ହସ୍ପିଟାଲରୁ ଡିସଚାର୍ଜ ହେଲେ ଗିଲ୍, ପାକିସ୍ତାନ ବିପକ୍ଷ ମ୍ୟାଚରୁ ବି ବଞ୍ଚିତ ହୋଇପାରନ୍ତି | News Room Odisha

ହସ୍ପିଟାଲରୁ ଡିସଚାର୍ଜ ହେଲେ ଗିଲ୍, ପାକିସ୍ତାନ ବିପକ୍ଷ ମ୍ୟାଚରୁ ବି ବଞ୍ଚିତ ହୋଇପାରନ୍ତି

ନୂଆଦିଲ୍ଲୀ: ଡେଙ୍ଗୁରେ ଆକ୍ରାନ୍ତ ଭାରତର ଓପନିଂ ବ୍ୟାଟ୍ସମ୍ୟାନ୍ ଶୁଭମାନ ଗିଲଙ୍କ ପ୍ଲେଟଲେଟ୍ ଲକ୍ଷେ ତଳକୁ କମିଯିବାରୁ ତାଙ୍କୁ ଚେନ୍ନାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗିଲଙ୍କୁ ବର୍ତ୍ତମାନ ଡିସଚାର୍ଜ କରାଯାଇଛି । ହେଲେ ଅକ୍ଟୋବର ୧୪ରେ ଅହମ୍ମଦାବାଦରେ ପାକିସ୍ତାନ ବିପକ୍ଷ ହାଇ ଭୋଲଟେଜ୍ ମ୍ୟାଚରୁ ମଧ୍ୟ ସେ ବଞ୍ଚିତ ହବା ସମ୍ଭାବନା ରହିଛି ।

ତାଙ୍କ ପ୍ଲେଟଲେଟ୍ ହ୍ରାସ ପାଇବା ପରେ ରବିବାର ରାତିରେ ଗିଲଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଥିଲା । ସେ ଅକ୍ଟୋବର ୮ରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚ୍ ଖେଳିପାରିନଥିଲେ।

ଗତ ସପ୍ତାହରେ ଚେନ୍ନାଇ ଆସିବା ପରେ ଗିଲ୍ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା । ସେ ବୁଧବାର ଆଫଗାନିସ୍ତାନ ବିପକ୍ଷରେ ଭାରତର ଦ୍ୱିତୀୟ ମ୍ୟାଚ୍ ମଧ୍ୟ ଖେଳିପାରିବେ ନାହିଁ ।

ବିସିସିଆଇର ଏକ ସୂତ୍ରରୁ ପ୍ରକାଶ, ଚେନ୍ନାଇର ଟିମ୍ ହୋଟେଲରେ ଶୁଭମାନଙ୍କୁ ଡ୍ରିପ୍ ଦିଆଯାଉଥିଲା । କିନ୍ତୁ ତାଙ୍କ ପ୍ଲେଟଲେଟ୍ ସଂଖ୍ୟା ୭୦,୦୦୦ କୁ ହ୍ରାସ ପାଇଥିଲା | ଥରେ ପ୍ଲେଟଲେଟ୍ କାଉଣ୍ଟ୍ ଏକ ଲକ୍ଷରୁ କମ୍ ହୋଇଗଲେ ଡାକ୍ତରଖାନାରେ ଭର୍ତ୍ତି ହେବା ଜରୁରୀ ହୋଇଯାଏ | ପ୍ଲେଟଲେଟ୍ କାଉଣ୍ଟ୍ ଏକ ଲକ୍ଷରୁ ଅଧିକ ହେବା ପରେ ରୋଗୀଙ୍କୁ ଡିସଚାର୍ଜ କରାଯାଏ ।

ଗିଲଙ୍କୁ ଚେନ୍ନାଇର କାବେରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଭାରତୀୟ ଦଳର ଡାକ୍ତର ରିଜୱାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି।

ଡେଙ୍ଗୁ ଶରୀରକୁ ଦୁର୍ବଳ କରିଦିଏ ଏବଂ ଏଥିରୁ ସୁସ୍ଥ ହେବାକୁ ସମୟ ଲାଗିଥାଏ | ଭାରତୀୟ ଅଧିନାୟକ ରୋହିତ ଶର୍ମା ମଧ୍ୟ କହିଛନ୍ତି ଯେ ଗିଲ୍ ଶୀଘ୍ର ସୁସ୍ଥ ହେବା ତାଙ୍କର ପ୍ରାଥମିକତା।

ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ପୂର୍ବରୁ ରୋହିତ କହିଥିଲେ ଗିଲଙ୍କ ପାଇଁ ମୋତେ ଖରାପ ଲାଗୁଛି । ମୁଁ ପ୍ରଥମେ ଜଣେ ମଣିଷ । ତେଣୁ ମୁଁ ଚାହେଁ ସେ ଶୀଘ୍ର ସୁସ୍ଥ ହୁଅନ୍ତୁ । ଅଧିନାୟକ ଭାବେ ମୁଁ ଭାବୁନାହିଁ ଯେ ଗିଲ୍ ଏହି ମ୍ୟାଚ୍ (ଅଷ୍ଟ୍ରେଲିଆ ବିପକ୍ଷ) ଖେଳିବା ଉଚିତ୍ | ସେ ଜଣେ ଯୁବ ବ୍ୟକ୍ତି । ସେ ଶୀଘ୍ର ସୁସ୍ଥ ହେବେ ବୋଲି ଆଶା କରୁଛି |

ସେପଟେ ଚୟନକର୍ତ୍ତାମାନେ ଗିଲଙ୍କ କଭର୍ ଚୟନ କରିବା ସମ୍ଭାବନା ରହିଛି | ଗିଲଙ୍କ ପ୍ରଥମ ବିକଳ୍ପ ଋତୁରାଜ ଗାଏକୱାଡ ହୋଇପାରନ୍ତି । ଋତୁରାଜ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଓପନିଂ ବ୍ୟାଟ୍ସମ୍ୟାନ୍ ଭାବେ ଖେଳିଥିଲେ ଓ ମୋହାଲିରେ ଅର୍ଦ୍ଧଶତକ ହାସଲ କରିଥିଲେ।