ସପ୍ତାହକ ମଧ୍ୟରେ ଗମ୍ଭୀରଙ୍କୁ ତୃତୀୟ ଥର ହତ୍ୟା ଧମକ | News Room Odisha

ସପ୍ତାହକ ମଧ୍ୟରେ ଗମ୍ଭୀରଙ୍କୁ ତୃତୀୟ ଥର ହତ୍ୟା ଧମକ

ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ଗତ ୬ ଦିନ ମଧ୍ୟରେ ତୃତୀୟ ଥର ପାଇଁ ‘ଆଇଏସଆଇଏସ କାଶ୍ମୀର’ ନାମକ ଏକ ଆତଙ୍କୀ ସଂଗଠନରୁ ହତ୍ୟା ଧମକ ମିଳିଥିବା ଅଭିଯୋଗ ହୋଇଛି।

ଆଜି ପୂର୍ବାହ୍ନ ୧:୩୭ରେ ଆସିଥିବା ଏକ ଇମେଲରେ ଲେଖାଅଛି, ” ତୁମର ଦିଲ୍ଲୀ ପୋଲିସ କି ଆଇପିଏସ୍ ଶ୍ୱେତା (ଡିସିପି) ମଧ୍ୟ ମୋର କିଛି ଅନିଷ୍ଟ କରିପାରିବ ନାହିଁ। ଆମର ଗୁପ୍ତଚରମାନେ ମଧ୍ୟ ଦିଲ୍ଲୀ ପୋଲିସରେ ଉପସ୍ଥିତ ଅଛନ୍ତି। ତୁମ ବିଷୟରେ ସମସ୍ତ ସୂଚନା ଗ୍ରହଣ କରାଯାଉଛି।”

ଏହାପୂର୍ବରୁ ଗମ୍ଭୀରଙ୍କୁ ମଙ୍ଗଳବାର ଓ ବୁଧବାର ଦିନ ହତ୍ୟା ଧମକ ଦିଆଯାଇଥିଲା।

ଦିଲ୍ଲୀ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସେମାନେ ଏହି ଇମେଲ ସମ୍ବନ୍ଧୀୟ ସୂଚନା ପାଇଛନ୍ତି ଏବଂ ସେମାନେ ଏହାର ଅନୁସନ୍ଧାନ କରୁଛନ୍ତି। ଅନ୍ୟପକ୍ଷରେ ଏକାଧିକ ଥର ହତ୍ୟା ଧମକ ମିଳିବା ପରେ ଗମ୍ଭୀରଙ୍କ ବାସଭବନ ବାହାରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି।