ୟୁକ୍ରେନ ପ୍ରସଙ୍ଗ ଓ ଦିଲ୍ଲୀ ଦଙ୍ଗାର କଭରେଜ୍ ନେଇ ନ୍ୟୁଜ୍ ଚ୍ୟାନେଲଙ୍କୁ ସରକାରଙ୍କ ତାଗିଦ୍ | News Room Odisha

ୟୁକ୍ରେନ ପ୍ରସଙ୍ଗ ଓ ଦିଲ୍ଲୀ ଦଙ୍ଗାର କଭରେଜ୍ ନେଇ ନ୍ୟୁଜ୍ ଚ୍ୟାନେଲଙ୍କୁ ସରକାରଙ୍କ ତାଗିଦ୍

ନୂଆଦିଲ୍ଲୀ : ୟୁକ୍ରେନ-ରୁଷ ବିବାଦ ଏବଂ ଦିଲ୍ଲୀ ଦଙ୍ଗାର ଟେଲିଭିଜନ କଭରେଜ୍ ନେଇ ସରକାର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏ ବାବଦରେ ସରକାର ଶନିବାର ଚ୍ୟାନେଲଗୁଡିକୁ ଖବର ପ୍ରସାରଣ ସମ୍ବନ୍ଧୀୟ ନିୟମ ପାଳନ କରିବାକୁ ଏକ କଡ଼ା ଆଡଭାଇଜରି ଜାରି କରିଛନ୍ତି ।

ୟୁକ୍ରେନ-ରୁଷ ବିବାଦର ରିପୋର୍ଟିଂ ସମୟରେ ନ୍ୟୁଜ୍ ଆଙ୍କର ମାନଙ୍କ ଉତ୍ତଜନାପୂର୍ଣ୍ଣ” ବୟାନ ଏବଂ “ଅତିରଞ୍ଜିତ ହେଡଲାଇନ୍ / ଟ୍ୟାଗଲାଇନ୍” ତଥା “ଅସ୍ପଷ୍ଟ ସିସିଟିଭି ଫୁଟେଜ୍” ପ୍ରସାରଣ କରିବା ଦ୍ୱାରା ଉତ୍ତର-ପଶ୍ଚିମ ଦିଲ୍ଲୀରେ ଘଟିଥିବା କିଛି ଘଟଣାର ତଦନ୍ତ ପ୍ରକ୍ରିୟାରେ ବାଧା ସୃଷ୍ଟି ହେଉଛି ବୋଲି ସରକାର ଉଲ୍ଲେଖ କରିଛନ୍ତି।

ସରକାର ଏହା ମଧ୍ୟ କହିଛନ୍ତି ଯେ ଉତ୍ତର-ପଶ୍ଚିମ ଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡ ଉପରେ ଟେଲିଭିଜନ ଚ୍ୟାନେଲଗୁଡ଼ିକ ଦ୍ବାରା ଷ୍ଟୁଡିଓ ଆଲୋଚନା ଉତ୍ତେଜନାମୂଳକ ଏବଂ ସାମାଜିକ ଭାବରେ ଅଗ୍ରହଣୀୟ ଭାଷାରେ ହୋଇଥିଲା” |

ସୂଚନାଯୋଗ୍ୟ ଯେ ଗତ ସପ୍ତାହରେ ଉତ୍ତର ପଶ୍ଚିମ ଦିଲ୍ଲୀର ଜାହାଙ୍ଗୀରପୁରୀରେ ହନୁମାନ ଜୟନ୍ତୀ ଅବସରରେ ଏକ ଶୋଭାଯାତ୍ରା ସମୟରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ହୋଇଥିଲା।

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ଆଡଭାଇଜରିରେ କୁହାଯାଇଛି ଯେ ଉପରୋକ୍ତ ବିଷୟ ଉପରେ ଟେଲିଭିଜନ ଚ୍ୟାନେଲଗୁଡ଼ିକ ଯେଉଁଭଳି ଢଙ୍ଗରେ ଖବର ପ୍ରସାରଣ କରୁଛନ୍ତି ସେଥିନେଇ ସରକାର ଗୁରୁତର ଚିନ୍ତା ପ୍ରକଟ କରିଛନ୍ତି।

ଟେଲିଭିଜନ୍ ଚ୍ୟାନେଲଗୁଡିକ କେବୁଲ ଟେଲିଭିଜନ ନେଟୱାର୍କ (ରେଗୁଲେସନ୍) ଆକ୍ଟ, ୧୯୯୫ ର ଗାଇଡଲାଇନ୍ ଏବଂ ଏହାର ନିୟମାବଳୀ ଉଲ୍ଲଂଘନ କରି କଣ୍ଟେଣ୍ଟ ପ୍ରସାରଣ ତୁରନ୍ତ ବନ୍ଦ କରିବାକୁ କେନ୍ଦ୍ରର ଉପରୋକ୍ତ ଆଡଭାଇଜରିରେ ପରାମର୍ଶ ଦିଆଯାଇଛି।