୧୨-୧୮ ବର୍ଷ ବୟସର ପିଲାମାନଙ୍କୁ ଦିଆଯିବ କୋଭିଡ୍ ଟିକା 'କୋର୍ବେଭ୍ୟାକ୍ସ', ଜରୁରୀ ବ୍ୟବହାର ପାଇଁ ସୁପାରିସ କଲା ସରକାରୀ କମିଟି | News Room Odisha

୧୨-୧୮ ବର୍ଷ ବୟସର ପିଲାମାନଙ୍କୁ ଦିଆଯିବ କୋଭିଡ୍ ଟିକା ‘କୋର୍ବେଭ୍ୟାକ୍ସ’, ଜରୁରୀ ବ୍ୟବହାର ପାଇଁ ସୁପାରିସ କଲା ସରକାରୀ କମିଟି

ନୂଆଦିଲ୍ଲୀ: କୋଭିଡ୍-୧୯ ଉପରେ କେନ୍ଦ୍ର ସରକାରଙ୍କ ବିଶେଷଜ୍ଞ କମିଟି (ଏସ୍ଇସି) ୧୨ ରୁ ୧୮ ବର୍ଷ ବୟସର ପିଲାମାନଙ୍କ ପାଇଁ ବାୟୋଲୋଜିକାଲ-ଇ’ର ଟିକା ‘କୋର୍ବେଭ୍ୟାକ୍ସ’ର ଜରୁରୀ ବ୍ୟବହାରକୁ ଅନୁମତି ଦେବା ପାଇଁ ସୁପାରିସ କରିଛି |

ଜଣେ ଅଧିକାରୀ କହିଛନ୍ତି ଯେ ୧୫ ବର୍ଷରୁ କମ୍ ପିଲାମାନଙ୍କୁ ଟିକାକରଣ ପାଇଁ ସରକାର ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇ ନାହାଁନ୍ତି। ନିକଟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନୀତି ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ) ଭି.କେ ପଲ୍ କହିଥିଲେ ଯେ ଟିକାକରଣର ଅତିରିକ୍ତ ଆବଶ୍ୟକତା ଏବଂ ଏଥିପାଇଁ ଅଧିକ ଜନସଂଖ୍ୟାକୁ ଟିକାକରଣର ପରିସରଭୁକ୍ତ କରିବା ନେଇ ନିୟମିତ ସମୀକ୍ଷା କରାଯାଏ।

ଭାରତୀୟ ଡ୍ରଗ୍ସ ନିୟନ୍ତ୍ରକ (ଡିସିଜିଆଇ) ଡିସେମ୍ବର ୨୮ରେ ହିଁ ‘କୋର୍ବେଭ୍ୟାକ୍ସ’ର ସୀମିତ ଜରୁରୀ ବ୍ୟବହାର ପାଇଁ ଅନୁମତି ଦେଇସାରିଛି | ଭାରତରେ ବିକଶିତ ଏହା ଏକ ଆରବିଡି ଆଧାରିତ କୋଭିଡ-୧୯ ଟିକା |

ତେବେ ଏହି ଟିକା ଦେଶର ଟିକାକରଣ ଅଭିଯାନରେ ସାମିଲ କରାଯାଇ ନାହିଁ। ଅଧିକାରୀ ଜଣକ କହିଛନ୍ତି ଯେ , “କୋଭିଡ-୧୯ ଉପରେ ବିଶେଷଜ୍ଞ କମିଟି (ଏସ୍ଇସି) ଆବେଦନ ଉପରେ ଆଲୋଚନା କରିଥିଲା ​​ଏବଂ କିଛି ସର୍ତ୍ତ ସହିତ ୧୨ ରୁ ୧୮ ବର୍ଷ ବୟସ ପିଲାଙ୍କ ପାଇଁ ବାୟୋଲୋଜିକାଲ୍-ଇ’ର ‘କୋର୍ବେଭ୍ୟାକ୍ସ’ ଟିକାର ଜରୁରୀ ବ୍ୟବହାରର କରିବାକୁ ପରାମର୍ଶ ଦେଇଛନ୍ତି |

ସେ କହିଛନ୍ତି ଯେ ଏହି ସୁପାରିସକୁ ଚୂଡ଼ାନ୍ତ ଅନୁମୋଦନ ପାଇଁ ଡିସିଜିଆଇକୁ ପଠାଯାଇଛି | ସୂଚନାଯୋଗ୍ୟ ଯେ ଫେବୃଆରୀ ୯ରେ ଡିସିଜିଆଇକୁ ପଠାଯାଇଥିବା ଏକ ଆବେଦନରେ ବାୟୋଲୋଜିକାଲ-ଇ’ ଗୁଣବତ୍ତା ଏବଂ ନିୟାମକ ବ୍ୟାପାରର ମୁଖ୍ୟ ଶ୍ରୀନିବାସ କୋସାରାଜୁ କହିଥିଲେ ଯେ କମ୍ପାନୀକୁ ୫ ରୁ ୧୮ ବର୍ଷ ବୟସ ବର୍ଗର ପିଲାମାନଙ୍କ ଠାରେ କୋର୍ବେଭ୍ୟାକ୍ସର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ପାଇଁ ଗତ ବର୍ଷ ସେପ୍ଟେମ୍ବରରେ ଅନୁମତି ମିଳିଥିଲା ​​|

କୋର୍ବେଭ୍ୟାକ୍ସ ଟିକାକୁ ୨୮ ଦିନ ମଧ୍ୟରେ ଦୁଇଟି ଡୋଜରେ ନେବାକୁ ପଡିବ | ଏହି ଟିକା ୨ ରୁ ୮ ଡିଗ୍ରୀ ସେଲସିୟସରେ ସଂରକ୍ଷିତ ରଖିହେବ |