ଗିଲ୍, ଆୟର ଓ ସୂର୍ଯ୍ୟଙ୍କ ଚମକ: ସିରିଜ୍ ଜିତିଲା ଭାରତ | News Room Odisha

ଗିଲ୍, ଆୟର ଓ ସୂର୍ଯ୍ୟଙ୍କ ଚମକ: ସିରିଜ୍ ଜିତିଲା ଭାରତ

ଇନ୍ଦୋର : ଶୁଭମାନ ଗିଲ୍ ଓ ଶ୍ରେୟସ ଆୟରଙ୍କ ଚମତ୍କାର ଶତକ ସାଙ୍ଗକୁ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ପାଳି ବଳରେ ଭାରତ ଦ୍ବିତୀୟ ଦିନିକିଆରେ ଅଷ୍ଟ୍ରେଲିଆକୁ ୯୯ ରନରେ ହରାଇ ଦେଇଛି । ଏଥିସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ ଆଗୁଆ କବଜା କରିନେଇଛି ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଗିଲ୍ ଓ ଆୟରଙ୍କ ଶତକ ବଳରେ ୫ ଓ୍ବିକେଟ୍ ହରାଇ ୩୯୯ ରନର ବିଶାଳ ସ୍କୋର କରିଥିଲା । ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ଏହା ସର୍ବୋଚ୍ଚ ସ୍କୋର। ତେବେ ବର୍ଷା ଯୋଗୁଁ ଅଷ୍ଟ୍ରେଲିଆ ପାଇଁ ୩୩ ଓଭରରେ ୩୧୭ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆ ୨୮.୨ ଓଭରରେ ୨୧୭ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଭାରତ ତରଫରୁ ଅଶ୍ବିନ ଓ ଜାଡେଜା ୩ଟି ଲେଖାଏଁ ୱିକେଟ୍ ନେଇଥିଲେ । ପ୍ରସିଦ୍ଧ କ୍ରିଷ୍ଣା ୨ଟି ଓ୍ବିକେଟ୍ ପାଇଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ସନ୍ ଆବଟ୍ ୫୪ ଓ ଡେଭିଡ୍ ଓ୍ବାର୍ଣ୍ଣର ୫୩ ରନ୍ କରିଥିଲେ ।

ପୂର୍ବରୁ ଅଷ୍ଟ୍ରେଲିଆର କାମଚଳା ଅଧିନାୟକ ଷ୍ଟିଭ୍ ସ୍ମିଥ୍ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ । ଭାରତ ପକ୍ଷରୁ ଶୁଭମାନ ଗିଲ୍ ଏବଂ ଋତୁରାଜ ଗାଏକ୍ୱାଡ୍ ପାଳି ଆରମ୍ଭ କରିଥିଲେ। ୧୨ ବଲ୍ ଖେଳି ୮ ରନରେ ଆଉଟ୍ ହୋଇ ଯାଇଥିଲେ ଋତୁରାଜ। ଏହାପରେ ଶୁଭମାନଙ୍କ ସାଥ୍ ଦେଇଥିଲେ ଶ୍ରେୟସ୍। ଗିଲଙ୍କ ବ୍ୟାଟ୍ କାମ କରିବା ବେଳକୁ ବର୍ଷା ସାଜିଥିଲା ବାଧକ।

ବର୍ଷା ବେଳକୁ ୯ ଓଭରରେ ଦଳ ୭୯ ରନ୍ ସଂଗ୍ରହ କରିଥିଲା। ବର୍ଷା ଛାଡ଼ିବା ପରେ ପୁଣି ଖେଳ ଆରମ୍ଭରେ ଅଷ୍ଟ୍ରେଲୀୟ ବୋଲରଙ୍କ ଧୂଲେଇ କରିଥିଲେ ଶ୍ରେୟସ୍ ଓ ଶୁଭମାନ। ଉଭୟ ଶତକୀୟ ପାଳି ଖେଳି ଦଳୀୟ ସ୍କୋରକୁ ୨୧୬ରେ ପହଞ୍ଚାଇଥିଲେ। ଏହାପରେ ଶ୍ରେୟସ ୧୦୫(୯୦) ରନ୍ କରି ପାଭିଲିଅନ୍ ଫେରି ଯାଇଥିଲେ। ଏହା ଦିନିକିଆରେ ତାଙ୍କର ତୃତୀୟ ଶତକ ଥିଲା । ସେ ୯୦ ବଲ୍ ଖେଳିଥିବା ବେଳେ ୧୧ଟି ଚୌକା ଓ ୩ଟି ଛକା ମାରିଥିଲେ । ଆୟରଙ୍କ ପରେ କ୍ରିଜରେ ଗିଲଙ୍କ ସହ ଏକାଠି ହୋଇଥିଲେ ରାହୁଲ୍। ଗିଲ୍ ମଧ୍ୟ କ୍ୟାରିୟରର ଷଷ୍ଠ ଶତକ ପୂରଣ କରିଥିଲେ । ତେବେ ଶତକ ପରେ ସେ ଆଉଟ୍ ହୋଇଯାଇଥିଲେ । ଏହି ଉଦୀୟମାନ ବ୍ୟାଟ୍ସମ୍ୟାନ ୯୭ଟି ବଲରେ ୬ଟି ଚୌକା ଓ ୪ଟି ଛକା ସହ ୧୦୪ ରନର‌ ଆକର୍ଷଣୀୟ ପାଳି‌ ଖେଳିଥିଲେ ।

ଏହାପରେ ପଡିଆକୁ ଓହ୍ଲାଇ ଛକା, ଚୌକା ବର୍ଷା କରିଥିଲେ ସୂର୍ଯ୍ୟକୁମାର ଯାଦବ। ସେ ମାତ୍ର ୩୭ ବଲରେ ଧୂଆଁଧାର ୭୨ ରନ୍ କରି ଦଳକୁ ଏକ ବଡ଼ ସ୍କୋର୍ ଅଭିମୁଖେ ନେଇଥିଲେ। ଟୁର୍ଣ୍ଣାମେଣ୍ଟରେ ଏହି ତାଙ୍କ ଲଗାତାର ଦ୍ବିତୀୟ ଅର୍ଦ୍ଧଶତକ ଥିଲା । କ୍ୟାପଟେନ କେଏଲ ରାହୁଲ୍ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୩୮ ବଲରେ ୫୨ ରନ୍ କରିଥିଲେ। ରାହୁଲଙ୍କୁ ଗ୍ରୀନ୍ ବୋଲ୍ଡ କରିବା ପରେ ଆସିଥିଲେ ରବିନ୍ଦ୍ର ଜାଡେଜା। ସେ ଅପରାଜିତ ୧୩ ରନ୍ କରିଥିଲେ । ଭାରତ ଶେଷ ୧୦ ଓଭରରେ ୧୦୩ ରନ୍ ସଂଗ୍ରହ କରିଥିଲା । ଅଷ୍ଟ୍ରେଲିଆର ପ୍ରାୟ ସବୁ ବୋଲର ବେଶ୍ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ।