ଗୋଳନ୍ଥରାରେ ଦୁର୍ଘଟଣା: ନବ ଦମ୍ପତିଙ୍କ ମୃତ୍ୟୁ  | News Room Odisha

ଗୋଳନ୍ଥରାରେ ଦୁର୍ଘଟଣା: ନବ ଦମ୍ପତିଙ୍କ ମୃତ୍ୟୁ 

ବ୍ରହ୍ମପୁର: ଜ୍ବାଇଁ ଡାକରା ହୋଇ ବିବାହ ପରେ ପରେ ପ୍ରଥମ କରି ଶ୍ବଶୁର ଘରକୁ ଆସୁଥିଲେ। ସାଥିରେ ଥିଲେ ମାତ୍ର ତିନି ଦିନ ତଳେ ବିବାହ କରିଥିବା ପତ୍ନୀ। ବାଇକରେ ମିଶି ଦୁହେଁ ଏକାଠି ହସଖୁସିରେ ଇଚ୍ଛାପୁରରୁ ବ୍ରହ୍ମପୁର ଆସୁଥିଲେ। ହେଲେ ନିୟତିରେ ଆଉ କିଛି ଲେଖା ଥିଲା। ଗୋଳନ୍ଥରା ଥାନା ନିକଟ ୧୬ ନଂ ଜାତୀୟ ରାଜପଥରେ ଦୁର୍ଘଟଣାର ଶୀକାର ହୋଇ ପ୍ରାଣ ହରାଇଛନ୍ତି ନବଦମ୍ପତି। ମୃତକ ହେଲେ ଆନ୍ଧ୍ରପ୍ରଦେଶ ଇଚ୍ଛାପୁର ଅଞ୍ଚଳର ଜି.ବେଣୁ ଏବଂ ପତ୍ନୀ ବ୍ରହ୍ମପୁରର ସିଏଚ୍.ପ୍ରଣିତା। ସୋମବାର ବିଳମ୍ବିତ ସନ୍ଧ୍ୟାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।

ଏବେ ଏବେ ଆରମ୍ଭ ହୋଇଥିଲା ଦାମ୍ପତ୍ୟ ଜୀବନ। ଗତ ୧୦ ତାରିଖରେ ସେମାନଙ୍କ ବିବାହ ହୋଇଥିଲା ଏବଂ ପରମ୍ପରା ଅନୁସାରେ ବିବାହର ତୃତୀୟ ଦିନ ଝିଅ ଓ ଜ୍ୱାଇଁ ବ୍ରହ୍ମପୁର ଆସୁଥିଲେ। ବିବାହ ପରେ ପ୍ରଥମ କରି ସ୍ବାମୀଙ୍କ ସହ ନିଜ ମାଆ ଘରକୁ ଆସୁଥିଲେ ପ୍ରଣିତା। ମାତ୍ର ମାଆ ଘରେ ପହଞ୍ଚି ପାରିଲେନି। ଏକ ଟ୍ରାକ୍ଟର ଧକ୍କାରେ ଦୁହେଁ ଗୁରୁତର ହୋଇଥିଲେ। ଗୋଳନ୍ଥରା ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରୁ ପ୍ରଣିତା ଓ ବେଣୁଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟର ଓ ବାଇକକୁ ପୋଲିସ ଜବତ କରି ତଦନ୍ତ କରୁଥିବା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି।