ଅରବିନ୍ଦ କେଜ୍ରିୱାଲଙ୍କୁ ଗୋଆ ପୋଲିସର ସମନ, ଏପ୍ରିଲ ୨୭ରେ ହାଜର ହେବାକୁ କହିଲା | News Room Odisha

ଅରବିନ୍ଦ କେଜ୍ରିୱାଲଙ୍କୁ ଗୋଆ ପୋଲିସର ସମନ, ଏପ୍ରିଲ ୨୭ରେ ହାଜର ହେବାକୁ କହିଲା

ନୂଆଦିଲ୍ଲୀ: ଗୋଆ ପୋଲିସ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗୁରୁବାର (ଏପ୍ରିଲ ୨୭) ରେ ହାଜର ହେବାକୁ ସମନ ଜାରି କରିଛି । ସରକାରୀ ସମ୍ପତ୍ତି ତଥା ସର୍ବସାଧାରଣ ସ୍ଥାନରେ ବେଆଇନ ଭାବେ ନିର୍ବାଚନ ପୋଷ୍ଟର ଲଗାଇବା ଅଭିଯୋଗରେ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ତାଙ୍କୁ ପଠାଯାଇଥିବା ନୋଟିସ୍ ଅନୁଯାୟୀ ତାଙ୍କୁ ପେରନେମ ପୋଲିସ ନିକଟରେ ହାଜର ହେବାକୁ ପଡ଼ିବ।

କେଜ୍ରିୱାଲଙ୍କୁ ଏହି ନୋଟିସ ପେରନେମ ପୋଲିସ ଥାନା ଇନ୍ସପେକ୍ଟର ଦିଲୀପ କୁମାର ହାଲାର୍ନକର ପଠାଇଛନ୍ତି। ଏହି ନୋଟିସ୍ ନେଇ କେଜ୍ରିୱାଲ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି।

ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ସର୍ବସାଧାରଣ ସ୍ଥାନରେ ନିର୍ବାଚନ ପୋଷ୍ଟର ଲଗାଇବା ଅଭିଯୋଗରେ ଗୋଆ ପ୍ରିଭେନସନ୍ ଅଫ୍ ଡିଫେସମେଣ୍ଟ ଅଫ୍ ପ୍ରପର୍ଟି ଆକ୍ଟ ଅନୁଯାୟୀ ରୁଜୁ ଏକ ମାମଲାର ଯାଞ୍ଚ କରୁଛି ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।

ଏ ସମ୍ପର୍କରେ ଗୋଆ ପୋଲିସ କେଜ୍ରିୱାଲଙ୍କୁ କ୍ରାଇମବ୍ରାଞ୍ଚର ଧାରା ୪୧ (ଏ) ଅନୁଯାୟୀ ନୋଟିସ ପଠାଇଛି। ଉଲ୍ଲେଖଯୋଗ୍ୟ ଯେ ଗତ ଗୋଆ ବିଧାନସଭା ନିର୍ବାଚନରେ ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି ୨ଟି ସିଟ୍ ଜିତିଥିଲା।