ବିବାଦୀୟ 'ଲେୟାର ସଟ୍' ବଡ଼ି ସ୍ପ୍ରେ ବିଜ୍ଞାପନକୁ ହଟାଇବା ପାଇଁ ୟୁଟ୍ୟୁବ, ଟ୍ବିଟରକୁ ସରକାରଙ୍କ ନିର୍ଦ୍ଦେଶ | News Room Odisha

ବିବାଦୀୟ ‘ଲେୟାର ସଟ୍’ ବଡ଼ି ସ୍ପ୍ରେ ବିଜ୍ଞାପନକୁ ହଟାଇବା ପାଇଁ ୟୁଟ୍ୟୁବ, ଟ୍ବିଟରକୁ ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବଡ଼ି ସ୍ପ୍ରେ ବ୍ରାଣ୍ଡ୍ ‘ଲେୟାର ସଟ୍’ ବିଜ୍ଞାପନକୁ ନେଇ ବିବାଦ ପରେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଏହାକୁ ହଟାଇବାକୁ ନିର୍ଦ୍ଦେଶ ଦେଇଛି । ଏହି ବିଜ୍ଞାପନକୁ ତୁରନ୍ତ ହଟାଇବା ପାଇଁ ୟୁଟ୍ୟୁବ ଓ ଟ୍ବିଟରକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷା ସ୍ବାତୀ ମାଲିୱାଲ ମଧ୍ୟ ଏହି ବିଜ୍ଞାପନକୁ ସମାଲୋଚନା କରିଛନ୍ତି। ଏପରି ବିଜ୍ଞାପନ ବଳାତ୍କାର ସଂସ୍କୃତିକୁ ପ୍ରୋତ୍ସାହିତ କରୁଛି ବୋଲି ସେ ଅଭିଯୋଗ କରିଥିଲେ ।

ଏହି ବିବାଦୀୟ ବିଜ୍ଞାପନ ମାମଲାରେ ମାଲିୱାଲ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ମଧ୍ୟ ଚିଠି ଲେଖି ‘ଲେୟାର ସଟ୍’ ବ୍ରାଣ୍ଡ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏହା ସହିତ ଦିଲ୍ଲୀ ମହିଳା ଆୟୋଗ ମଧ୍ୟ ଦିଲ୍ଲୀ ପୋଲିସକୁ ନୋଟିସ ଜାରି କରିଥିଲେ। ଏହା ପରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଏହି ବିବାଦୀୟ ଡିଓ ବିଜ୍ଞାପନର ପ୍ରସାରଣ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛି । ଏହା ସହିତ ବିଜ୍ଞାପନ ସମ୍ବନ୍ଧୀୟ ନିୟମ ଅନୁଯାୟୀ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

ବଡ଼ି ସ୍ପ୍ରେ ‘ସଟ୍’ ପାଇଁ ବିଜ୍ଞାପନରେ ତିନିଜଣ ବାଳକ ଏକ ରୁମ୍ ଭିତରେ ପ୍ରବେଶ କରୁଥିବା ଦେଖିବାକୁ ମିଳୁଛି | ସେହି ରୁମରେ ପୂର୍ବରୁ ଗୋଟିଏ ପୁଅ ଓ ଝିଅ ଅନ୍ତରଙ୍ଗ ଭାବେ ଗୋଟିଏ ବିଛଣାରେ ବସିଛନ୍ତି | ଯେତେବେଳେ ତିନି ପୁଅ ରୁମ୍ ଭିତରକୁ ଆସନ୍ତି, ସେତେବେଳେ ଝିଅଟି ଆଶ୍ଚର୍ଯ୍ୟ ହୋଇଯାଏ | ତିନି ପୁଅଙ୍କ ମଧ୍ୟରୁ ଜଣେ ଝିଅ ପାଖରେ ବସିଥିବା ଯୁବକକୁ ପଚାରନ୍ତି – “ତମେ ନିଶ୍ଚୟ ସଟ୍ ମାରିଥିବ ।” ସେଠାରେ ଉପସ୍ଥିତ ଥିବା ଝିଅ ଏହା ଶୁଣି ରାଗିଯାଏ | ତା’ପରେ ସେହି ଯୁବକ ଜଣକ କହୁଛନ୍ତି, ‘ହଁ ମାରିଛି ।” ଏହା ପରେ ଅନ୍ୟ ତିନି ଯୁବକ କୁହନ୍ତି – “ଏବେ ଆମର ପାଳି |”

ଏହି ବିଜ୍ଞାପନକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ଅନେକେ ଏହି ବିଜ୍ଞାପନର କ୍ଲିପ୍ ସେୟାର କରି ଏହାକୁ ବ୍ଯାନ୍ କରିବା ପାଇଁ ଦାବି କରିଥିଲେ ।