ଚୟନକର୍ତ୍ତାଙ୍କ ଉପରେ ବର୍ଷିଲେ ଗାଭାସ୍କର, କହିଲେ ପୂଜାରାଙ୍କୁ 'ବଳିବୋଦା' କରାଯାଉଛି | News Room Odisha

ଚୟନକର୍ତ୍ତାଙ୍କ ଉପରେ ବର୍ଷିଲେ ଗାଭାସ୍କର, କହିଲେ ପୂଜାରାଙ୍କୁ ‘ବଳିବୋଦା’ କରାଯାଉଛି

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ ସିରିଜ୍ ଏବଂ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଟେଷ୍ଟ ଦଳରୁ ଚେତେଶ୍ୱର ପୂଜାରାଙ୍କୁ ବାଦ୍ ଦିଆଯାଇଛି । ପୂଜାରାଙ୍କୁ ଟେଷ୍ଟ ଦଳରୁ ବାଦ୍ ଦିଆଯିବା ନିଷ୍ପତ୍ତିରେ ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ଖୁସି ନୁହଁନ୍ତି। ଗାଭାସ୍କର କହିଛନ୍ତି ଯେ ଦଳର ବ୍ୟାଟିଂ ବିଫଳତା ପାଇଁ ପୂଜାରାଙ୍କୁ ‘ବଳି’ ପକାଯାଇଛି । ଦଳର ଅନ୍ୟ ବ୍ୟାଟ୍ସମ୍ୟାନମାନେ ମଧ୍ୟ ଫ୍ଲପ୍ ହୋଇଥିବା ବେଳେ କେବଳ ପୂଜାରାଙ୍କୁ ହିଁ କାହିଁକି ବାଦ୍ ଦିଆଗଲା ବୋଲି ଗାଭାସ୍କର ପ୍ରଶ୍ନ କରିଛନ୍ତି ।

ଗାଭାସ୍କର କହିଛନ୍ତି, ପୂଜାରା ଭାରତୀୟ କ୍ରିକେଟର ଜଣେ ନିରବ ତଥା ପ୍ରତିବଦ୍ଧ ସେବକ । କିନ୍ତୁ ସୋସିଆଲ ମିଡିଆରେ ତାଙ୍କର ଏତେ ଅନୁଗାମୀ ନାହାଁନ୍ତି ଯିଏକି ତାଙ୍କ ସପକ୍ଷରେ ଯୁକ୍ତି କରିପାରିବେ, ସ୍ଲୋଗାନ ଦେବେ ଏବଂ ବିସିସିଆଇକୁ ଟ୍ରୋଲ କରିବେ | ତେଣୁ ସେ ଦଳରୁ ବାଦ୍ ପଡିଛନ୍ତି । ଯଦି ଦଳରୁ ବାଦ୍ ପଡ଼ିବା ପାଇଁ କୌଣସି ମାନଦଣ୍ଡ ଅଛି ତେବେ ଏହା ସମସ୍ତଙ୍କ ପାଇଁ ଲାଗୁ ହେବା ଉଚିତ।

ରଣଜୀ ଟ୍ରଫିରେ କ୍ରମାଗତ ଭଲ ପ୍ରଦର୍ଶନ ସତ୍ତ୍ୱେ ମୁମ୍ବାଇର ଯୁବ ବ୍ୟାଟ୍ସମ୍ୟାନ ସରଫରାଜ ଖାନଙ୍କୁ ପୁଣି ଅଣଦେଖା କରାଯାଇଛି । ଏନେଇ ଗାଭାସ୍କର ଚୟନକର୍ତ୍ତା ମାନଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ରଣଜୀ ପ୍ରଦର୍ଶନ ପରିବର୍ତ୍ତେ ଟେଷ୍ଟ ପାଇଁ ଆଇପିଏଲ୍ ପ୍ରଦର୍ଶନକୁ ଗୁରୁତ୍ବ ଦିଆଯାଉଛି ।

ଗାଭାସ୍କର ଆହୁରି ମଧ୍ୟ କହିଛନ୍ତି ଯେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ପାଇଁ ଚୟନକର୍ତ୍ତାଙ୍କୁ ଅଧିକରୁ ଅଧିକ ଯୁବ ଖେଳାଳି ଚୟନ କରିବା ଉଚିତ ଥିଲା । ରୋହିତ ଶର୍ମା, ବିରାଟ କୋହଲିଙ୍କ ଭଳି ଖେଳାଳିଙ୍କୁ ବିଶ୍ରାମ ଦିଆଯିବାର ଥିଲା । ଏହି ବର୍ଷ ବିଶ୍ୱକପ୍ ଅଛି । ସିନିୟର ଖେଳାଳିମାନେ ସମ୍ପ୍ରତି ଲଗାତାର କ୍ରିକେଟ୍ ଖେଳୁଛନ୍ତି | ଏହି ବରିଷ୍ଠ ଖେଳାଳିମାନଙ୍କୁ ବିଶ୍ରାମ ଦିଆଯିବା ଉଚିତ୍ |

ଉଲ୍ଲେଖଯୋଗ୍ୟ, ଗତ ପାଞ୍ଚ ବର୍ଷ ଧରି ପୂଜାରାଙ୍କ ବ୍ୟାଟରୁ ବେଶୀ ରନ୍ ବାହାରି ନାହିଁ। ଗତ ବର୍ଷ ଡିସେମ୍ବରରେ ବାଂଲାଦେଶ ବିପକ୍ଷ ଟେଷ୍ଟ ମ୍ୟାଚରେ ସେ ଶେଷ ଥର ପାଇଁ ଏକ ଶତକ ହାସଲ କରିଥିଲେ । ପ୍ରାୟ ୧୪୪୩ ଦିନ ପରେ ତାଙ୍କ ବ୍ୟାଟରୁ ଶତକ ବାହାରିଥିଲା। ଏହାଛଡ଼ା ନିକଟରେ ଡବ୍ଲୁଟିସି ଫାଇନାଲରେ ସେ ଉଭୟ ଇନିଂସରେ ବିଫଳ ହୋଇଥିଲେ । ପୂଜାରାଙ୍କ ବ୍ୟତୀତ ଭାରତର ଅନ୍ୟ ଷ୍ଟାର ବ୍ଯାଟର ମଧ୍ୟ ଫ୍ଲପ୍ ହୋଇଥିଲେ । କିନ୍ତୁ ଓ୍ବେଷ୍ଟଇଣ୍ଡିଜ ଗସ୍ତରୁ କେବଳ ପୂଜାରାଙ୍କୁ ହିଁ ବାଦ୍ ଦେଇଛନ୍ତି ଚୟନକର୍ତ୍ତା ।