ପିଆଜ ଚିନ୍ତା: ଦର ବୃଦ୍ଧି ରୋକିବା ପାଇଁ ସରକାର ନେଲେ ଏହି ନିଷ୍ପତ୍ତି | News Room Odisha

ପିଆଜ ଚିନ୍ତା: ଦର ବୃଦ୍ଧି ରୋକିବା ପାଇଁ ସରକାର ନେଲେ ଏହି ନିଷ୍ପତ୍ତି

ନୂଆଦିଲ୍ଲୀ: ଘରୋଇ ବଜାରରେ ପିଆଜର ଉପଲବ୍ଧତା ବୃଦ୍ଧି କରିବା‌ ସହ ଦର ବୃଦ୍ଧି ରୋକିବା ପାଇଁ ସରକାର ଏହି ପ୍ରମୁଖ ପରିବା ଉପରେ ସର୍ବନିମ୍ନ ରପ୍ତାନି ମୂଲ୍ୟ (ଏମ୍ଇପି) ଟନ୍ ପିଛା ୮୦୦ ଡଲାର ସ୍ଥିର କରିଛନ୍ତି। ଏହି ନିଷ୍ପତ୍ତି ଆଜି (ଅକ୍ଟୋବର ୨୯)ଠାରୁ ଲାଗୁ ହେବ |

ଘରୋଇ ବଜାରରେ ପିଆଜ ଦର ୮୦ ଛୁଇଁଲାଣି । ଏଭଳି ସ୍ଥିତିରେ ସରକାର ବଫର ଷ୍ଟକ୍ ପାଇଁ ଅତିରିକ୍ତ ୨ ଲକ୍ଷ ଟନ୍ ପିଆଜ କିଣିବାକୁ ଘୋଷଣା କରିଛନ୍ତି । ବେଙ୍ଗାଲୁରୁ ରୋଜ ଓ କୃଷ୍ଣପୁରମ୍ ପିଆଜ ବ୍ୟତୀତ ଅନ୍ୟ ସମସ୍ତ ପିଆଜ କିସମ ପାଇଁ ଏମ୍ଇପି ଧାର୍ଯ୍ୟ କରାଯାଇଛି |

ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ ଏକ ବିଜ୍ଞପ୍ତିରେ କହିଛି, ବିଦେଶକୁ ପଠାଯାଉଥିବା ପିଆଜର ଏମ୍ଇପି ଡିସେମ୍ବର ୩୧, ୨୦୨୩ ପର୍ଯ୍ୟନ୍ତ ଟନ୍ ପିଛା ୮୦୦ ଡଲାରରେ ସ୍ଥିର ହୋଇଛି। ଏକ ସରକାରୀ ବିବୃତ୍ତିରେ କୁହାଯାଇଛି, ଏହି ପଦକ୍ଷେପ ଘରୋଇ ଗ୍ରାହକଙ୍କ ପାଇଁ ସୁଲଭ ମୂଲ୍ୟରେ ପିଆଜର ପର୍ଯ୍ୟାପ୍ତ ଉପଲବ୍ଧତା ବଜାୟ ରଖିବାରେ ସହାୟକ ହେବ । କାରଣ ରବି ଫସଲ ୨୦୨୩ ପାଇଁ ଗଚ୍ଛିତ ପିଆଜ ପରିମାଣ ହ୍ରାସ ପାଉଛି।

ପିଆଜ ପାଇଁ ଟନ୍ ପିଛା ୭୦୦ ଡଲାର ଏମ୍ଇପି ଅର୍ଥ କିଲୋଗ୍ରାମ ପିଛା ପ୍ରାୟ ୬୭ ଟଙ୍କା | ଅଗଷ୍ଟ ମାସର ଦ୍ୱିତୀୟ ସପ୍ତାହରୁ ଦେଶର ପ୍ରମୁଖ ଉପଭୋକ୍ତା କେନ୍ଦ୍ରଗୁଡ଼ିକରେ ବଫର ଷ୍ଟକରୁ ପିଆଜ ବାହାର କରାଯାଉଛି । ଏନସିସିଏଫ୍ ଏବଂ ନାଫେଡ୍ ଦ୍ୱାରା ପରିଚାଳିତ ମୋବାଇଲ୍ ଭ୍ୟାନ୍ ଦ୍ବାରା କିଲୋଗ୍ରାମ ପିଛା ୨୫ ଟଙ୍କା ମୂଲ୍ୟରେ ଖୁଚୁରା ଗ୍ରାହକଙ୍କୁ ଯୋଗାଣ ମଧ୍ୟ କରାଯାଇଛି।