ମସଜିଦରେ ଲାଉଡ୍ ସ୍ପିକର ବ୍ୟାନ୍ ପାଇଁ ଆବେଦନ ଖାରଜ କଲେ ଗୁଜରାଟ ହାଇକୋର୍ଟ, ପଚାରିଲେ 'ମନ୍ଦିରରେ ଆଳତି ବେଳେ କ'ଣ ଶବ୍ଦ ପ୍ରଦୂଷଣ ହେଉନି ?' | News Room Odisha

ମସଜିଦରେ ଲାଉଡ୍ ସ୍ପିକର ବ୍ୟାନ୍ ପାଇଁ ଆବେଦନ ଖାରଜ କଲେ ଗୁଜରାଟ ହାଇକୋର୍ଟ, ପଚାରିଲେ ‘ମନ୍ଦିରରେ ଆଳତି ବେଳେ କ’ଣ ଶବ୍ଦ ପ୍ରଦୂଷଣ ହେଉନି ?’

ଅହମ୍ମଦାବାଦ: ଦେଶରେ ଲାଉଡ ସ୍ପିକର ଉପରେ ରାଜନୀତି ନୂଆ ନୁହେଁ। ଏ ପ୍ରସଙ୍ଗରେ କୋର୍ଟରେ ଏକାଧିକ ମାମଲା ମଧ୍ୟ ଦାୟର ହୋଇଛି । ମସଜିଦରେ ଲାଉଡ ସ୍ପିକର ବ୍ୟବହାର ଉପରେ କଟକଣା ଦାବି କରି ଗୁଜରାଟ ହାଇକୋର୍ଟରେ ମଧ୍ୟ ଏକ ଆବେଦନ ଦାଖଲ ହୋଇଥିଲା। ହେଲେ ହାଇକୋର୍ଟ ଏହାକୁ ଖାରଜ କରିଦେଇଛନ୍ତି । କୋର୍ଟ କହିଛନ୍ତି ଯେ ମସଜିଦରେ ଆଜାନ୍ ପାଇଁ ଲାଉଡ ସ୍ପିକର ବ୍ୟବହାର ଶବ୍ଦ ପ୍ରଦୂଷଣର କାରଣ ନୁହେଁ।

ଆଜାନ ପାଇଁ ମଣିଷର ସ୍ୱର କିପରି ଗ୍ରହଣୀୟ ଡେସିବଲ (ଶବ୍ଦ ସ୍ତର) ସୀମା ଅତିକ୍ରମ କରୁଛି ତାହା ଆମେ ବୁଝିପାରୁ ନାହୁଁ। ହିନ୍ଦୁତ୍ୱ ସଂଗଠନ ବଜରଙ୍ଗ ଦଳ ନାମରେ ଏହି ଆବେଦନ ଦାୟର ହୋଇଥିଲା । ଏହି ଆବେଦନ ଶୁଣାଣି ବେଳେ ମନ୍ଦିରରେ ହେଉଥିବା ଆଳତି ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ କୋର୍ଟ।

ଗୁଜରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ସୁନୀତା ଅଗ୍ରୱାଲ ଏବଂ ଜଷ୍ଟିସ ଅନିରୁଦ୍ଧ ପି ମାୟେଙ୍କ ଖଣ୍ଡପୀଠ ଏପରି ଆବେଦନ ଉପରେ ବିରକ୍ତି ପ୍ରକାଶ କରିଥିଲେ। ଖଣ୍ଡପୀଠ ଆବେଦନକାରୀଙ୍କୁ ପଚାରିଥିଲେ, ମନ୍ଦିରରେ ଭୋର୍ ୩ଟା ସମୟରେ ମୃଦଙ୍ଗ, ଘଣ୍ଟ ଓ ସଙ୍ଗୀତ ସହ ଆଳତି ଆରମ୍ଭ ହୁଏ। ଏହା କ’ଣ ଶବ୍ଦ ପ୍ରଦୂଷଣ କରୁନି? ଘଣ୍ଟି ଏବଂ ଘଣ୍ଟର ଶବ୍ଦ କ’ଣ କେବଳ ମନ୍ଦିର ପରିସରରେ ସୀମିତ ହୋଇ ରୁହେ ? ଏହା ମନ୍ଦିର ବାହାରକୁ ଯାଏଁ ନାହିଁ କି? ‘

କୋର୍ଟ କହିଥିଲେ ବର୍ଷ ବର୍ଷ ଧରି ଚାଲିଆସୁଥିବା ମସଜିଦରେ ଆଜାନ୍ ଆସ୍ଥା ଓ ବିଶ୍ବାସର ଧାରା । ଏହା ୫-୧୦ ମିନିଟ୍ ପାଇଁ ହୁଏ ଓ ଦିନର ବିଭିନ୍ନ ସମୟରେ ହୋଇଥାଏ। ଏହା ବିରୋଧରେ ଆବେଦନ ଶୁଣାଣି ଯୋଗ୍ୟ ନୁହେଁ ବୋଲି କହି କୋର୍ଟ ଲାଉଡ୍ ସ୍ପିକର ବ୍ୟବହାର ବିରୋଧରେ ପିଟିସନ ଖାରଜ ‌କରିଦେଇଥିଲେ ।

ବଜରଙ୍ଗ ଦଳର ନେତା ଶକ୍ତିସିଂହ ଜାଲା ଏହି ଆବେଦନ କରିଥିଲେ। ସେ ଯୁକ୍ତି କରିଥିଲେ ଯେ ଲାଉଡ ସ୍ପିକର ମାଧ୍ୟମରେ ଆଜାନ୍ ଦ୍ୱାରା ଶବ୍ଦ ପ୍ରଦୂଷଣ ହେଉଛି। ଏହା ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ, ବିଶେଷକରି ପିଲାମାନଙ୍କର ସ୍ୱାସ୍ଥ୍ୟ ଅଧିକ ପ୍ରଭାବିତ ହୋଇଥାଏ | ଏହା ମଧ୍ୟ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ ।