ରାଜସ୍ଥାନ ସଙ୍କଟ: ଆଜି ସୋନିଆଙ୍କୁ ରିପୋର୍ଟ ଦେବେ ମାକେନ: କଂଗ୍ରେସ ସଭାପତି ରେସରୁ ବାଦ୍ ପଡିପାରନ୍ତି ଗେହଲୋଟ୍ | News Room Odisha

ରାଜସ୍ଥାନ ସଙ୍କଟ: ଆଜି ସୋନିଆଙ୍କୁ ରିପୋର୍ଟ ଦେବେ ମାକେନ: କଂଗ୍ରେସ ସଭାପତି ରେସରୁ ବାଦ୍ ପଡିପାରନ୍ତି ଗେହଲୋଟ୍

ନୂଆଦିଲ୍ଲୀ / ଜୟପୁର: ରାଜସ୍ଥାନ କଂଗ୍ରେସରେ ସଙ୍କଟ ନେଇ ଉଭୟ ପର୍ଯ୍ୟବେକ୍ଷକ ମଲ୍ଲିକାର୍ଜୁନ ଖଡଗେ ଏବଂ ଅଜୟ ମାକେନ ମଙ୍ଗଳବାର ଦଳର ସଭାପତି ସୋନିଆ ଗାନ୍ଧୀଙ୍କ ନିକଟରେ ଲିଖିତ ରିପୋର୍ଟ ଦାଖଲ କରିବେ।

ସୂତ୍ରରୁ ପ୍ରକାଶ ଯେ ଏହି ରିପୋର୍ଟ ଆଧାରରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ଅନୁଗତ ବିବେଚିତ ହେଉଥିବା କିଛି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ।

ରାଜସ୍ଥାନର ଏହି ସମଗ୍ର ଘଟଣାକ୍ରମ ଗେହଲୋଟଙ୍କୁ ମହଙ୍ଗା ପଡ଼ିପାରେ । କଂଗ୍ରେସ ସଭାପତି ପଦ ପାଇଁ ଏକଦା ମୁଖ୍ୟ ଦାବିଦାର କୁହାଯାଉଥିବା ଗେହଲୋଟ୍ ଏବେ ଏହି ରେସରୁ ବାଦ୍ ପଡ଼ିପାରନ୍ତି | ଏପରିକି ତାଙ୍କ ମୁଖ୍ୟମନ୍ତ୍ରୀ ଚୌକି ବି ଯାଇପାରେ । ବର୍ତ୍ତମାନ କଂଗ୍ରେସ ସଭାପତି ପଦ ପାଇଁ କମଲ ନାଥ, ଦିଗବିଜୟ ସିଂହ, ମୁକୁଲ ୱାସନିକ, ମଲ୍ଲିକାର୍ଜୁନ ଖଡଗେ, କୁମାରୀ ସୈଲଜା ଏବଂ ଅନ୍ୟ କିଛି ବରିଷ୍ଠ ନେତାଙ୍କ ନାଁ ଚର୍ଚ୍ଚା ହେଉଛି । ଉଲ୍ଲେଖଥାଉ କି, ସେ ସଭାପତି ପଦ ପାଇଁ ଆଗ୍ରହୀ ନୁହଁନ୍ତି ବୋଲି କମଲ ନାଥ କହିସାରିଛନ୍ତି ।

ରବିବାର ଜୟପୁରରେ ରାଜସ୍ଥାନ କଂଗ୍ରେସର ବିଧାୟକ ଦଳ ବୈଠକ ଡକାଯାଇଥିଲା । ତେବେ ଅଶୋକ ଗେହଲୋଟଙ୍କ ପ୍ରତିଦ୍ବନ୍ଦୀ କୁହାଯାଉଥିବା ସଚିନ ପାଇଲଟ୍‌ଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇପାରେ ବୋଲି ଭାବି ଗେହଲୋଟ୍ କ୍ୟାମ୍ପର ପ୍ରାୟ ୯୦ ବିଧାୟକ ବିଦ୍ରୋହ କରିଥିଲେ । ସେମାନେ ଏହି ବୈଠକକୁ ନ ଆସି ପାର୍ଟି ହାଇ କମାଣ୍ଡ ଉପରେ ଚାପ ପକାଇବା ପାଇଁ ବିଧାନସଭା ବାଚସ୍ପତି ପିସି ଯୋଶୀଙ୍କୁ ଭେଟି ସମୂହ ଇସ୍ତଫା ଦେଇଥିଲେ । ଅବଶ୍ୟ ବାଚସ୍ପତି ସେମାନଙ୍କ ଇସ୍ତଫା ଗ୍ରହଣ କରିନଥିଲେ।

ବିଧାୟକ ଦଳର ବୈଠକ ହୋଇ ନପାରିବା ଏବଂ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କୁ ସମର୍ଥନ କରୁଥିବା ବିଧାୟକମାନଙ୍କ ବିଦ୍ରୋହ ନେଇ ଖଡଗେ ଓ ମାକେନ୍ ସୋମବାର ଦିଲ୍ଲୀ ଫେରି କଂଗ୍ରେସ ସଭାପତିଙ୍କ ସୋନିଆ ଗାନ୍ଧୀଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ।