ଧୋନିଙ୍କ 'ଅଟୋଗ୍ରାଫ୍' ନେଲେ ଗାଭାସ୍କର | News Room Odisha

ଧୋନିଙ୍କ ‘ଅଟୋଗ୍ରାଫ୍’ ନେଲେ ଗାଭାସ୍କର

ଚେନ୍ନାଇ: ଭାରତୀୟ କ୍ରିକେଟର ଜଣେ କିମ୍ବଦନ୍ତୀ ନେଲେ ଆଉ ଜଣେ କିମ୍ବଦନ୍ତୀ ଖେଳାଳିଙ୍କ ଅଟୋଗ୍ରାଫ୍ । ରବିବାର ଏଠାରେ ଚେନ୍ନାଇ ସୁପରକିଙ୍ଗ୍ସ-କେକେଆର୍ ମ୍ୟାଚ୍ ପରେ ଏଭଳି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା। କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ଦେଶର ସବୁଠୁ ସଫଳ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଅଟୋଗ୍ରାଫ୍ ନେଇଥିଲେ ।

ବିଶ୍ଵର ଅନେକ ଶ୍ରେଷ୍ଠ ବୋଲରଙ୍କ ସାମ୍ନା ପୂର୍ବକ ଟେଷ୍ଟ କ୍ରିକେଟରେ ୧୦,୦୦୦ ରୁ ଅଧିକ ରନ୍ ସଂଗ୍ରହ କରିଥିବା ଗାଭାସ୍କର କେକେଆର୍-ଚେନ୍ନାଇ ସୁପରକିଙ୍ଗ୍ସ ମ୍ୟାଚ୍ ପରେ ତାଙ୍କ ସାର୍ଟରେ ଧୋନିଙ୍କ ଠାରୁ ଅଟୋଗ୍ରାଫ୍ ନେଇଥିଲେ।

ଚଳିତ ସିଜନରେ ଚେପକ୍ ଗ୍ରାଉଣ୍ଡରେ ଚେନ୍ନାଇ ସୁପର କିଙ୍ଗ୍ସର ଏହା ଶେଷ ମ୍ୟାଚ୍ ଥିଲା | ମ୍ୟାଚ୍ ପରେ ୪୧ ବର୍ଷୀୟ ଧୋନି ଟେନିସ୍ ର଼୍ୟାକେଟ୍ ଏବଂ ଟେନିସ୍ ବଲ୍ ସହ ପଡିଆକୁ ଆସି ର଼୍ୟାକେଟ୍ ସାହାଯ୍ୟରେ ଉପସ୍ଥିତ ଦର୍ଶକଙ୍କ ଆଡ଼କୁ ବଲ୍ ଫିଙ୍ଗୁଥିଲେ |

ଏହି ସମୟରେ ଗାଭାସ୍କର ତାଙ୍କ ନିକଟକୁ ଦୌଡ଼ି ଆସି ଅଟୋଗ୍ରାଫ୍ ମାଗିଥିଲେ । ଗାଭାସ୍କରଙ୍କ ଛାତି ନିକଟରେ ତାଙ୍କ ସାର୍ଟରେ ଅଟୋଗ୍ରାଫ୍ ଦେଇଥିଲେ ଧୋନି। ପରେ ଏହି ଦୁଇ ମହାନ ଖେଳାଳି ପରସ୍ପରକୁ ଆଲିଙ୍ଗନ କରିଥିଲେ । ଏହି ଦୃଶ୍ୟ ଦେଖନ୍ତି ଉଭୟ ଦର୍ଶକ ଓ ବିଶେଷଜ୍ଞ ମାନଙ୍କୁ ରୋମାଞ୍ଚିତ କରିଥିଲା ।

ଚଳିତ ସିଜନରେ ଯେତେବେଳେ ଧୋନି ଚେନ୍ନାଇ ପାଇଁ ଅଧିନାୟକ ଭାବେ ୨୦୦ ତମ ମ୍ୟାଚ୍ ଖେଳିଥିଲେ, ଗାଭାସ୍କର ତାଙ୍କୁ ଆଇପିଏଲ୍ ଇତିହାସର ଶ୍ରେଷ୍ଠ ଅଧିନାୟକ ବୋଲି କହିଥିଲେ।

ଚଳିତ ବର୍ଷ ଏପ୍ରିଲ ୧୭ରେ ଗାଭାସ୍କର କହିଥିଲେ, “କଠିନ ପରିସ୍ଥିତିରୁ କିପରି ମୁକୁଳିବାକୁ ହୁଏ ଚେନ୍ନାଇ ସୁପର କିଙ୍ଗ୍ସ ଦଳ ତାହା ଜାଣେ । ଏହା କେବଳ ଧୋନିଙ୍କ ଅଧିନାୟକତ୍ୱରେ ସମ୍ଭବ ହୋଇଛି।

ଗାଭାସ୍କର କହିଥିଲେ, ଯେକୌଣସି ଫ୍ରାଞ୍ଚାଇଜ୍ ପାଇଁ ୨୦୦ ମ୍ୟାଚର କ୍ୟାପଟେନ୍ସି କରିବା ବେଶ୍ କଷ୍ଟକର । ଅଧିନାୟକତ୍ୱ ଏପରି ଏକ ବୋଝ ଯାହା ଖେଳାଳିଙ୍କ ପ୍ରଦର୍ଶନକୁ ପ୍ରଭାବିତ କରିଥାଏ । କିନ୍ତୁ ମାହି (ଧୋନି) ଜଣେ ଭିନ୍ନ ଅଧିନାୟକ | ତାଙ୍କ ପରି ଅଧିନାୟକ ନା‌ କେହି ଥିଲେ ନା ଭବିଷ୍ୟତରେ ରହିବେ ।

ଧୋନି ବିଶ୍ୱର ଏକମାତ୍ର ଅଧିନାୟକ ଯିଏକି ଟି-୨୦ ଓ ଦିନିକିଆ ବିଶ୍ୱକପ ବ୍ୟତୀତ ଚାମ୍ପିଅନ୍ସ ଟ୍ରଫି ଜିତିଛନ୍ତି। ସେ ଆଇପିଏଲରେ ଚାରିଟି ଟାଇଟଲ୍ ଜିତିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ (ପାଞ୍ଚ ଟାଇଟଲ୍) ପରେ ତାଙ୍କ ଦଳ ଏହି ଲିଗ୍ ର ଦ୍ୱିତୀୟ ସଫଳ ଦଳ ।