ନେହେରୁ ମେମୋରିଆଲର ନାମ ବଦଳାଇଲେ ମୋଦୀ ସରକାର, କଂଗ୍ରେସର ସମାଲୋଚନା | News Room Odisha

ନେହେରୁ ମେମୋରିଆଲର ନାମ ବଦଳାଇଲେ ମୋଦୀ ସରକାର, କଂଗ୍ରେସର ସମାଲୋଚନା

ନୂଆଦିଲ୍ଲୀ: ମୋଦୀ ସରକାର ଦିଲ୍ଲୀର ନେହେରୁ ମେମୋରିଆଲର ନାମ ବଦଳାଇଛନ୍ତି । ଏବେ ନେହେରୁ ମେମୋରିଆଲ୍ ‘ପିଏମ୍ ମେମୋରିଆଲ୍’ ଭାବେ ଜଣାଯିବ | ନାମ ପରିବର୍ତ୍ତନକୁ ନେଇ କଂଗ୍ରେସ କେନ୍ଦ୍ର ଉପରେ ବର୍ଷିଛି। ନେହେରୁ ମୋମୋରିଆଲର ନାମ ପରିବର୍ତ୍ତନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତିଶୋଧ ପରାୟଣତା ଏବଂ ସଂକୀର୍ଣ୍ଣ ମାନସିକତାର ପରିଚାୟକ ବୋଲି କହିଛି କଂଗ୍ରେସ । ନେହେରୁ ମେମୋରିଆଲ୍ ମ୍ୟୁଜିୟମ୍ ଆଣ୍ଡ ଲାଇବ୍ରେରୀ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମ୍ୟୁଜିୟମ୍ ଆଣ୍ଡ ସୋସାଇଟି ଭାବେ ପରିଚିତ ହେବ |

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଗୁରୁବାର ଏକ ସ୍ୱତନ୍ତ୍ର ବୈଠକରେ ନେହେରୁ ମେମୋରିଆଲର ନାମ ପରିବର୍ତ୍ତନକୁ ଅନୁମୋଦନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ ନେହେରୁ ମେମୋରିଆଲ ସଂଗ୍ରହାଳୟ ଏବଂ ଲାଇବ୍ରେରୀର ଅଧ୍ୟକ୍ଷ ଥିବାବେଳେ ରାଜନାଥ ସିଂହ ଏହାର ଉପାଧ୍ୟକ୍ଷ ଅଟନ୍ତି। ଏହାଛଡ଼ା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ନିର୍ମଳା ସୀତାରମଣ, ଧର୍ମେନ୍ଦ୍ର ପ୍ରଧାନ, ଜି କିଶାନ ରେଡ୍ଡୀ, ଅନୁରାଗ ଠାକୁରଙ୍କ ସମେତ ୨୯ ଜଣ ଏହି ସୋସାଇଟିର ସଦସ୍ୟ ।

ବ୍ରିଟିଶ୍ ଶାସନ କାଳରେ ସ୍ଥପତି ଏଡୱିନ୍ ଲୁଟିଏନ୍ସଙ୍କ ଇମ୍ପେରିଆଲ୍ କ୍ୟାପିଟାଲର ଅଂଶବିଶେଷ ଥିବା ତିନି ମୂର୍ତ୍ତି ଭବନ ଭାରତର କମାଣ୍ଡର-ଇନ୍-ଚିଫଙ୍କ ସରକାରୀ ବାସଭବନ ଥିଲା । ୧୯୪୮ ମସିହାରେ ଯେତେବେଳେ ପଣ୍ଡିତ ନେହେରୁ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ, ତିନି ମୁର୍ତ୍ତୀ ଭବନ ତାଙ୍କର ସରକାରୀ ବାସଭବନ ହୋଇଥିଲା। ପଣ୍ଡିତ ନେହେରୁ ଏହି ଘରେ ୧୬ ବର୍ଷ ରହିଥିଲେ ଓ ଏଠାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ପରବର୍ତ୍ତୀ ସମୟରେ ଏହି ତିନି ମୁର୍ତ୍ତୀ ଭବନକୁ ପଣ୍ଡିତ ନେହେରୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିଲା । ପଣ୍ଡିତ ନେହେରୁଙ୍କ ନାମରେ ଏହା ଏକ ସଂଗ୍ରହାଳୟ ଓ ମେମୋରିଆଲ ପାଲଟିଥିଲା ।