୧୮ ଭାରତୀୟ, ୪ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ ବ୍ଲକ୍ କଲେ ସରକାର | News Room Odisha

୧୮ ଭାରତୀୟ, ୪ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ ବ୍ଲକ୍ କଲେ ସରକାର

ନୂଆଦିଲ୍ଲୀ: ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଆଇଟି ନିୟମ ୨୦୨୧ ଅନୁଯାୟୀ ୨୨ ଟି ୟୁଟ୍ୟୁବ ଚ୍ୟାନେଲ, ତିନୋଟି ଟ୍ୱିଟର ଆକାଉଣ୍ଟ, ଗୋଟିଏ ଫେସବୁକ ଆକାଉଣ୍ଟ ଏବଂ ଗୋଟିଏ ନ୍ୟୁଜ ୱେବସାଇଟକୁ ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦେଇଛି। ବ୍ଲକ୍ ୟୁଟ୍ୟୁବ୍ ଚ୍ୟାନେଲଗୁଡିକର ମୋଟ ୨୬୦ କୋଟି ଭିୟୁରସିପ ଥିଲା | ଏହି ଆକାଉଣ୍ଟ ଏବଂ ଚ୍ୟାନେଲଗୁଡିକ ସୋସିଆଲ ମିଡିଆରେ ସମ୍ବେଦନଶୀଳ ତଥା ମିଥ୍ୟା ସୂଚନା ଏବଂ ଭାରତର ସୁରକ୍ଷା, ବୈଦେଶିକ ନୀତି ଏବଂ ସାଧାରଣ ଶୃଙ୍ଖଳା ସମ୍ବନ୍ଧୀୟ ମିଥ୍ୟା ଖବର ପ୍ରସାରଣ ପାଇଁ ବ୍ୟବହୃତ ହେଉଥିବା କୁହାଯାଇଛି ।

ଆଇଟି ନିୟମ, ୨୦୨୧ ଅନୁଯାୟୀ ପ୍ରଥମ ଥର ପାଇଁ ଭାରତୀୟ ୟୁଟ୍ୟୁବ ଚ୍ୟାନେଲ୍ ଗୁଡ଼ିକ ବିରୋଧରେ ଏଭଳି ପଦକ୍ଷେପ ନିଆଯାଇଛି। ପ୍ରକାଶଯୋଗ୍ୟ ଯେ, ଗତ ବର୍ଷ ଫେବୃଆରୀରେ ସରକାର ଆଇଟି ନିୟମ ୨୦୨୧ର ବିଜ୍ଞପ୍ତି ଜାରି କରିଥିଲେ। ସଦ୍ୟତମ ବ୍ଲକିଂ ଆଦେଶ ଅନୁଯାୟୀ, ୧୮ଟି ଭାରତୀୟ ଏବଂ ୪ ଟି ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲ ଉପରେ ପ୍ରତିବନ୍ଧକ ଲଗାଯାଇଛି।

ଏହି ୟୁଟ୍ୟୁବ୍ ଚ୍ୟାନେଲଗୁଡିକ ବିଭିନ୍ନ ପ୍ରସଙ୍ଗରେ ମିଥ୍ୟା ଖବର ପ୍ରସାରଣ ପାଇଁ ବ୍ୟବହୃତ ହେଉଥିଲା | ବିଶେଷକରି ଭାରତୀୟ ସେନା, ଜାମ୍ମୁ କାଶ୍ମୀର ଭଳି ପ୍ରସଙ୍ଗରେ ଏହି ଚ୍ୟାନେଲ ମାଧ୍ୟମରେ ନକଲି ପୋଷ୍ଟ ତିଆରି କରାଯାଉଥିଲା। ବିଭିନ୍ନ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ପୋଷ୍ଟ କରାଯାଇଥିବା ଭାରତ ବିରୋଧୀ କଣ୍ଟେଣ୍ଟ ଗୁଡ଼ିକୁ ମଧ୍ୟ ବ୍ଲକ୍ କରାଯାଇଛି। ଅନୁସନ୍ଧାନରୁ ଜଣାପଡିଛି ଯେ ଭାରତୀୟ ୟୁଟ୍ୟୁବ ଚ୍ୟାନେଲ ଦ୍ୱାରା ୟୁକ୍ରେନ ପରିସ୍ଥିତି ବିଷୟରେ ଅନେକ ଭୁଲ ତଥ୍ୟ ମଧ୍ୟ ସେୟାର କରାଯାଇଛି। ଏହି ଚ୍ୟାନେଲଗୁଡିକ ଅନ୍ୟ ଦେଶ ସହ ଭାରତର ସମ୍ପର୍କକୁ ପ୍ରଭାବିତ କରିବା ଉଦ୍ଦେଶ୍ୟରେ ପୋଷ୍ଟ କରାଯାଉଥିଲା |