ଆଫଗାନିସ୍ତାନ ପ୍ରସଙ୍ଗରେ ଗୁରୁବାର ସର୍ବଦଳୀୟ ବୈଠକ ଡକାଇଲେ କେନ୍ଦ୍ର ସରକାର | News Room Odisha

ଆଫଗାନିସ୍ତାନ ପ୍ରସଙ୍ଗରେ ଗୁରୁବାର ସର୍ବଦଳୀୟ ବୈଠକ ଡକାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଆଫଗାନିସ୍ତାନ ପ୍ରସଙ୍ଗରେ କେନ୍ଦ୍ର ସରକାର ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି। କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏହି ସୂଚନା ଦେଇଛନ୍ତି। ଏହି ସର୍ବଦଳୀୟ ବୈଠକ ଅଗଷ୍ଟ ୨୬ରେ ପୂର୍ବାହ୍ନ ୧୧ଟାରେ ଅନୁଷ୍ଠିତ ହେବ । ଏହି ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ବିରୋଧୀଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେବ।

ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏକ ଟୁଇଟ୍ ଜରିଆରେ କହିଛନ୍ତି, ” ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଫଗାନିସ୍ତାନରେ ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ବୈଦେଶିକ ମନ୍ତ୍ରଣାଳୟକୁ ସବୁ ରାଜନୈତକ ଦଳର ଫ୍ଲୋର ଲିଡରଙ୍କୁ ଅବଗତ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏ ସମ୍ପର୍କରେ ଅଧିକ ସୂଚନା ଦେବେ।”

ବିରୋଧୀ କ୍ରମାଗତ ଭାବରେ ପ୍ରଶ୍ନ ଉଠାଇଥିଲେ ଯେ ଭାରତ ସରକାର ଆଫଗାନିସ୍ତାନରେ ବହୁତ ଅର୍ଥ ନିବେଶ କରିଛନ୍ତି। ଏଭଳି ସ୍ଥିତିରେ ଯେତେବେଳେ ତାଲିବାନ ଆଫଗାନିସ୍ତାନକୁ ନିଜ ଅଧୀନକୁ ନେବାକୁ ଯାଉଛି, ଭାରତ ସରକାରଙ୍କ ରଣନୀତି କ’ଣ ହେବ? ଏହି ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ସର୍ବଦଳୀୟ ବୈଠକ ଡାକିଛନ୍ତି କେନ୍ଦ୍ର ସରକାର।

ଆଫଗାନିସ୍ତାନରୁ ୧୪୬ ଭାରତୀୟ ନାଗରିକଙ୍କୁ ସୋମବାର ଫେରାଇ ଅଣାଯାଇଛି। କତାରର ରାଜଧାନୀରୁ ଚାରୋଟି ଭିନ୍ନ ବିମାନରେ ସେମାନେ ଭାରତରେ ପହଞ୍ଚିଛନ୍ତି। ଏହି ସାଧାରଣ ନାଗରିକଙ୍କୁ ଗତ କିଛି ଦିନ ମଧ୍ୟରେ ଆମେରିକା ଏବଂ ଉତ୍ତର ଆଟଲାଣ୍ଟିକ୍ ଚୁକ୍ତି ସଂଗଠନ (ନାଟୋ) ବିମାନ ଦ୍ୱାରା କାବୁଲରୁ ଦୋହାକୁ ନିଆଯାଇଥିଲା। ଆଫଗାନିସ୍ତାନରୁ ଲୋକଙ୍କୁ ଆଣିବା ପାଇଁ ଭାରତ ଆମେରିକା, କାତାର, ତାଜିକିସ୍ତାନ ଏବଂ ଅନ୍ୟାନ୍ୟ ମିତ୍ରରାଷ୍ଟ୍ର ସହ ସମନ୍ୱୟ ରକ୍ଷା କରିଛି। ଆଫଗାନିସ୍ତାନର ରାଜଧାନୀରୁ ଭାରତ ଏପର୍ଯ୍ୟନ୍ତ ଚାରିଟି ବିମାନ ମାଧ୍ୟମରେ ଦୁଇ ଆଫଗାନିସ୍ତାନ ଆଇନଜୀବୀଙ୍କ ସମେତ ୪୦୦ରୁ ଅଧିକ ଲୋକଙ୍କୁ ଫେରାଇ ଆଣିଛି।