ଗ୍ରେଗ୍ ବାର୍କଲେ ପୁଣି ଆଇସିସି ଅଧ୍ୟକ୍ଷ ନିର୍ବାଚିତ | News Room Odisha

ଗ୍ରେଗ୍ ବାର୍କଲେ ପୁଣି ଆଇସିସି ଅଧ୍ୟକ୍ଷ ନିର୍ବାଚିତ

ଦୁବାଇ: ନ୍ୟୁଜିଲାଣ୍ଡର ଗ୍ରେଗ୍ ବାର୍କଲେ ପୁଣି ଆଇସିସି ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଆଇସିସି ଅଧ୍ୟକ୍ଷ ଦୌଡ଼ରୁ ତାୱେଙ୍ଗୱା ମୁକୁହଲାନୀ ଓହରିବଯିବା ପରେ ବାର୍କଲେ ଆଉ ଦୁଇ ବର୍ଷର କାର୍ଯ୍ୟକାଳ ପାଇଁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ଗ୍ରେଗ ବାର୍କଲେ ପେଶାରେ ଅକଲ୍ୟାଣ୍ଡର ଜଣେ ଓକିଲ | ବାର୍କଲେ ପ୍ରଥମ ଥର ନଭେମ୍ବର ୨୦୨୦ରେ ଆଇସିସି ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲେ।

ଗ୍ରେଗ ବାର୍କଲେ ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍ ସଭାପତି ତଥା ଆଇସିସି ପୁରୁଷ କ୍ରିକେଟ୍ ବିଶ୍ୱକପ୍ ୨୦୧୫ର ନିର୍ଦ୍ଦେଶକ ମଧ୍ୟ ଥିଲେ। ଆଇସିସି ଅଧ୍ୟକ୍ଷ ଭାବେ ପୁନଃ ନିର୍ବାଚିତ ହେବା ପରେ ବାର୍କଲେ ଏକ ପ୍ରେସ ବିବୃତିରେ କହିଛନ୍ତି ଯେ ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦର ଅଧ୍ୟକ୍ଷ ଭାବେ ପୁନଃ ନିର୍ବାଚିତ ହେବା ଏକ ସମ୍ମାନର ବିଷୟ ଏବଂ ମୁଁ ମୋର ସହଯୋଗୀ ଆଇସିସି ନିର୍ଦ୍ଦେଶକମାନଙ୍କୁ ସେମାନଙ୍କ ସମର୍ଥନ ପାଇଁ ଧନ୍ୟବାଦ ଜଣାଉଛି।

ବାର୍କଲେ କହିଛନ୍ତି ଯେ କ୍ରିକେଟର ବିକାଶକୁ ଆହୁରି ସୁଦୃଢ଼ ତଥା ଆଗକୁ ନିଆଯିବ ଯାହା ଦ୍ଵାରା ବିଶ୍ବର ଅଧିକରୁ ଅଧିକ ଲୋକ ଏହି ଖେଳକୁ ଉପଭୋଗ କରିପାରିବେ। ଏଥିପାଇଁ ଏକାଠି କାମ କରିବାକୁ ପଡ଼ିବ।”