ମୋଦୀ ସାଙ୍ଗିଆ ମାମଲା: ଆଜି ଗୁଜରାଟ ହାଇକୋର୍ଟରେ ହେବ ରାହୁଲ ଗାନ୍ଧୀଙ୍କ ଆବେଦନର ଶୁଣାଣି | News Room Odisha

ମୋଦୀ ସାଙ୍ଗିଆ ମାମଲା: ଆଜି ଗୁଜରାଟ ହାଇକୋର୍ଟରେ ହେବ ରାହୁଲ ଗାନ୍ଧୀଙ୍କ ଆବେଦନର ଶୁଣାଣି

ଅହମ୍ମଦାବାଦ: ଗୁଜରାଟ ହାଇକୋର୍ଟ ଶନିବାର (ଏପ୍ରିଲ ୨୯) ଅପରାଧିକ ମାନହାନୀ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କରିଥିବା ଆବେଦନର ଶୁଣାଣି କରିବେ । ସୁରଟ ସେସନ୍ସ କୋର୍ଟର ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ରାହୁଲ ଗାନ୍ଧୀ । ମୋଦୀ ସାଙ୍ଗିଆ ବୟାନ ନେଇ ଅପରାଧିକ ମାନହାନି ମାମଲାରେ ରାହୁଲଙ୍କ ଦଣ୍ଡ ଉପରେ ରୋକ୍ ଲଗାଇବାକୁ ସୁରଟ ସେସନ୍ସ କୋର୍ଟ ମନା କରି ଦେଇଥିଲେ।

ଏହି ମାମଲାର ଶୁଣାଣିରୁ ଗୁଜୁରାଟ ହାଇକୋର୍ଟର ଜଣେ ବିଚାରପତି ଗୀତା ଗୋପୀ ଓହରି ଯାଇଥିଲେ । ତାଙ୍କ ସ୍ଥାନରେ ବର୍ତ୍ତମାନ ଜଷ୍ଟିସ ହେମନ୍ତ ପ୍ରଛକଙ୍କ ବେଞ୍ଚ ଏହି ମାମଲାର ଶୁଣାଣି କରିବେ।

ଗୁଜରାଟର ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀଙ୍କ ତରଫରୁ ଦାୟର ୨୦୧୯ ମାମଲାରେ ସୁରଟର ଚିଫ୍ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କ କୋର୍ଟ ମାର୍ଚ୍ଚ ୨୩ରେ ପୂର୍ବତନ କଂଗ୍ରେସ ସଭାପତିଙ୍କୁ ଆଇପିସିର ଧାରା ୪୯୯ ଏବଂ ୫୦୦ (ଅପରାଧିକ ମାନହାନି) ଅନୁଯାୟୀ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଏହି କୋର୍ଟ ରାୟ ପରେ ଲୋକ ପ୍ରତିନିଧୀ ଆଇନ ଅନୁଯାୟୀ ଗାନ୍ଧୀଙ୍କ ସଂସଦ ସଦସ୍ୟତା ରଦ୍ଦ ହୋଇଥିଲା । ରାହୁଲ ଗାନ୍ଧୀ କେରଳର ୱାୟାନାଡରୁ ଲୋକସଭା ସାଂସଦ ଥିଲେ।

ଦଣ୍ଡାଦେଶ ଉପରେ ରୋକ୍ ଲଗାଇବା ପାଇଁ ରାହୁଲ ସୁରଟ ସେସନ୍ସ କୋର୍ଟରେ ଆବେଦନ କରିଥିଲେ । ହେଲେ ଏପ୍ରିଲ ୨୦ରେ କୋର୍ଟ ଏହାକୁ ଖାରଜ କରିଦେଇଥିଲେ। ଏହି ମାମଲାରେ ରାହୁଲ ଗାନ୍ଧୀ ବର୍ତ୍ତମାନ ଜାମିନରେ ଅଛନ୍ତି।