ପ୍ରିୟଙ୍କା ଗାନ୍ଧୀଙ୍କ ପିଲାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକିଂ ଅଭିଯୋଗର ଯାଞ୍ଚ୍ କରିବେ ସରକାର | News Room Odisha

ପ୍ରିୟଙ୍କା ଗାନ୍ଧୀଙ୍କ ପିଲାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକିଂ ଅଭିଯୋଗର ଯାଞ୍ଚ୍ କରିବେ ସରକାର

ନୂଆଦିଲ୍ଲୀ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ତାଙ୍କ ପିଲାମାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍ ହୋଇଥିବା ଅଭିଯୋଗ କରିବା ପରେ ଆଇଟି ମନ୍ତ୍ରଣାଳୟ ଏହାକୁ ଗୁରୁତର ସହ ନେଇଛି । ଏନେଇ ଯାଞ୍ଚ୍ ଆଦେଶ ଦିଆଯାଇପାରେ । ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମକୁ ନୋଟିସ୍ ଜାରି କରାଯିବା ସମ୍ଭାବନା ରହିଛି ।

ମନ୍ତ୍ରଣାଳୟର ସୂତ୍ରରୁ ପ୍ରକାଶ ଯେ, ଆଇଟି ମନ୍ତ୍ରଣାଳୟ ଏହାକୁ ଗୁରୁତର ସହ ନେଇଛି। ପ୍ରିୟଙ୍କା ଗାନ୍ଧୀଙ୍କ ପିଲାମାନଙ୍କ ଇନଷ୍ଟାଗ୍ରାମ କେବେ ହ୍ୟାକ୍ ହୋଇଥିଲା ଏବଂ ହ୍ୟାକିଂ ବିଷୟରେ ଇନଷ୍ଟାଗ୍ରାମକୁ କେବେ ସୂଚନା ଦିଆଗଲା ସେନେଇ ସମସ୍ତ ସୂଚନା ଇନଷ୍ଟାଗ୍ରାମକୁ ମଗାଯିବ । ପିଲାମାନଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟରେ କୌଣସି ଆପତ୍ତିଜନକ କିମ୍ବା ଅନୁପଯୁକ୍ତ ପୋଷ୍ଟ ଥିଲା କି? ଇନଷ୍ଟାଗ୍ରାମ ହ୍ୟାଣ୍ଡେଲକୁ ପୁଣି ସ୍ବାଭାବିକ କରିବାକୁ କେତେ ସମୟ ଲାଗିଲା? ଏହି ସବୁ ପ୍ରଶ୍ନର ଉତ୍ତର ଖୋଜାଯିବ ବୋଲି କୁହାଯାଇଛି ।

ପ୍ରିୟଙ୍କା ଗାନ୍ଧୀ ଉତ୍ତରପ୍ରଦେଶରେ ନିର୍ବାଚନ ପ୍ରଚାର ସମୟରେ ତାଙ୍କ ପିଲାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍ ହୋଇଥିବା ଅଭିଯୋଗ କରିଥିଲେ । ପ୍ରିୟଙ୍କାଙ୍କ ଏହି ଅଭିଯୋଗ ପରେ ଆଇଟି ମନ୍ତ୍ରଣାଳୟ ନିଜ ଆଡ଼ୁ ଏହାର ଯାଞ୍ଚ୍ କରିବାକୁ ଚାହୁଁଛି।