न्यूज़रूम ओडिशा
ब्रेकिंग
ओडिया समाचार

ସମ୍ବଲପୁରରେ ସି.ଏମ କିଷାନ ସହାୟତା ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ପବିତ୍ର ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁରଠାରେ ସି.ଏମ କିଷାନ ସହାୟତା ଯୋଜନାର ଶୁଭାରମ୍ଭ କରିଛନ୍ତି। ଏଥି ସହିତ ମୁଖ୍ୟମନ୍ତ୍ରୀ ପିଏମ କିଷାନ ଯୋଜନାର ସ୍ବତନ୍ତ୍ର ଅଭିଯାନ, ସିଏମ କିଷାନ ପୋର୍ଟାଲ ଓ କୃଷକ ଓଡିଶା ୟୁନିଫାଏଡ୍ ପୋର୍ଟାଲର ଉନ୍ମୋଚନ କରିଛନ୍ତି। ସମ୍ବଲପୁରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ପ୍ରଥମେ ଚାଷୀ କୂଳର ସମୃଦ୍ଧି ଓ ଓଡିଶାବାସୀଙ୍କ କଲ୍ୟାଣ ପାଇଁ ମା ସମଲେଇଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ । ଏହା [...]

Admin•8 सितंबर 2024
Share Article:

ଭୁବନେଶ୍ୱର: ଆଜି ପବିତ୍ର ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁରଠାରେ ସି.ଏମ କିଷାନ ସହାୟତା ଯୋଜନାର ଶୁଭାରମ୍ଭ କରିଛନ୍ତି। ଏଥି ସହିତ ମୁଖ୍ୟମନ୍ତ୍ରୀ ପିଏମ କିଷାନ ଯୋଜନାର ସ୍ବତନ୍ତ୍ର ଅଭିଯାନ, ସିଏମ କିଷାନ ପୋର୍ଟାଲ ଓ କୃଷକ ଓଡିଶା ୟୁନିଫାଏଡ୍ ପୋର୍ଟାଲର ଉନ୍ମୋଚନ କରିଛନ୍ତି।

ସମ୍ବଲପୁରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ପ୍ରଥମେ ଚାଷୀ କୂଳର ସମୃଦ୍ଧି ଓ ଓଡିଶାବାସୀଙ୍କ କଲ୍ୟାଣ ପାଇଁ ମା ସମଲେଇଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ । ଏହା ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତି ରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାୟକ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହିତ ମିଶି ମନ୍ଦିର ପରିସରରେ ନବାନ୍ନ ଖାଇଥିଲେ।

ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ଅଡିଟୋରିୟମରେ ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ସମସ୍ତ ଚାଷୀ ଭାଇ ଭଉଣୀ ମାନଙ୍କୁ କୃଷି କ୍ଷେତ୍ରରେ ସଶକ୍ତ କରିବାର ମୂଳ ଲକ୍ଷ୍ୟ ରଖି ରାଜ୍ୟ ସରକାର ସର୍ବଦା କାର୍ଯ୍ୟ କରୁଛନ୍ତି। ସିଏମ କିଷାନ ଯୋଜନାରେ ହସ୍ତାନ୍ତର ହେଉଥିବା ଏହି ସହାୟତା ରାଶି ଚାଷୀ ମାନଙ୍କୁ ଅତ୍ୟାବଶ୍ୟକୀୟ କୃଷି ସମାଗ୍ରୀ ଯଥା – ବିହନ, ସାର, କୀଟନାଶକ ଇତ୍ୟାଦି ଆବଶ୍ୟକତା ଅନୁଯାୟୀ କିଣିବାରେ ନିଶ୍ଚିତ ରୂପେ ସହାୟତା କରିବ। ରବି ଋତୁରେ ୯୨୫ କୋଟିରୁ ଅଧିକ ଟଙ୍କା ବିନିଯୋଗ ମାଧ୍ୟମରେ ରାଜ୍ୟର ୪୫,୫୭,୭୩୩ ଜଣ କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ଏବଂ ୩୯,୩୦୩ ଭୂମିହୀନ କୃଷି ପରିବାର ଏହା ମାଧ୍ୟମରେ ଉପକୃତ ହେବେ। ସିଏମ କିଷାନର ଏହି ସହାୟତା ରାଶି ଉଭୟ ଖରିଫ ଓ ରବି ଋତୁ ପାଇଁ ଦୁଇଟି କିସ୍ତିରେ ସମୁଦାୟ ଚାରି ହଜାର ଟଙ୍କା ପ୍ରଦାନ କରାଯିବ। ସିଏମ କିଷାନ ଯୋଜନାର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ପିଲାମାନଙ୍କ ବୈଷୟିକ ଉଚ୍ଚ ଶିକ୍ଷା ନିମନ୍ତେ କୃଷି ବିଦ୍ୟା ନିଧି ଯୋଜନାରେ ଦୁଇ ଲକ୍ଷ ଟଙ୍କା ଛାତ୍ର ବୃତ୍ତିର ବ୍ୟବସ୍ଥା କରାଯାଇଛି ବୋଲି ସେ କହିଥିଲେ।

ସେ ଆହୁରି ମଧ୍ୟ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ କୃଷକ କଲ୍ୟାଣକାରୀ ଯୋଜନା ପିଏମ କିଷାନ ଯୋଜନାରେ ଭୂମିଧାରି ଚାଷୀଙ୍କ ପାଇଁ ତିନୋଟି କିସ୍ତିରେ ବାର୍ଷିକ ୬ ହଜାର ଟଙ୍କାର ବ୍ୟବସ୍ଥା କରାଯାଇଛି। ଏଥିରେ ସିଏମ କିଷାନ ଯୋଡି ହୋଇଗଲେ ଚାଷୀ ବର୍ଷକୁ ୧୦ ହଜାର ଟଙ୍କା ପାଇବେ। ଏହି ଯୋଜନାର ହିତାଧିକାରୀ ଚୟନ ପ୍ରକ୍ରିୟା କାର୍ଯ୍ୟକୁ ଦୁଇ ମାସ ବୃଦ୍ଧି କରି ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ବ୍ଲକରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ସମୟ ମଧ୍ୟରେ ନାମ ପଞ୍ଜିକରଣ ଓ ଅନ୍ୟାନ୍ୟ ଜରୁରୀ କାର୍ଯ୍ୟ କୃଷକ ମାନେ ଜନ ସେବା କେନ୍ଦ୍ର ମାଧ୍ୟମରେ ନିଶୁଳ୍କ ଭାବେ ସମ୍ପାଦନ କରି ପାରିବେ।

ଆଜି ଲୋକାର୍ପିତ ହୋଇଥିବା ସିଏମ କିଷାନ ପୋର୍ଟାଲ ମାଧ୍ୟମରେ ଉଭୟ ସିଏମ କିଷାନ ଓ ପିଏମ କିଷାନ ଅନଲାଇନ କାର୍ଯ୍ୟ ସମ୍ପାଦିତ ହେବ ବୋଲି ସେ କହିଥିଲେ। ଏଥି ସହିତ ରାଜ୍ୟର ସମସ୍ତ ଚାଷୀ ମାନଙ୍କ ସୁବିଧା ପାଇଁ ଆଜିଠାରୁ କୃଷକ ଓଡିଶା ୟୁନିଫାଏଡ ପୋର୍ଟାଲର ବ୍ୟବସ୍ଥା କରାଯାଇଛି । ଏହା ମାଧ୍ୟମରେ ଚାଷୀ ମାନେ ବିଭିନ୍ନ କୃଷି ଓ ଆନୁସଙ୍ଗିକ କାର୍ଯ୍ୟ ସମ୍ପନ୍ଧୀୟ ପ୍ରଚଳିତ ସରକାରୀ ଯୋଜନା ବିଷୟରେ ତଥ୍ୟ ଜାଣିପାରିବା ସହିତ ଏଥିରୁ ମିଳୁଥିବା ସୁବିଧା ପାଇଁ ମଧ୍ୟ ଆବେଦନ କରି ପାରିବେ।

#Odia#Odisha#News
Share Article:

Related Articles