'ଆଧାର ବାୟୋମେଟ୍ରିକ୍'ର ବିଶ୍ୱସନୀୟତା ନେଇ ପ୍ରଶ୍ନ ଉଠାଇଲା ଅନ୍ତର୍ଜାତୀୟ ରେଟିଂ ସଂସ୍ଥା ମୁଡିସ୍, ଜବାବ ରଖିଲେ ସରକାର | News Room Odisha

‘ଆଧାର ବାୟୋମେଟ୍ରିକ୍’ର ବିଶ୍ୱସନୀୟତା ନେଇ ପ୍ରଶ୍ନ ଉଠାଇଲା ଅନ୍ତର୍ଜାତୀୟ ରେଟିଂ ସଂସ୍ଥା ମୁଡିସ୍, ଜବାବ ରଖିଲେ ସରକାର

ନୂଆଦିଲ୍ଲୀ: ଭାରତର ୧୨-ଅଙ୍କ ବିଶିଷ୍ଟ ପରିଚୟ ପତ୍ର ‘ଆଧାର’ର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଛି ଗ୍ଲୋବାଲ ରେଟିଂ ସଂସ୍ଥା ମୁଡିସ୍ । ଭାରତର ଗରମ ଓ ଆର୍ଦ୍ର ଜଳବାୟୁରେ ଲୋକଙ୍କ ଆଧାର ଭଳି ବାୟୋମେଟ୍ରିକ୍ ତଥ୍ୟ ସାବ୍ୟସ୍ତ କରିବା କଷ୍ଟକର ହୋଇଥାଏ । ଫଳରେ ଅଧିକାଂଶ ଲୋକ ସରକାରୀ ସେବାରୁ ବଞ୍ଚିତ ହେଉଛନ୍ତି ବୋଲି ମୁଡିସ୍ ଦାବି କରିଥିଲା । ଏହାଛଡ଼ା ଲୋକଙ୍କ ଆଧାର ତଥ୍ୟ ସୁରକ୍ଷିତ ନୁହେଁ କାରଣ ଏହା ସହଜରେ ଚୋରି ହୋଇପାରେ ବୋଲି କହିଥିଲା ମୁଡିସ୍ । ତେବେ କେନ୍ଦ୍ର ସରକାର ଏଭଳି ଦାବିକୁ ଖାରଜ କରିଛନ୍ତି । ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ଏକ ନିର୍ଦ୍ଦିଷ୍ଟ ନିବେଶକ ସଂସ୍ଥା ବିନା କୌଣସି ପ୍ରମାଣ କିମ୍ବା ଆଧାରରେ ବିଶ୍ୱର ସବୁଠାରୁ ବିଶ୍ୱସ୍ତ ଡିଜିଟାଲ୍ ଆଇଡି ‘ଆଧାର’ ବିରୋଧରେ ଅନେକ ଦାବି କରିଛି।

ମନ୍ତ୍ରଣାଳୟ କହିଛି ଯେ ଆଧାର ହେଉଛି ବିଶ୍ୱର ସବୁଠାରୁ ବିଶ୍ୱସ୍ତ ଡିଜିଟାଲ୍ ଆଇଡି ଏବଂ ଏହା ଉପରେ ମୁଡିସ୍ ଇନଭେଷ୍ଟର୍ସ ସର୍ଭିସର ମତ ଭିତ୍ତିହୀନ। ବିଗତ ଏକ ଦଶନ୍ଧି ମଧ୍ୟରେ ୧୦୦ କୋଟିରୁ ଉର୍ଦ୍ଧ୍ବ ଭାରତୀୟ ୧୦୦ ବିଲିୟନରୁ ଅଧିକ ଥର ନିଜ ପରିଚୟ ସାବ୍ୟସ୍ତ ପାଇଁ ଆଧାର ବ୍ୟବହାର କରି ଏହି ବାୟୋମେଟ୍ରିକ୍ ଆଇଡି ଉପରେ ନିଜର ବିଶ୍ୱାସ ବ୍ୟକ୍ତ କରିଛନ୍ତି। ମୁଡିସ୍ କମ୍ପାନୀ ଏହାର ଦାବି ସପକ୍ଷରେ କୌଣସି ତଥ୍ୟ ଉପସ୍ଥାପନ କରି ନାହିଁ ।

ମୁଡିସ୍ ଏକ ରିପୋର୍ଟରେ ଦାବି କରିଥିଲା ଯେ ଭାରତରେ ଆଧାର ବ୍ୟବସ୍ଥା ଅନେକ ପ୍ରତିବନ୍ଧକର ସାମ୍ନା କରୁଛି। ଏଥିମଧ୍ୟରୁ ପ୍ରାଧିକରଣ ସାବ୍ୟସ୍ତ କରିବା ଓ ବାୟୋମେଟ୍ରିକ ବିଶ୍ୱସନୀୟତା ପ୍ରମାଣ କରିବା ଭଳି ଆହ୍ବାନ ରହିଛି | ଅନେକ ସମୟରେ ଲୋକେ ସେବାରୁ ବଞ୍ଚିତ ହୁଅନ୍ତି। କାରଣ ଗରମ, ଆର୍ଦ୍ର ଜଳବାୟୁରେ ବାୟୋମେଟ୍ରିକ୍ ଟେକ୍ନୋଲୋଜିର ବିଶ୍ୱସନୀୟତା ସାବ୍ୟସ୍ତ କରିବା, ବିଶେଷକରି ଶ୍ରମିକ ଶ୍ରେଣୀର ଲୋକଙ୍କ କ୍ଷେତ୍ରରେ କଷ୍ଟକର ହୋଇଥାଏ ।

ଭାରତର ଗରମ ଓ ଆର୍ଦ୍ର ଜଳବାୟୁରେ ଆଧାର ବାୟୋମେଟ୍ରିକ୍ସର ବିଶ୍ୱସନୀୟତା ଉପରେ ଉଠିଥିବା ପ୍ରଶ୍ନର ଉତ୍ତରରେ ସରକାର କହିଛନ୍ତି ଯେ ଫେସ୍ ଓ ଆଇରିସ୍ ଅଥେଣ୍ଟିକେସନ୍ ଭଳି ସ୍ପର୍ଶ ରହିତ ମାଧ୍ୟମ ଦ୍ବାରା ମଧ୍ୟ ଆଧାର ପ୍ରଣାଳୀରେ ବାୟୋମେଟ୍ରିକ୍ ତଥ୍ୟ ଦାଖଲ ସମ୍ଭବ।