ବରିଷ୍ଠ ନାଗରିକଙ୍କ ପାଇଁ ଟ୍ରେନ୍ ଟିକେଟରେ ରିହାତି ସୁବିଧା ବନ୍ଦ କଲେ ସରକାର | News Room Odisha

ବରିଷ୍ଠ ନାଗରିକଙ୍କ ପାଇଁ ଟ୍ରେନ୍ ଟିକେଟରେ ରିହାତି ସୁବିଧା ବନ୍ଦ କଲେ ସରକାର

ନୂଆଦିଲ୍ଲୀ: କରୋନା ପୂର୍ବରୁ ବରିଷ୍ଠ ନାଗରିକମାନେ ରେଳ ଟିକେଟ୍ ଉପରେ ୫୦ ପ୍ରତିଶତ ରିହାତି ପାଉଥିଲେ । କିନ୍ତୁ କରୋନା ସମୟରେ ଏହି ସୁବିଧା ବନ୍ଦ ହୋଇଯାଇଥିଲା | କରୋନା ପ୍ରକୋପ କମିବା ପରେ ଟ୍ରେନ୍ ସେବା ପୁନଃ ଆରମ୍ଭ ହେଲା ସିନା ବରିଷ୍ଠ ନାଗରିକଙ୍କ ପାଇଁ ଏହି ରିହାତି ଆଉ ଲାଗୁ ହୋଇନଥିଲା । ବରିଷ୍ଠ ନାଗରିକଙ୍କୁ ଟ୍ରେନ୍ ଯାତ୍ରାରେ ରିହାତି ସୁବିଧା ପୁଣି ଆରମ୍ଭ କରିବାକୁ କୌଣସି ଉଦ୍ଦେଶ୍ୟ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଏହାଛଡ଼ା ଟ୍ରେନ୍ ଟିକେଟରେ କ୍ରୀଡ଼ାବିତଙ୍କୁ ଦିଆଯାଉଥିବା ରିହାତି ସୁବିଧା ମଧ୍ୟ ବନ୍ଦ ହେବ | ଆଜି ସଂସଦରେ ସରକାର ଏହି ସୂଚନା ଦେଇଛନ୍ତି।

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ସଂସଦରେ ଏକ ଲିଖିତ ଉତ୍ତରରେ କହିଛନ୍ତି ଯେ ବରିଷ୍ଠ ନାଗରିକଙ୍କୁ ଟ୍ରେନ୍ ଟିକେଟରେ ରିହାତି ପ୍ରଦାନ ଦ୍ବାରା ରାଜକୋଷ ଉପରେ ବଡ଼ ବୋଝ ପଡ଼ୁଛି । ତେଣୁ ଏହି ସୁବିଧା ପୁଣି ଲାଗୁ କରିବାର କୌଣସି ଯୋଜନା ନାହିଁ | କେବଳ ସ୍ୱତନ୍ତ୍ର ବର୍ଗର ଲୋକଙ୍କ ପାଇଁ ଭଡା କ୍ଷେତ୍ରରେ ରିହାତିର ସୁବିଧା ପୁନଃ ଆରମ୍ଭ ହୋଇଛି | ଏଥିରେ ଚାରୋଟି ବର୍ଗର ଭିନ୍ନକ୍ଷମ, ୧୧ଟି ବର୍ଗର ରୋଗୀ ଏବଂ ଛାତ୍ର ରହିଛନ୍ତି | ବରିଷ୍ଠ ନାଗରିକ ଏବଂ କ୍ରୀଡ଼ାବିତ୍ ତଥା ଅନ୍ୟାନ୍ୟ ବର୍ଗର ଯାତ୍ରୀଙ୍କ ପାଇଁ ଭଡ଼ା ରିହାତି ସୁବିଧା ପୁନଃ ଲାଗୁ ହୋଇନାହିଁ |

କରୋନା ପୂର୍ବରୁ ବରିଷ୍ଠ ନାଗରିକମାନେ ରାଜଧାନୀ ଏବଂ ଶତାବ୍ଦୀ ସମେତ ସମସ୍ତ ଟ୍ରେନରେ ଟିକେଟ୍ ଉପରେ ୫୦ ପ୍ରତିଶତ ରିହାତି ପାଉଥିଲେ । ୬୦ ବର୍ଷରୁ ଊର୍ଦ୍ଧ୍ବ ପୁରୁଷ ଏବଂ ୫୮ ବର୍ଷରୁ ଊର୍ଦ୍ଧ୍ବ ମହିଳାଙ୍କୁ ରେଳବାଇର ବରିଷ୍ଠ ନାଗରିକ ବର୍ଗରେ ରଖାଯାଇଥାଏ | କୋଭିଡ୍-୧୯ ପୂର୍ବରୁ ରାଜଧାନୀ, ଶତାବ୍ଦୀ, ଦୂରନ୍ତୋ ସମେତ ସମସ୍ତ ମେଲ୍ ଏକ୍ସପ୍ରେସ ଟ୍ରେନରେ ପୁରୁଷ ଯାତ୍ରୀଙ୍କ ମୂଳ ଭଡ଼ା ଉପରେ ୪୦ ପ୍ରତିଶତ ଏବଂ ମହିଳା ଯାତ୍ରୀଙ୍କୁ ୫୦ ପ୍ରତିଶତ ରିହାତି ମିଳୁଥିଲା। କିନ୍ତୁ କରୋନା ପରବର୍ତ୍ତୀ ଟ୍ରେନ୍ ସେବା ଆରମ୍ଭ ହେବାପରେ ଏହି ସୁବିଧା ସରକାର ବନ୍ଦ କରିଦେଇଛନ୍ତି।