କୋଭିଡ୍-୧୯ ଶେଷ ହୋଇନାହିଁ, ସତର୍କ ରହିବାକୁ ସରକାରଙ୍କ ପରାମର୍ଶ | News Room Odisha

କୋଭିଡ୍-୧୯ ଶେଷ ହୋଇନାହିଁ, ସତର୍କ ରହିବାକୁ ସରକାରଙ୍କ ପରାମର୍ଶ

ନୂଆଦିଲ୍ଲୀ: ଚୀନ୍ ସହ ଅନ୍ୟ କିଛି ଦେଶରେ କରୋନା ବିସ୍ଫୋରଣ ପୁଣି ଚିନ୍ତା ବଢାଇଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆଲର୍ଟ ମୋଡକୁ ଆସିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବୀୟ ବୁଧବାର ବରିଷ୍ଠ ଅଧିକାରୀ ତଥା ବିଶେଷଜ୍ଞଙ୍କ ସହ ଦେଶର କୋଭିଡ୍-୧୯ ସ୍ଥିତି ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି। ବୈଠକ ପରେ ସେ କହିଛନ୍ତି – କରୋନା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ, କିନ୍ତୁ ଭାରତ ପ୍ରତ୍ୟେକ ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ଅଛି। ଆମ ସମସ୍ତେ ସତର୍କ ରହିବା ସହ ସର୍ଭିଲାନ୍ସ ବଢ଼ାଇବାକୁ ହେବ ବୋଲି ଡକ୍ଟର ମାଣ୍ଡବୀୟ କହିଛନ୍ତି ।

ବୈଠକ ପରେ ନୀତି ଆୟୋଗ ସଦସ୍ୟ ଡକ୍ଟର ଭି.କେ ପାଲ ଜନଗହଳି ପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି | ଗୁରୁତର ରୋଗରେ ପୀଡିତ ଲୋକ ଏବଂ ବୃଦ୍ଧମାନଙ୍କ ପାଇଁ ମାସ୍କ ପିନ୍ଧିବା ଜରୁରୀ | ବର୍ତ୍ତମାନ ଦେଶର କେବଳ ୨୭% ଲୋକ ବୁଷ୍ଟର ଡୋଜ୍ ନେଇଛନ୍ତି | ବୁଷ୍ଟର ଡୋଜ୍ ନେବା ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ବୋଲି ସେ କହିଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ମଙ୍ଗଳବାର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖି କରୋନାର ସବୁ ପଜିଟିଭ୍ ମାମଲାର ନମୁନା ଜିନୋମ ସିକ୍ବେଂସିଙ୍ଗ୍ ପାଇଁ ପଠାଇବାକୁ ପରାମର୍ଶ ଦେଇଛନ୍ତି, ଯାହା ଦ୍ଵାରା କରୋନାର ଭାରିଆଣ୍ଟ ଚିହ୍ନଟ ହୋଇପାରିବ। ଗତ କିଛି ଦିନ ହେବ ଚୀନ୍ ସହ ଜାପାନ, ଆମେରିକା, କୋରିଆ ଏବଂ ବ୍ରାଜିଲରେ କରୋନା ମାମଲା ବଢ଼ିଛି ।