ଉଦୟପୁର ହତ୍ୟାକାଣ୍ଡ ଅଭିଯୁକ୍ତଙ୍କୁ ବଞ୍ଚାଇବା ପାଇଁ ଥାନାକୁ ଫୋନ କରିଥିଲେ ବିଜେପି ନେତା: ଗେହଲୋଟ୍ | News Room Odisha

ଉଦୟପୁର ହତ୍ୟାକାଣ୍ଡ ଅଭିଯୁକ୍ତଙ୍କୁ ବଞ୍ଚାଇବା ପାଇଁ ଥାନାକୁ ଫୋନ କରିଥିଲେ ବିଜେପି ନେତା: ଗେହଲୋଟ୍

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ କହ୍ନେୟା ଲାଲ ହତ୍ୟା ମାମଲାର ଅଭିଯୁକ୍ତଙ୍କ ସହ ବିଜେପିର ସମ୍ପର୍କ ଥିବା ଅଭିଯୋଗ କରିଛନ୍ତି।

ରାଷ୍ଟ୍ରପତି ପଦ ପାଇଁ ବିରୋଧୀ ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନାଙ୍କ ସହ ଜୟପୁରରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଶୋକ ଗେହଲୋଟ୍ ଏଭଳି ଅଭିଯୋଗ କରିଛନ୍ତି । ଗେହଲୋଟ୍ କହିଛନ୍ତି, ” କହ୍ନେୟାଲାଲ ହତ୍ୟା ଅଭିଯୁକ୍ତ ଓ ବିଜେପି ମଧ୍ୟରେ କେଉଁ ସ୍ତରର ସମ୍ପର୍କ ଅଛି ସେ ବିଷୟରେ ସୋସିଆଲ ମିଡିଆରୁ ଅନେକ କିଛି ସ୍ପଷ୍ଟ ହୋଇଯାଇଥିଲା । ଏହା ସମସ୍ତେ ଜାଣନ୍ତି। ନିକଟରେ ସେମାନେ ଯେଉଁ ଘରେ ଭଡ଼ାଟିଆ ଭାବେ ରହୁଥିଲେ, ସେହି ଘରର ମାଲିକ ମଧ୍ୟ ଜଣେ ମୁସଲମାନ ଥିଲେ। ସେ ପୋଲିସ ନିକଟରେ ଅଭିଯୋଗ କରିଥିଲେ ଯେ ସେମାନେ ତାଙ୍କୁ ଧମକ ଦେଉଛନ୍ତି, ହଇରାଣ କରୁଛନ୍ତି ଏବଂ ଭଡ଼ା ଦେଉ ନାହାଁନ୍ତି। ହେଲେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ବିଜେପି ନେତାମାନେ ଥାନାକୁ ଫୋନ୍ କରି ଏମାନେ (ଅଭିଯୁକ୍ତ) ଆମର କର୍ମୀ ଏବଂ ସେମାନଙ୍କୁ ହଇରାଣ ନ କରିବାକୁ କହିଥିଲେ। ”

ଗେହଲୋଟ୍ କହିଛନ୍ତି, “ଏପରି ଜଘନ୍ୟ ଅପରାଧ କରିଥିବା ବ୍ୟକ୍ତି କାହାର କୋଳରେ ବସିଥିଲେ ଏବଂ ଯାହାଙ୍କ ସହ ତାଙ୍କର ସମ୍ପର୍କ ଥିଲା, ତାହା ଏବେ ସର୍ବବିଦିତ ହୋଇଯାଇଛି । ଏବେ ସେହି ଲୋକମାନଙ୍କୁ (ବିଜେପି) ଏହାର ଉତ୍ତର ଦେବାକୁ ପଡ଼ିବ।”

ଜୁନ୍ ୨୮ ରେ ଦରଜୀ କହ୍ନେୟା ଲାଲଙ୍କୁ ରାଜସ୍ଥାନର ଉଦୟପୁରରେ ତାଙ୍କ ଦୋକାନରେ ପଶି ଦୁଇ ଜଣ ମୁସଲିମ ଯୁବକ ଗଳାକାଟି ହତ୍ୟା କରିଥିଲେ । ପରେ ଏହାର ଏକ ଭିଡିଓ ରେକର୍ଡ କରିଥିଲେ। ନୂପୁର ଶର୍ମାଙ୍କ ସମର୍ଥନରେ ସୋସିଆଲ ମିଡ଼ିଆ ପୋଷ୍ଟ ପାଇଁ କହ୍ନେୟା ଲାଲଙ୍କୁ ହତ୍ୟା କରାଯାଇଥିବା ସେମାନେ ଦାବି କରିଥିଲେ।

ହତ୍ୟାକାଣ୍ଡରେ ସମ୍ପୃକ୍ତ ଉଭୟ ଅଭିଯୁକ୍ତ ମହମ୍ମଦ ରିଆଜ ଏବଂ ଘାଉସ୍ ମହମ୍ମଦକୁ ସେହି ଦିନ ପୋଲିସ ଗିରଫ କରିଥିଲା।