ସମସ୍ତଙ୍କୁ ମିଳିବନି ବୁଷ୍ଟର ଡୋଜ୍, ନୀତିରେ ପରିବର୍ତ୍ତନ କରିପାରନ୍ତି କେନ୍ଦ୍ର ସରକାର | News Room Odisha

ସମସ୍ତଙ୍କୁ ମିଳିବନି ବୁଷ୍ଟର ଡୋଜ୍, ନୀତିରେ ପରିବର୍ତ୍ତନ କରିପାରନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର କରୋନା ଟିକାର ତୃତୀୟ ତଥା ବୁଷ୍ଟର ଡୋଜ୍ ସମ୍ବନ୍ଧୀୟ ନୀତିରେ ପରିବର୍ତ୍ତନ କରିପାରନ୍ତି। କାରଣ ତୃତୀୟ ଡୋଜ୍ ସବୁ ବୟସ ବର୍ଗଙ୍କ ପାଇଁ ପ୍ରଭାବୀ ହେବ ବୋଲି ବିଶେଷଜ୍ଞ ସନ୍ଦିହାନ ଅଛନ୍ତି।

ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ବର୍ତ୍ତମାନର ନୀତି ଅନୁଯାୟୀ ସରକାରଙ୍କ ଜାତୀୟ ଟିକାକରଣ କାର୍ଯ୍ୟକ୍ରମ ଅଧୀନରେ ବୁଷ୍ଟର ଡୋଜ୍ ଦିଆଯାଉଛି। ଏହା ସ୍ୱାସ୍ଥ୍ୟ କର୍ମୀ ଏବଂ ଦୁରାରୋଗ୍ୟରେ ପୀଡ଼ିତ ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ପ୍ରିକସନ ବା ସତର୍କତାମୂଳକ ଡୋଜ୍ ରୂପେ ଦିଆଯିବା ଜାରି ରହିପାରେ | କିନ୍ତୁ ଅନ୍ୟ ବୟସବର୍ଗ ଲୋକଙ୍କୁ ଏହା ଦିଆଯାଇନପାରେ ।

ସେ କହିଛନ୍ତି ଯେ ସମସ୍ତଙ୍କୁ ବୁଷ୍ଟର ଡୋଜ୍ ଦେବା ବିଷୟରେ ଆମକୁ ପୁଣି ଥରେ ଚିନ୍ତା କରିବାକୁ ପଡିବ | ଏ ସମ୍ବନ୍ଧୀୟ ନୀତି ଉପରେ ବିଚାର କରିବାକୁ ପଡ଼ିବ | ଅଧିକାରୀ କହିଛନ୍ତି ଯେ ଅନ୍ୟ ଦେଶର ଉଦାହରଣ ଆମ ସାମ୍ନାରେ ଅଛି, ଯେଉଁଠି ବୁଷ୍ଟର ଡୋଜ୍ ଦିଆଯିବା ସତ୍ତ୍ୱେ କରୋନା ମାମଲା ହ୍ରାସ ପାଇନାହିଁ। ଏଭଳି ସ୍ଥିତିରେ ଆମେ ଅନ୍ୟ ଦେଶ ଯାହା କରୁଛନ୍ତି ତାହା ଅନ୍ଧ ଭାବେ ଅନୁକରଣ କରିବୁ ନାହିଁ। ଆମକୁ ସ୍ଥାନୀୟ ସ୍ତରରେ ମହାମାରୀ ସହ ଜଡିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଜ୍ଞାନ ସମ୍ମତ ନିଷ୍ପତ୍ତି ନେବାକୁ ପଡିବ |

ମଙ୍ଗଳବାର କୋଭିଡ-୧୯ ଟିକାକରଣ ଉପରେ ଗଠିତ ଜାତୀୟ ବୈଷୟିକ ପରାମର୍ଶଦାତା ଗୋଷ୍ଠୀ (ଏନଟିଏଜିଆଇ) ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ବୁଷ୍ଟର ଡୋଜ ପ୍ରସଙ୍ଗରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା |

ଅଧିକାରୀଙ୍କ କହିବାନୁସାରେ, ‘ହୁ’ ର ବିଶେଷଜ୍ଞ ଏବଂ ଏନଟିଏଜିଆଇ ର ସଦସ୍ୟମାନେ ବୁଷ୍ଟର ଡୋଜ୍ ଦେଉଥିବା ଦେଶଗୁଡ଼ିକର ତଥ୍ୟ ଏବଂ କରୋନା ମାମଲାଗୁଡ଼ିକର ତୁଳନାତ୍ମକ ସମୀକ୍ଷା କରିଥିଲେ | ଏହା ସହିତ ସ୍ଥାନୀୟ ତଥ୍ୟ ମଧ୍ୟ ଅଧ୍ୟୟନ କରାଯାଉଛି | ବିଶେଷଜ୍ଞମାନେ ସଂକ୍ରମଣର ଧାରା, ଭାଇରସର ଆଚରଣ, ନୂଆ ଭାରିଆଣ୍ଟ ଏବଂ ଭାଇରାଲ୍ ଲୋଡ୍ ସହିତ ପୁନ-ସଂକ୍ରମଣର ସମୀକ୍ଷା କରୁଛନ୍ତି।