ଫେବୃଆରୀ ୧୪କୁ 'ଗୋ ଆଲିଙ୍ଗନ ଦିବସ' ଭାବେ ପାଳନ କରିବାକୁ ଲୋକଙ୍କୁ ସରକାରଙ୍କ ଅପିଲ | News Room Odisha

ଫେବୃଆରୀ ୧୪କୁ ‘ଗୋ ଆଲିଙ୍ଗନ ଦିବସ’ ଭାବେ ପାଳନ କରିବାକୁ ଲୋକଙ୍କୁ ସରକାରଙ୍କ ଅପିଲ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଫେବୃଆରୀ ୧୪କୁ ଭାଲେଣ୍ଟାଇନ୍ସ ଡେ ବା ପ୍ରେମ ଦିବସ ଭାବେ ପାଳନ କରାଯାଏ | କିନ୍ତୁ ଭାରତରେ ଏହି ଦିନକୁ ‘ଗୋ ଆଲିଙ୍ଗନ ଦିବସ (କାଓ ହଗ୍ ଡେ) ଭାବେ ପାଳନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏ ସଂକ୍ରାନ୍ତରେ ଭାରତୀୟ ପଶୁ କଲ୍ୟାଣ ବୋର୍ଡ (ଏଡବ୍ଲୁବିଆଇ) ଏକ ବିଜ୍ଞପ୍ତି ଜାରି କରି ଲୋକଙ୍କୁ ଫେବୃଆରୀ ୧୪ରେ ‘ଗୋ ଆଲିଙ୍ଗନ ଦିବସ’ ପାଳନ କରିବାକୁ ଅପିଲ କରିଛି ।

ଏକ ରିପୋର୍ଟ ଅନୁଯାୟୀ, ଏଡବ୍ଲୁବିଆଇ ତରଫରୁ କୁହାଯାଇଛି ଯେ ସମୟ କ୍ରମେ ପାଶ୍ଚାତ୍ୟ ସଂସ୍କୃତି ପ୍ରଭାବରେ ବୈଦିକ ପରମ୍ପରା ବିଲୁପ୍ତ ହେଉଛି । ତେଣୁ ଫେବୃଆରୀ ୧୪ କୁ ‘ଗୋ ଆଲିଙ୍ଗନ ଦିବସ’ ଭାବରେ ପାଳନ କରିବାକୁ ଲୋକଙ୍କୁ ଅପିଲ କରାଯାଉଛି ।

ପଶୁ କ୍ରୂରତା ନିବାରଣ, ୧୯୬୦ର ଧାରା ୪ ଅନୁଯାୟୀ ୧୯୬୨ ମସିହାରେ ପ୍ରତିଷ୍ଠିତ ଏଡବ୍ଲୁବିଆଇ ବିଭିନ୍ନ ପଶୁ କଲ୍ୟାଣ ସଂଗଠନ ଗୁଡ଼ିକୁ ଅନୁଦାନ ପ୍ରଦାନ କରିଥାଏ ଏବଂ ପଶୁ କଲ୍ୟାଣ ପ୍ରସଙ୍ଗରେ କେନ୍ଦ୍ରକୁ ପରାମର୍ଶ ଦେଇଥାଏ। ତେବେ ବୋର୍ଡ ପ୍ରଥମ ଥର ପାଇଁ ‘ଗୋ ଆଲିଙ୍ଗନ ଦିବସ’ ପାଳନ କରିବାକୁ ଲୋକଙ୍କୁ ଅପିଲ କରିଛି ଏବଂ ତାହା ପୁଣି ଫେବୃଆରୀ ୧୪ରେ । ଏଡବ୍ଲୁବିଆଇ କହିଛି ଯେ ଆମେ ସମସ୍ତେ ଜାଣୁ ଯେ ଗାଇ ହେଉଛି ଭାରତୀୟ ସଂସ୍କୃତି ଏବଂ ଗ୍ରାମୀଣ ଅର୍ଥନୀତିର ମେରୁଦଣ୍ଡ। ଗାଇର ଉପାଦେୟତା ଦୃଷ୍ଟିରୁ ‘ଗୋ ଆଲିଙ୍ଗନ ଦିବସ’ ପାଳନ ଦ୍ୱାରା ଭାବଗତ ସମୃଦ୍ଧି ଆସିବ ଏବଂ ଆମ ବ୍ୟକ୍ତିଗତ ତଥା ସାମୂହିକ ସୁଖ ମଧ୍ୟ ବଢ଼ିବ |

ତେବେ ଏଡବ୍ଲୁବିଆଇର ଏଭଳି ଅପିଲ ନେଇ ବିରୋଧୀ ଦଳ ସରକାରଙ୍କୁ ସମାଲୋଚନା କରିଛନ୍ତି । ଲୋକେ କ’ଣ କରିବେ ନ କରିବେ ସେ ନିଷ୍ପତ୍ତି ଏବେ ସରକାର ନେବେ କି ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଭାଲେଣ୍ଟାଇନ୍ସ ଡେ ପାଳନ କରୁଥିବା ପ୍ରେମୀ ଯୁଗଳମାନଙ୍କୁ ଡରାଇବା ପାଇଁ ସରକାରଙ୍କ ଏହା ଏକ ପରୋକ୍ଷ ଚେତାବନୀ ବୋଲି ବିରୋଧୀ କହିଛନ୍ତି ।