ଜମି ବଦଳରେ ଚାକିରି ଦୁର୍ନୀତି: ତେଜସ୍ୱୀ ଯାଦବଙ୍କୁ ମିଳିବ କି ଆଶ୍ବସ୍ତି ? ସିବିଆଇ ଚାର୍ଜସିଟ୍ ଉପରେ ଆଜି ଶୁଣାଣି | News Room Odisha

ଜମି ବଦଳରେ ଚାକିରି ଦୁର୍ନୀତି: ତେଜସ୍ୱୀ ଯାଦବଙ୍କୁ ମିଳିବ କି ଆଶ୍ବସ୍ତି ? ସିବିଆଇ ଚାର୍ଜସିଟ୍ ଉପରେ ଆଜି ଶୁଣାଣି

ନୂଆଦିଲ୍ଲୀ: ଜମି ବଦଳରେ ଚାକିରି ଦୁର୍ନୀତି ମାମଲାରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ବିରୋଧରେ ଦାଖଲ ସିବିଆଇ ଚାର୍ଜସିଟ୍ ଉପରେ ଆଜି ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟରେ ଶୁଣାଣି ହେବ। ଜୁଲାଇ ୩ରେ ସିବିଆଇ ଏହି ମାମଲାରେ ଚାର୍ଜସିଟ୍ ଦାଖଲ କରିଥିଲା। ପୂର୍ବରୁ ଏହି ମାମଲାରେ ଲାଲୁ ଯାଦବ ଏବଂ ରାବଡୀ ଦେବୀଙ୍କୁ ଅଭିଯୁକ୍ତ କରାଯାଇଥିଲା । କିନ୍ତୁ ପରେ ଦାଖଲ ଅତିରିକ୍ତ ଚାର୍ଜସିଟରେ ତେଜସ୍ୱୀ ଯାଦବଙ୍କ ନାମ ମଧ୍ୟ ଯୋଡା ଯାଇଥିଲା। ଚାର୍ଜସିଟରେ ତାଙ୍କ ନାମ ସାମ୍ନାକୁ ଆସିବା ପରେ ତେଜସ୍ୱୀ ଯାଦବଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ବିରୋଧୀ ତାଙ୍କ ଇସ୍ତଫା ଦାବି କରିଛନ୍ତି ।

ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ କହିଛନ୍ତି, ଲାଲୁ ପ୍ରସାଦ ଗରିବ ଏବଂ ପଛୁଆ ଲୋକଙ୍କୁ ବିଭ୍ରାନ୍ତ କରି କ୍ଷମତା ହାସଲ କରିଥିଲେ । ସେ କେବଳ ଧନସମ୍ପତ୍ତି ବୃଦ୍ଧି ପାଇଁ କ୍ଷମତାର ଅପବ୍ୟବହାର କରିଛନ୍ତି। ଲାଲୁଙ୍କ ପରିବାର ଦେଶର ସବୁଠାରୁ ଦୁର୍ନୀତିଗ୍ରସ୍ତ ରାଜନୈତିକ ପରିବାର ମଧ୍ୟରେ ଅନ୍ୟତମ। ବିହାର ଏଥିପାଇଁ ଲଜ୍ଜିତ। ତେଜସ୍ୱୀ ଯାଦବ ତାଙ୍କର ପଢା ଶେଷ କରିନାହାଁନ୍ତି କି କୌଣସି ଚାକିରି କରିନାହାଁନ୍ତି । ତାଙ୍କ ପିତାମାତାଙ୍କର କୌଣସି ପୈତୃକ ସମ୍ପତ୍ତି ମଧ୍ୟ ନାହିଁ। ଏପରି ପରିସ୍ଥିତିରେ ସେ କିପରି ୩୩ ବର୍ଷ ବୟସରେ ୫୨ ବହୁମୂଲ୍ୟ ପ୍ରପର୍ଟିର ମାଲିକ ହେଲେ ବୋଲି ତେଜସ୍ୱୀ ପ୍ରଶ୍ନ କରିଛନ୍ତି ।

ଯେତେବେଳେ ଲାଲୁ ପ୍ରସାଦ ଯାଦବ କେନ୍ଦ୍ର ରେଳମନ୍ତ୍ରୀ ଥିଲେ ୨୦୦୪ ରୁ ୨୦୦୯ ମଧ୍ୟରେ ଚାକିରି ପାଇଁ ଜମି ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ରେଳବାଇରେ ଚାକିରି ବଦଳରେ ଆଶାୟୀଙ୍କୁ ସେମାନଙ୍କ ଜମି ଲାଲୁଙ୍କ ପରିବାର ଲୋକଙ୍କ ନାଁରେ କରିବାକୁ କୁହାଯାଉଥିଲା ।