୨୫ ବର୍ଷ ପରେ ମଣିପୁରରେ ପ୍ରଦର୍ଶିତ ହେଲା ହିନ୍ଦୀ ଫିଲ୍ମ | News Room Odisha

୨୫ ବର୍ଷ ପରେ ମଣିପୁରରେ ପ୍ରଦର୍ଶିତ ହେଲା ହିନ୍ଦୀ ଫିଲ୍ମ

ଇମ୍ଫାଲ: ହିଂସା ପ୍ରଭାବିତ ମଣିପୁରରେ ୨୫ ବର୍ଷ ପରେ ସର୍ବସାଧାରଣରେ ଏକ ହିନ୍ଦୀ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଛି |
ଅଗଷ୍ଟ ୧୫ରେ ମଣିପୁରର ଚୁରାଚାନ୍ଦପୁରର ଏକ ମୁକ୍ତାକାଶ ଥିଏଟରରେ ପାକିସ୍ତାନ ଉପରେ ଭାରତର ସର୍ଜିକାଲ ଷ୍ଟ୍ରାଇକ୍ ଉପରେ ଆଧାରିତ ଫିଲ୍ମ ‘ଉରି’ ପ୍ରଦର୍ଶିତ ହୋଇଥିଲା।

ସୂଚନା ଅନୁଯାୟୀ, ଫିଲ୍ମ ସ୍କ୍ରିନିଂ ସମୟରେ ରେଙ୍ଗକାଇ (ଲାମକା)ରେ ବହୁ ସଂଖ୍ୟକ ଲୋକ ଉପସ୍ଥିତ ଥିଲେ। ଏହି ଚଳଚ୍ଚିତ୍ରର ସ୍କ୍ରିନିଂ ‘ହମର ଷ୍ଟୁଡେଣ୍ଟସ୍ ଆସୋସିଏସନ୍(ଏଚ୍ଏସ୍ଏ) ତରଫରୁ ଆୟୋଜିତ ହୋଇଥିଲା।

ମଣିପୁରରେ ସେପ୍ଟେମ୍ବର ୨୦୦୦ରେ ରିଭୋଲ୍ୟୁସନାରୀ ପିପୁଲ୍ସ ଫ୍ରଣ୍ଟ (ଆରପିଏଫ୍) ନାମକ ଉଗ୍ରବାଦୀ ସଂଗଠନ ହିନ୍ଦୀ ଚଳଚ୍ଚିତ୍ର ଉପରେ କଟକଣା ଲଗାଇଥିଲା।

କୁକି ସମ୍ପ୍ରଦାୟ ସହିତ ଜଡିତ ଏକ ସଂସ୍ଥାର ମୁଖପାତ୍ର ଗିନ୍ଜା ୱୁଆଲଜୋଙ୍ଗ କହିଛନ୍ତି, “ଦୁଇ ଦଶନ୍ଧି ଧରି ଆମ ସହରରେ ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲାଗିଥିଲା। ମୈତେଇ ସମ୍ପ୍ରଦାୟର ଲୋକମାନେ ହିନ୍ଦୀ ଚଳଚ୍ଚିତ୍ର ଉପରେ କଟକଣା ଲଗାଇଥିଲେ। ଏହା ବିରୋଧରେ ଏହି ଫିଲ୍ମ ସ୍କ୍ରିନିଂ ସହ ଆମେ ଆମର ଦେଶ ପ୍ରତି ଭଲପାଇବା ବ୍ୟକ୍ତ କରିଛୁ ।

ଏଚ୍ଏସ୍ଏ କହିଛି ଯେ ମଣିପୁରରେ ଶେଷଥର ୧୯୯୮ରେ ଏକ ହିନ୍ଦୀ ଫିଲ୍ମ ‘କୁଛ୍ କୁଛ୍ ହୋତା ହୈ’ ରିଲିଜ୍ ହୋଇଥିଲା।

ଅଧିକାରୀଙ୍କ କହିବା ଅନୁଯାୟୀ, ୨୦୦୦ ମସିହାରେ ଯେତେବେଳେ ହିନ୍ଦୀ ଫିଲ୍ମ ଉପରେ ନିଷେଧାଦେଶ ଘୋଷଣା କରାଯାଇଥିଲା, ସେତେବେଳେ ବିଦ୍ରୋହୀ ରିଭୋଲ୍ୟୁସନାରୀ ପିପୁଲ୍ସ ଫ୍ରଣ୍ଟ (ଆରପିଏଫ୍) ପ୍ରାୟ ୮ ହଜାର ହିନ୍ଦୀ ଭିଡିଓ-ଅଡିଓ କ୍ୟାସେଟ୍ ପୋଡ଼ି ଦେଇଥିଲେ। ଏହି କ୍ୟାସେଟ୍ ଗୁଡିକ ରାଜ୍ୟର ବିଭିନ୍ନ ସ୍ଥାନରୁ ସଂଗ୍ରହ କରାଯାଇଥିଲା |

ରାଜ୍ୟର ଭାଷା ଓ ସଂସ୍କୃତି ଉପରେ ବଲିଉଡ୍ ଫିଲ୍ମର ନକାରାତ୍ମକ ପ୍ରଭାବ ପଡ଼ୁଥିବା ଦର୍ଶାଇ ଆରପିଏଫ୍ ହିନ୍ଦୀ ଫିଲ୍ମ ଉପରେ ବ୍ୟାନ୍ ଘୋଷଣା କରିଥିଲା ।