ବିସିସିଆଇକୁ ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ: ସୌରଭ ଗାଙ୍ଗୁଲି, ଜୟ ଶାହା ଆଉ ତିନି ବର୍ଷ ପଦ ବଜାୟ ରଖିପାରିବେ | News Room Odisha

ବିସିସିଆଇକୁ ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ: ସୌରଭ ଗାଙ୍ଗୁଲି, ଜୟ ଶାହା ଆଉ ତିନି ବର୍ଷ ପଦ ବଜାୟ ରଖିପାରିବେ

ନୂଆଦିଲ୍ଲୀ: ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସଚିବ ଜୟ ଶାହାଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ ସୁପ୍ରିମକୋର୍ଟ ସବୁଜ ସଙ୍କେତ ଦେଇଛନ୍ତି। ବିସିସିଆଇକୁ ଏହାର ସମ୍ବିଧାନରେ ସଂଶୋଧନ କରିବାକୁ କୋର୍ଟ ଅନୁମତି ଦେଇଛନ୍ତି ।  ଯାହା ଦ୍ବାରା ଗାଙ୍ଗୁଲି ଓ ଜୟ ଶାହା ଆଉ ତିନି ବର୍ଷ ନିଜ ପଦରେ ରହିପାରିବେ ।

ବିସିସିଆଇର ସମ୍ବିଧାନ ଅନୁଯାୟୀ, ବିସିସିଆଇ କିମ୍ବା କୌଣସି ରାଜ୍ୟ ବୋର୍ଡର କୌଣସି ପଦାଧିକାରୀ ପୁନଃ ନିଯୁକ୍ତ ହେବା ପୂର୍ବରୁ ତିନି ବର୍ଷର ‘କୁଲିଂ ଅଫ୍’ ସମୟ ଦେଇ ଗତି କରିବାକୁ ପଡିବ। କିନ୍ତୁ ବିସିସିଆଇ ସଂଶୋଧନ ପରେ  କୌଣସି ପଦାଧିକାରୀ ଲଗାତାର ଦୁଇ କାର୍ଯ୍ୟକାଳ ପଦରେ ରହିବା ସମ୍ଭବ ହେବ।

ବର୍ତ୍ତମାନ ସୌରଭ ଗାଙ୍ଗୁଲି ଏବଂ ଜୟ ଶାହା ଯଥାକ୍ରମେ ବିସିସିଆଇ ସଭାପତି ଓ ସଚିବ ଭାବେ ଆଉ ତିନି ବର୍ଷ ରହିପାରିବେ। ବିସିସିଆଇ ସଭାପତି ହେବା ପୂର୍ବରୁ ଗାଙ୍ଗୁଲି ବେଙ୍ଗଲ କ୍ରିକେଟ୍ ଆସୋସିଏସନର ସଭାପତି ଥିଲେ ଏବଂ ଜୟ ଶାହା ଗୁଜୁରାଟ କ୍ରିକେଟ୍ ଆସୋସିଏସନ୍ ସହିତ ଜଡିତ ଥିଲେ। ଆଉ ତିନି ବର୍ଷର କାର୍ଯ୍ୟକାଳ ପାଇଁ ନିଯୁକ୍ତ ହେବା ପାଇଁ ଉଭୟଙ୍କ ପାଇଁ ‘କୁଲିଂ ଅଫ୍’ ନିୟମ ପ୍ରତିବନ୍ଧକ ସାଜିଥିଲା।  ‘କୁଲିଂ ଅଫ୍’ ନିୟମ ସଂଶୋଧନ କରିବା ପାଇଁ ବିସିସିଆଇ ୨୦୧୯ରେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲା।

ବିସିସିଆଇ ପ୍ରଶାସନରେ ସଂସ୍କାର ଆଣିବାକୁ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଆରଏମ୍ ଲୋଧାଙ୍କ ଅଧ୍ୟକ୍ଷତାରେ ଏକ କମିଟି ଅନେକ ସୁପାରିସ କରିଥିଲା । ସେଥିମଧ୍ୟରୁ ‘କୁଲିଂ ଅଫ୍’ ନିୟମ ଅନ୍ୟତମ ।

ଉଲ୍ଲେଖଯୋଗ୍ୟ,  ଅକ୍ଟୋବର ୨୦୧୯ରେ ଗାଙ୍ଗୁଲି ଏବଂ ଶାହା ଯଥାକ୍ରମେ ବିସିସିଆଇ ସଭାପତି ଓ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ଉଭୟଙ୍କ କାର୍ଯ୍ୟକାଳ  ସେପ୍ଟେମ୍ବରରେ ଶେଷ ହେଉଛି ।