ଗୁଜରାଟ ନିର୍ବାଚନ ପୂର୍ବରୁ ବିଜେପିର ବଡ଼ ନିଷ୍ପତ୍ତି: ରାଜ୍ୟରେ ୟୁନିଫର୍ମ ସିଭିଲ କୋଡ୍ ଲାଗୁ ପାଇଁ କମିଟି ଗଠିତ | News Room Odisha

ଗୁଜରାଟ ନିର୍ବାଚନ ପୂର୍ବରୁ ବିଜେପିର ବଡ଼ ନିଷ୍ପତ୍ତି: ରାଜ୍ୟରେ ୟୁନିଫର୍ମ ସିଭିଲ କୋଡ୍ ଲାଗୁ ପାଇଁ କମିଟି ଗଠିତ

ଅହମ୍ମଦାବାଦ: ନିର୍ବାଚନ ପାଖେଇ ଆସୁଥିବା ବେଳେ ଗୁଜରାଟରେ ବିଜେପି ୟୁନିଫର୍ମ ସିଭିଲ କୋଡ୍ କାର୍ଡ ଖେଳିଛି । ଏଥିପାଇଁ ରାଜ୍ୟ ସରକାର ଏକ କମିଟି ଗଠନ କରିଛନ୍ତି। ବିଧାନସଭା ନିର୍ବାଚନ ପୂର୍ବରୁ ଗୁଜରାଟ ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି। ନିର୍ବାଚନ କମିଶନ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଖୁବ୍ ଶୀଘ୍ର ତାରିଖ ଘୋଷଣା କରିପାରନ୍ତି ।

ଉଲ୍ଲେଖଯୋଗ୍ୟ, କ୍ଷମତା ପାଇଁ ବିଜେପି ରାମଜନ୍ମ ଭୂମିରେ ଭବ୍ୟ ରାମ ମନ୍ଦିର ନିର୍ମାଣ ଠାରୁ ଆରମ୍ଭ କରି ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ଏବଂ ୟୁନିଫର୍ମ ସିଭିଲ୍ କୋଡ୍ (ୟୁସିସି) ଭଳି ପ୍ରସଙ୍ଗ ଉଠାଇ ଆସିଛି | ତେବେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଆରମ୍ଭ ହୋଇଥିବା ବେଳେ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ମଧ୍ୟ ଉଚ୍ଛେଦ ହୋଇସାରିଛି । ବର୍ତ୍ତମାନ ବିଜେପି ପାଖରେ କେବଳ ୟୁସିସି ପ୍ରସଙ୍ଗ ରହିଛି। ଦେଶର ସମସ୍ତ ନାଗରିକଙ୍କ ପାଇଁ ସମାନ ଆଇନ ରହିବା ଉଚିତ ବୋଲି ବିଜେପି କହିଆସୁଛି।

ବିବାହ, ଛାଡପତ୍ର ଏବଂ ସମ୍ପତ୍ତି ଭଳି ପ୍ରସଙ୍ଗରେ ଏକ ସମାନ ବ୍ୟବସ୍ଥା ରହିବା ଉଚିତ୍ ବୋଲି ବିଜେପି କହୁଛି | ୟୁନିଫର୍ମ ସିଭିଲ୍ କୋଡ୍ ଲାଗୁ ପାଇଁ ବର୍ତ୍ତମାନ ସୁଦ୍ଧା କେନ୍ଦ୍ରୀୟ ସ୍ତରରେ କୌଣସି ପ୍ରୟାସ କରାଯାଇ ନାହିଁ । କିନ୍ତୁ ବିଜେପି ଶାସିତ ରାଜ୍ୟମାନେ ନିଶ୍ଚିତ ଭାବେ ଏ ବାବଦରେ ପଦକ୍ଷେପ ନେବା ଆରମ୍ଭ କରିଲେଣି । ଗୁଜରାଟ ପୂର୍ବରୁ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ମଧ୍ୟ ରାଜ୍ୟରେ ୟୁସିସି ଲାଗୁ କରିବା ପାଇଁ ଏକ କମିଟି ଗଠନ କରିସାରିଛନ୍ତି ।