ନିମନ୍ତେ ରାଜ୍ୟ ସରକାର ଏକ କ୍ଷମତାସଂପନ୍ନ ମିଳିତ ଟିମ୍ ମୁତୟନ କରିଥିଲେ । ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ଏହି ଟିମ୍ ଜିଲ୍ଲାଗୁଡିକରେ କୋଭିଡ ସର୍ଭେଲାନ୍ସ ଓ କଂଟେନମେଂଟ୍ ଷ୍ଟ୍ରାଟେଜି ମାଇକ୍ରୋ ପ୍ଲାନ ଭଳି କାର୍ଯ୍ୟକ୍ରମର ସମର୍ଥନ କରିବାକୁ ଗଠିତ ହୋଇଥିଲା ।
ଗ୍ରାମ ପଂଚାୟତ ସହଯୋଗରେ ବିକେନ୍ଦ୍ରୀକରଣ ଆଭିମୁଖ୍ୟ
ସନ୍ଦିଗ୍ଧ ମାମଲାଗୁଡିକୁ ଚିହ୍ନଟ କରି ପୃୃଥକୀକରଣ କରିବାକୁ ଗ୍ରାମପଂଚାୟତଗୁଡିକ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା । ଏହି ବିକେନ୍ଦ୍ରୀକରଣ ଆଭିମୁଖ୍ୟ ବେଶ୍ ସଫଳ ରହିଛି । ମହାମୀରୀ ମୁକାବିଲା ପାଇଁ ସରପଂଚମାନଙ୍କୁ ଅଧିକ କ୍ଷମତାସଂପନ୍ନ କରିଥିଲେ ରାଜ୍ୟ ସରକାର । ଆଉ ଏହାର ସୁଫଳ ବି ମିଳିଛି ।
ଆର୍ଥିକ ପ୍ରୋତ୍ସାହନ
କୋରୋନା ମହାମାରୀରୁ ସୃଷ୍ଟି ପରିସ୍ଥିତିରୁ ଆର୍ଥିକ ଅସୁବିଧା ଯେପରି ସୃଷ୍ଟି ନ ହେବ, ସେଥିପାଇଁ ବ୍ୟବସ୍ଥା କରିଥିଲେ ରାଜ୍ୟ ସରକାର । ବୟସ୍କ ବ୍ୟକ୍ତି, ଦିବ୍ୟାଂଗ ଓ ବିଧବାମାନଙ୍କୁ ଜାତୀୟ ଓ ରାଜ୍ୟ ପେନସନ ଯୋଜନାରୁ ଚାରି ମାସ ଆଗୁଆ ପେନସନ ଯୋଗାଇ ଦିଆଯାଇଥିଲା । କୋଭିଡ ଯୋଦ୍ଧା, କ୍ୱାରେଂଟାଇନ ସେଂଟରରେ ଥିବା ଲୋକଙ୍କୁ ମଧ୍ୟ ଆର୍ଥିକ ଭାବେ ପ୍ରୋତ୍ସାହିତ କରାଗଲା । ସବୁ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ୫୦ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସ୍ୱଂୟ ସହାୟକ ଗୋଷ୍ଠୀର ସଂପୃକ୍ତି
ୟୁନିସେଫ୍ ଓ ୟୁଏନଏଫପିଏ ସମର୍ଥନରେ ମିଶନ ଶକ୍ତି ଅନ୍ତର୍ଗତ ସ୍ୱଂୟ ସହାୟକ ଗୋଷ୍ଠୀ –ଏସଏଚଜିଗୁଡିକୁ ପ୍ରଶିକ୍ଷଣ ଦିଆଗଲା । ସେମାନଙ୍କ ମାଧ୍ୟମରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏହାଛଡା ଏସଏଚଜିଗୁଡିକ ଲକଡାଉନ ବେଳେ ଗରିବଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଓ ରନ୍ଧା ଖାଦ୍ୟ ଯୋଗାଉଥିଲେ । ମହିଳା ସ୍ୱଂୟ ସହାୟକ ଗୋଷ୍ଠୀଗୁଡିକ ରେକର୍ଡ ସମୟରେ ୧୦ ଲକ୍ଷ ମାସ୍କ ପ୍ରସ୍ତୁତ କରି ଅଭାବ ପୂରଣ କରିପାରିଥିଲେ । ଏହାଦ୍ୱାରା ସେମାନଙ୍କ ଜୀବିକାର ବି ଉନ୍ନତି ହେଲା ।
ରାଜ୍ୟରେ ମୃତ୍ୟୁ ଓ ସଂକ୍ରମଣ ହାର ହ୍ରାସ ଉପରେ ଲଗାତର ଫୋକସ ରଖିଛନ୍ତି ରାଜ୍ୟ ସରକାର । ସରକାରଙ୍କ ନିରନ୍ତର ଉଦ୍ୟମ ଫଳରେ ଜୁନ୍ ୨୮ ସୁଦ୍ଧା ରାଜ୍ୟରେ ମୃତ୍ୟୁ ଓ ସଂକ୍ରମଣ ହାର ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ବି କମ୍ ରହିଥିଲା । ଏବେ ବି କମ୍ ରହିଛି । ଏହା ରାଜ୍ୟ ସରକାରଙ୍କ ଉଲ୍ଲେଖନୀୟ ସଫଳତା ବୋଲି କହିବାକୁ ପଡିବ । ସର୍ବଦା ପରିବର୍ତିତ ପରିସ୍ଥିତିରୁ ଶିକ୍ଷା ଲାଭ କରି ଆମେ କୋଭିଡ ମୁକାବିଲା କ୍ଷେତ୍ରରେ ଯେକୌଣସି ଆହ୍ୱାନର ମୁକାବିଲା ପାଇଁ ପ୍ରସ୍ତୁତ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ପ୍ରମୁଖ ଶାସନ ସଚିବ ପି.କେ ମହାପାତ୍ର ଦୃଢ ଭାବେ କହନ୍ତି । ଶୀଘ୍ର ଲକଡାଉନ, ଟିଏମସି ପ୍ରତିଷ୍ଠା, ଗୋଷ୍ଠୀ ସହଭାଗିତା, ଉତ୍ସର୍ଗୀକୃତ କୋଭିଡ ହସପିଟାଲ୍ ପ୍ରତିଷ୍ଠା ପରି ଏକାଧିକ ପ୍ରଶଂସନୀୟ କୋଭିଡ ନିୟନ୍ତ୍ରଣ ପଦକ୍ଷେପ ଦ୍ୱାରା ଓଡିଶା ଆଜି ଚର୍ଚ୍ଚାରେ । ଏସବୁ ସୁଚିନ୍ତିତ ପଦକ୍ଷେପ ହିଁ ମହାମାରୀ ନିୟନ୍ତ୍ରଣରେ ସଫଳ ହୋଇପାରିଛି ଓଡିଶା । ଏ କ୍ଷେତ୍ରରେ ଆଗକୁ ବଢିବା ଦରକାର ।