ରାଜ୍ୟ ସରକାରଙ୍କ ପୋଲିସ ସଂସ୍କାରର ସୁଫଳ: ଦେଶର ଟପ୍-୩ ଥାନା ମଧ୍ୟରେ ଗାଙ୍ଗପୁର | News Room Odisha

ରାଜ୍ୟ ସରକାରଙ୍କ ପୋଲିସ ସଂସ୍କାରର ସୁଫଳ: ଦେଶର ଟପ୍-୩ ଥାନା ମଧ୍ୟରେ ଗାଙ୍ଗପୁର

ଛତ୍ରପୁର: ଶାସନ ଓ ପ୍ରଶାସନର ସବୁ କ୍ଷେତ୍ରରେ ଉନ୍ନତିମୂଳକ ପ୍ରୟୋଗ ସହ ରୂପାନ୍ତରଣ ଜରିଆରେ ରାଜ୍ୟବାସୀଙ୍କୁ ଉତ୍ତମ ସେବା ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଶିକ୍ଷା ହେଉ କି ସ୍ଵାସ୍ଥ୍ୟ, କ୍ରୀଡ଼ା ଅଥବା ପୋଲିସ ବିଭାଗ, ପ୍ରତିଟି କ୍ଷେତ୍ରରେ ରାଜ୍ୟବାସୀ ବିକଶିତ ଓଡ଼ିଶାର ଛବି ଦେଖିବାକୁ ପାଉଛନ୍ତି। ପୂର୍ବରୁ ଆମ ପୋଲିସ, ଥାନାମାନଙ୍କରେ ସ୍ବତନ୍ତ୍ର ମହିଳା ଓ ଶିଶୁ ଡେସ୍କ, ପୋଲିସ ବିଭାଗରେ ଅନ୍ତର୍ଜାତୀୟସ୍ତରର କ୍ରୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହନମୂଳକ ନିଯୁକ୍ତି, ବୟୋଜ୍ୟେଷ୍ଠଙ୍କ ସୁରକ୍ଷା ପ୍ରତି ସ୍ବତନ୍ତ୍ର ଦିଗ, ରାଜଧାନୀରେ କମିଶନରେଟ୍ ପୋଲିସ୍ ପ୍ରୋତ୍ସାହନରେ ମହିଳାଙ୍କ ନିରାପଦ ଯାତ୍ରା ସକାଶେ ପିଙ୍କ୍ ଅଟୋ ପ୍ରଚଳନ, ସଡ଼କ ଦୁର୍ଘଟଣା ଦୃଷ୍ଟିରୁ ସମନ୍ବିତ ଡାଟା ବେସ୍ ମୋବାଇଲ୍ ଆପ୍ ଲଞ୍ଚିଂ ଆଦି ଅନେକ ଉଲ୍ଲେଖନୀୟ ପଦକ୍ଷେପ ନିଆଯାଇଛି। ସେଥିପାଇଁ ତ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଅପରାଧ ହାର ନୀଚ୍ଚା ଓ ଆଇନଶୃଙ୍ଖଳା ଅବସ୍ଥା ଅପେକ୍ଷାକୃତ ବେଶ୍ ଉନ୍ନତ ରହି ଆସିଛି।

ରାଜ୍ୟରେ ପୋଲିସ ସଂସ୍କାରକୁ ଏବେ ମିଳିଛି କେନ୍ଦ୍ର ସରକାରଙ୍କ ସ୍ବୀକୃତି। ଏକ ଉଲ୍ଲେଖନୀୟ ଘଟଣାକ୍ରମେ ଦେଶର ତିନୋଟି ଶ୍ରେଷ୍ଠ ଥାନା ମଧ୍ୟରେ ଗଞ୍ଜାମ (ରାଜସ୍ବ ଓ ପୋଲିସ) ଜିଲ୍ଲାର ଗାଙ୍ଗପୁର ଥାନା ଅନ୍ତର୍ଭୁକ୍ତ ହୋଇଛି। ଅପରାଧ ନିୟନ୍ତ୍ରଣ, ସିସିଟିଏନ୍‌ଏସ୍‌ରେ କେସ୍ ରେଜିଷ୍ଟ୍ରେସନ୍‌, ଏନ୍‌ଫୋର୍ସମେଣ୍ଟ, ସ୍ଵଚ୍ଛତା, ଜନସାଧାରଣଙ୍କ ମତାମତ ଆଦି ଅନେକ ପ୍ରସଙ୍ଗକୁ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏକ ସର୍ଭେ କରିଥିଲା। ସେଥିରେ ଓଡ଼ିଶାର ଗାଙ୍ଗପୁର ଥାନା ଟପ୍ – ୩ ମଧ୍ୟରେ ରହିପାରିଛି। ରାଜ୍ୟ ଅତିରିକ୍ତ ପୋଲିସ ଡିଜି (ଆଇନଶୃଙ୍ଖଳା)ଙ୍କ ଗଞ୍ଜାମ ଏସ୍‌ପିଙ୍କୁ ଚିଠି ନମ୍ବର ୩୪୮୧/ ୧୦.୨୨.୨୧ ମୁତାବକ ଚଳିତ ବର୍ଷ ସକାଶେ ସାରା ଦେଶରୁ ବଛାଯାଇଥିବା ୩ଟି ଥାନା ମଧ୍ୟରେ ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ଥାନା ରହିଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ନିର୍ଦ୍ଦେଶକ (ଇଣ୍ଟେଲିଜେନ୍ସ ବ୍ୟୁରୋ) ତାଙ୍କ ପତ୍ରାଙ୍କ ୧୪/ ପୋଲିସ (ଏଲ)/ ୨୦୨୧ (୮)- ୩୮୩୩ରେ ରାଜ୍ୟ ପୋଲିସ ବିଭାଗକୁ ଏହା ସୂଚିତ କରିଛନ୍ତି। ଆସନ୍ତା ୧୯ ତାରିଖରେ ଲକ୍ଷ୍ନୌସ୍ଥିତ କେନ୍ଦ୍ରୀୟ ପୋଲିସ ମୁଖ୍ୟାଳୟ ଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏହି ପୁରସ୍କାର ପ୍ରଦାନ କରିବେ। ଗାଙ୍ଗପୁର ଥାନା ଆଇଆଇସି ଧୀରେଶ ଦାଶ ୟୁନିଫର୍ମ ସହ କ୍ରସ୍ ବେଲ୍ଟ ପରିଧାନ ପୂର୍ବକ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇ ଟ୍ରଫି ଗ୍ରହଣ କରିବାକୁ ଏଡିଜି ଗଞ୍ଜାମ ଏସପି ବ୍ରିଜେଶ ରାଏଙ୍କୁ ପତ୍ର ଲେଖିଛନ୍ତି।

ଏ ନେଇ ଗଞ୍ଜାମ ଏସ୍‌ପି ବ୍ରିଜେଶ ରାଏ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ- ନିଶ୍ଚିତ ଭାବେ ଏହି ଖବର ଆମ ରାଜ୍ୟ ପାଇଁ ଗର୍ବ ଓ ଗୌରବର କଥା। ରାଜ୍ୟ ସରକାର ପୋଲିସ ବିଭାଗକୁ ଅଧିକ କ୍ରିୟାଶୀଳ କରି ସାଧାରଣ ଜନତାଙ୍କୁ ସୁରକ୍ଷା ଓ ସେବା ଯୋଗାଇବାକୁ ଅନେକ ପ୍ରୟାସ କରୁଛନ୍ତି। ତାହାର ଫଳସ୍ୱରୂପ ଏଭଳି ସଫଳତା ମିଳିପାରିଛି। ଉଲ୍ଲେଖଯୋଗ୍ୟ ଯେ- ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବ ଓ ମାର୍ଗଦର୍ଶନରେ ଓଡ଼ିଶା ପୋଲିସ ଅପରାଧ ନିୟନ୍ତ୍ରଣ, ଆଇନଶୃଙ୍ଖଳା ରକ୍ଷା, ନକ୍ସଲ ବା ମାଓବାଦ ଦମନରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିଲା। ଏଥିସହ କରୋନା ମହାମାରୀ ସମୟରେ କୋଭିଡ୍ ଗାଇଡ୍‌ଲାଇନ୍‌ ଏନ୍‌ଫୋର୍ସମେଣ୍ଟ୍ ଭଳି କର୍ତ୍ତବ୍ୟ ସାଙ୍ଗକୁ ପୋଲିସ ନିଜ ସାମାଜିକ ଦାୟିତ୍ୱକୁ ସୂଚାରୁ ରୂପେ ତୁଲାଇ ସାଧାରଣ ଜନତାଙ୍କୁ ଖାଦ୍ୟ ଯୋଗାଇବା, ପ୍ରବାସୀଙ୍କୁ ଆବଶ୍ୟକ ସହାୟତା ଦେଇ ନିଜ ଘରେ ସୁରୁଖୁରୁରେ ପହଞ୍ଚାଇବା ଭଳି କାର୍ଯ୍ୟ ମଧ୍ୟ ସମ୍ପନ୍ନ କରିଥିଲା। ଆଉ ସବୁଠାରୁ ପ୍ରେରଣାଦାୟୀ ଥିଲା ପୋଲିସ ଏସ୍କର୍ଟରେ ଅନେକ ରାଜ୍ୟକୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ବହୁସଂଖ୍ୟକ ଅକ୍ସିଜେନ୍ ଟ୍ୟାଙ୍କର୍ ସଡ଼କ ପଥରେ ସୁରକ୍ଷିତ ଭାବେ ଯୋଗାଇ ଦିଆଯାଇ ପାରିଥିଲା। ଏଭଳି ମାନବୀୟ ସହାୟତା ସକାଶେ ଓଡ଼ିଶା ପୋଲିସ ଉଚ୍ଚ ପ୍ରଶଂସିତ ମଧ୍ୟ ହୋଇପାରିଥିଲା।

Chief Minister Naveen PatnaikGangapur Police StationGanjam PoliceGanjam SPOdisha Police