ବରଯାତ୍ରୀଙ୍କୁ ନେଇ ଯାଉଥିବା କାର୍ ନଦୀକୁ ଖସିଲା, ବର ସହ ୯ ମୃତ | News Room Odisha

ବରଯାତ୍ରୀଙ୍କୁ ନେଇ ଯାଉଥିବା କାର୍ ନଦୀକୁ ଖସିଲା, ବର ସହ ୯ ମୃତ

କୋଟା: ବରଯାତ୍ରୀଙ୍କୁ ନେଇ ଯାଉଥିବା ଏକ କାର୍ ନଦୀରେ ଖସିପଡ଼ିବାରୁ ବର ସମେତ ୯ ଜଣଙ୍କ ମୃତ୍ୟୁ ହୋଇଛି । ରାଜସ୍ଥାନ କୋଟାରେ ଏହି ଦୁଃଖଦ ଘଟଣା ଘଟିଛି। କାରରେ ଥିବା ବରଯାତ୍ରୀ ବାରୱାଡା ଠାରୁ ଉଜୈନକୁ ଯାଉଥିବାବେଳେ ନୟାପୁରା ପୋଲରୁ ଚମ୍ବଲ ନଦୀକୁ ଖସିପଡିଥିଲା ​​| ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା, କିନ୍ତୁ କାର୍ ରେ ଥିବା ଲୋକଙ୍କ ମଧ୍ୟରୁ କେହି ବି ଜୀବିତ ନଥିଲେ।

ପୋଲିସ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ଏକ ବରଯାତ୍ରୀ ଦଳ ବାରୱାଡା ଠାରୁ ଉଜୈନ ଅଭିମୁଖେ ଯାଉଥିଲେ। କାର୍ ଭିତରେ ୯ ଜଣ ଲୋକ ଥିଲେ | କାର୍ ସହ ଆଉ କିଛି ବରଯାତ୍ରୀଙ୍କୁ ନେଇ ଏକ ବସ୍ ମଧ୍ୟ ଯାଉଥିଲା | ଏସପି କେଶର ସିଂ ଶେଖାୱତ କହିଛନ୍ତି ଯେ ବସ୍ ବହୁ ଆଗକୁ ପଳାଇଥିଲା । ପଛରେ ଆସୁଥିବା କାର୍ ବାଟ ଜାଣିନପାରି ନୟାପୁରା ଚମ୍ବଲ ନଦୀ ଉପରେ ଏକ ଛୋଟ ପୋଲ ଦେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ନଦୀକୁ ଖସିପଡ଼ିଥିଲା |

ପୋଲିସ କହିଛି ଯେ ଅବିନାଶ ନାମକ ଜଣେ ବର ମଧ୍ୟ କାର ଭିତରେ ଥିଲେ। ଏହି କାରଟି ଉଜୈନକୁ ଯାଉଥିଲା |
ଏହି ଦୁଖଦ ଖବର ପ୍ରଚାରିତ ହେବା ପରେ କୋଟାରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଲୋକସଭା ବାଚସ୍ପତି ଓମ ବିର୍ଲା ମଧ୍ୟ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଏଥିସହ କୋଟା ଗସ୍ତରେ ଆସିଥିବା ନଗର ଉନ୍ନୟନ ମନ୍ତ୍ରୀ ମନ୍ତ୍ରୀ ଶାନ୍ତି ଧରୱାଲ ମଧ୍ୟ ଦୁଃଖ ପ୍ରକାଶ କରିବା ସହ ମୃତ ଲୋକଙ୍କ ପରିବାରକୁ ଶୀଘ୍ର ସହାୟତା କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।