ଭାରତୀୟ କୁସ୍ତି ସଂଘ‌କୁ ନିଲମ୍ବିତ କଲେ ସରକାର | News Room Odisha

ଭାରତୀୟ କୁସ୍ତି ସଂଘ‌କୁ ନିଲମ୍ବିତ କଲେ ସରକାର

ନୂଆଦିଲ୍ଲୀ: କ୍ରୀଡ଼ା ମନ୍ତ୍ରଣାଳୟ ନବ ନିର୍ବାଚିତ ଭାରତୀୟ କୁସ୍ତି ସଂଘ‌ (ଡବ୍ଲୁଏଫ୍ଆଇ)କୁ ନିଲମ୍ବିତ କରିଛି। ସଂଘର ନୂଆ ସଭାପତି ସଞ୍ଜୟ ସିଂହଙ୍କ ମାନ୍ୟତା ମଧ୍ୟ ରଦ୍ଦ କରାଯାଇଛି। ଏହାଛଡ଼ା ନୂଆ ସଭାପତି ସଞ୍ଜୟ ସିଂହ ନେଇଥିବା ସମସ୍ତ ନିଷ୍ପତ୍ତିକୁ ମଧ୍ୟ ରଦ୍ଦ କରିଛି କ୍ରୀଡ଼ା ମନ୍ତ୍ରଣାଳୟ । ମଧ୍ୟ ପ୍ରଦେଶର ଗୋଣ୍ଡାରେ ଜାତୀୟ ଜୁନିୟର କୁସ୍ତି ଚାମ୍ପିୟନସିପ ଆୟୋଜନ ନେଇ ଡବ୍ଲୁଏଫ୍ଆଇର ଘୋଷଣା ପରେ କ୍ରୀଡ଼ା ମନ୍ତ୍ରାଳୟ ଏହି ପଦକ୍ଷେପ ନେଇଛି ‌। ଏହା ଡବ୍ଲୁଏଫ୍ଆଇ ସମ୍ବିଧାନର ଉଲ୍ଲଙ୍ଘନ ବୋଲି କହିଛି କ୍ରୀଡ଼ା ମନ୍ତ୍ରାଳୟ । ଗୋଣ୍ଡା ହେଉଛି ଡବ୍ଲୁଏଫ୍ଆଇର ପୂର୍ବତନ ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣଙ୍କ ଅଞ୍ଚଳ।

ଗୋଣ୍ଡାରେ ଜୁନିୟର କୁସ୍ତି ଚାମ୍ପିୟନସିପ ଆୟୋଜନ ନେଇ ପ୍ରଶ୍ନ ଉଠାଇଥିଲେ ସାକ୍ଷୀ ମଲିକ। ବ୍ରିଜ ଭୂଷଣଙ୍କ ଅଞ୍ଚଳରେ କୁସ୍ତି ଚାମ୍ପିୟନସିପରେ ଭାଗ ନେବାକୁ କନିଷ୍ଠ ମହିଳା ଖେଳାଳିମାନେ ଡରୁଛନ୍ତି ବୋଲି ସାକ୍ଷୀ ଏକ ସୋସିଆଲ ମିଡିଆ ପୋଷ୍ଟରେ ଅଭିଯୋଗ କରିଥିଲେ ।

ଗୁରୁବାର ଅନୁଷ୍ଠିତ ଡବ୍ଲୁଏଫ୍ଆଇ ନିର୍ବାଚନରେ ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜ ଭୂଷଣଙ୍କ ଅନୁଗତ ସଞ୍ଜୟ ସିଂହ ସଭାପତି ଭାବରେ ନିର୍ବାଚିତ ହେବା ପରେ ବିବାଦ ସୃଷ୍ଟି ହୋଇଥିଲା । ସଞ୍ଜୟ ସିଂହଙ୍କ ଜରିଆରେ କୁସ୍ତି ସଂଘ ଉପରେ ବ୍ରିଜ ଭୂଷଣଙ୍କ ନିୟନ୍ତ୍ରଣ ରହିବ ବୋଲି ଦେଶର ଷ୍ଟାର କୁସ୍ତି ଖେଳାଳିମାନେ ଆଶଙ୍କା ପ୍ରକାଶ କରିଥିଲେ ‌। ସଞ୍ଜୟ ସିଂହଙ୍କୁ ବିରୋଧ କରି ଅଲିମ୍ପିକ ପଦକ ବିଜୟିନୀ ସାକ୍ଷୀ ମଲିକ କୁସ୍ତି ଛାଡ଼ିଥିବା ବେଳେ ଜଣେ ଅଲିମ୍ପିକ ପଦକ ବିଜେତା ରେସଲର ବଜରଙ୍ଗ ପୁନିଆ ପଦ୍ମଶ୍ରୀ ସମ୍ମାନ ଫେରାଇ ଦେଇଥିଲେ ।

ଦେଶର ଅନେକ ଜଣାଶୁଣା କୁସ୍ତି ଖେଳାଳି ବ୍ରିଜ ଭୂଷଣଙ୍କ ବିରୋଧରେ ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ଶୋଷଣ ଳ ଅଭିଯୋଗ କରି ଦିଲ୍ଲୀର ଜନ୍ତର ମନ୍ତରଠାରେ ଦୀର୍ଘ ଦିନ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।