ବିଶ୍ବର ସବୁଠୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ତୃତୀୟ ସ୍ଥାନରେ ଗୌତମ ଆଦାନୀ | News Room Odisha

ବିଶ୍ବର ସବୁଠୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ତୃତୀୟ ସ୍ଥାନରେ ଗୌତମ ଆଦାନୀ

ନୂଆଦିଲ୍ଲୀ: ବିଶ୍ବର ସବୁଠୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ଆଦାନୀ ଗ୍ରୁପ୍‌ର ଚେୟାରମ୍ୟାନ୍ ଗୌତମ ଆଦାନୀ ଆଉ ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି । ତାଙ୍କ ସମ୍ପତ୍ତି ଦିନକୁ ଦିନ ବଢ଼ିଚାଲିଥିବା ବେଳେ ଏହି ଭାରତୀୟ ଉଦ୍ୟୋଗପତି ଏବେ ଫ୍ରାନ୍ସର ବ୍ୟବସାୟୀ ବର୍ନାର୍ଡ ଆର୍ନଲ୍ଟଙ୍କୁ ପଛରେ ପକାଇ ବିଶ୍ବର ତୃତୀୟ ଧନୀ ବ୍ୟକ୍ତି ହୋଇଛନ୍ତି । ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ଗୌତମ ଆଦାନୀଙ୍କ ସମ୍ପତ୍ତି ୧୩୭.୪ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି ।

ଗୌତମ ଆଦାନୀ ହେଉଛନ୍ତି ପ୍ରଥମ ଏସୀୟ ଯିଏକି ବିଶ୍ବ ଧନୀ ବ୍ୟକ୍ତି ତାଲିକାର ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି। ଚୀନ୍‌ର ଜ୍ୟାକ୍ ମା ଏବଂ ଭାରତର ମୁକେଶ ଅମ୍ବାନୀ ମଧ୍ୟ ଏହି ସ୍ଥାନରେ କେବେ ପହଞ୍ଚି ପାରିନାହାଁନ୍ତି। ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ତାଲିକାରେ ତୃତୀୟ ସ୍ଥାନରେ ପହଞ୍ଚି ଗୌତମ ଆଦାନୀ ଏସିଆ ଏବଂ ଭାରତ ପାଇଁ ଏହି ସଫଳତା ହାସଲ କରିଛନ୍ତି।

ଟେସଲା ସିଇଓ ଏଲନ୍ ମସ୍କ ଏବଂ ଆମାଜନ ପ୍ରତିଷ୍ଠାତା ଜେଫ୍ ବେଜୋସ୍ ସମ୍ପ୍ରତି ବିଶ୍ୱ ଧନୀ ତାଲିକାରେ ଗୌତମ ଆଦାନୀଙ୍କଠାରୁ ଆଗରେ ଅଛନ୍ତି। ଏଲନ୍ ମସ୍କ ଏବଂ ଜେଫ୍ ବେଜୋସ୍ ଦୀର୍ଘ ଦିନରୁ ପ୍ରଥମ ସ୍ଥାନରେ ରହିଆସିଛନ୍ତି, କିନ୍ତୁ ଗୌତମ ଆଦାନୀ ତୃତୀୟ ସ୍ଥାନରେ ବିଖ୍ୟାତ ଫ୍ରେଞ୍ଚ ଲଗଜରୀ ଫ୍ୟାଶନ୍ କମ୍ପାନୀ ଏଲଭିଏମ୍ଏଚ୍ ମୋଏଟ୍ ହେନେସି ଲୁଇ ଭ୍ୟୁଟନ୍ ମାଲିକ ବର୍ନାର୍ଡ ଆର୍ନାଲ୍ଟଙ୍କୁ ପଛରେ ପକାଇ ଦେଇଛନ୍ତି ।

ଏହି ତାଲିକାରେ ଗୌତମ ଆଦାନୀ ତୃତୀୟ ସ୍ଥାନରେ ଅଛନ୍ତି ଏବଂ ତାଙ୍କର ସମ୍ପତ୍ତି ୧୩୭.୪ ବିଲିୟନ ଡ଼ଲାରରେ ପହଞ୍ଚି ଯାଇଛି। ପ୍ରଥମ ସ୍ଥାନରେ ଥିବା ଏଲନ୍ ମସ୍କଙ୍କ ମୋଟ ସମ୍ପତ୍ତି ହେଉଛି ୨୫୧ ବିଲିୟନ ଡ଼ଲାର୍ | ଦ୍ୱିତୀୟ ସ୍ଥାନରେ ଥିବା ଜେଫ୍ ବେଜୋସଙ୍କ ମୋଟ ସମ୍ପତ୍ତି ୧୫୩ ବିଲିୟନ ଡ଼ଲାର୍ | ଚତୁର୍ଥ ସ୍ଥାନକୁ ଖସି ଆସିଥିବା ବର୍ଣ୍ଣାଡ ଆର୍ନାଲ୍ଟଙ୍କ ନେଟ୍ ମୂଲ୍ୟରେ ୧.୩୭ ବିଲିୟନ ଡ଼ଲାର କମି ୧୩୬ ବିଲିୟନ ଡ଼ଲାରକୁ ଖସି ଆସିଛି। ଭାରତର ମୁକେଶ ଅମ୍ବାନୀ ଏହି ତାଲିକାର ଶ୍ରେଷ୍ଠ ୧୦ରୁ ବାଦ୍ ପଡିଛନ୍ତି । ଅମ୍ବାନୀଙ୍କ ସମ୍ପତ୍ତି ମୂଲ୍ୟ ୯୧.୯ ବିଲିୟନ ଡ଼ଲାର ଆକଳନ କରାଯାଇଛି