କାଶ୍ମୀରରେ ଥମୁନି ଟାର୍ଗେଟ କିଲିଂ, ହିନ୍ଦୁ ବ୍ୟାଙ୍କ ମ୍ୟାନେଜରଙ୍କୁ ହତ୍ୟା କଲେ ଆତଙ୍କବାଦୀ | News Room Odisha

କାଶ୍ମୀରରେ ଥମୁନି ଟାର୍ଗେଟ କିଲିଂ, ହିନ୍ଦୁ ବ୍ୟାଙ୍କ ମ୍ୟାନେଜରଙ୍କୁ ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଟାର୍ଗେଟ କିଲିଂ ଜାରି ରହିଛି । ଆତଙ୍କବାଦୀମାନେ ପୁଣି ଗୁରୁବାର କୁଲଗାମର ଏକ ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁଳିକରି ହତ୍ୟା କରିଛନ୍ତି । ହତ୍ୟାର ଶିକାର ହୋଇଥିବା ବ୍ୟାଙ୍କ ମ୍ୟାନେଜର ହେଉଛନ୍ତି ବିଜୟ କୁମାର। ବିଜୟ କୁମାର ରାଜସ୍ଥାନର ମୂଳ ବାସିନ୍ଦା ଥିଲେ । କିଛି ଦିନ ତଳେ କୁଲଗାମରେ ହିଁ ଆତଙ୍କବାଦୀମାନେ ଜଣେ ହିନ୍ଦୁ ଶିକ୍ଷୟତ୍ରୀଙ୍କୁ ଗୁଳି କରି ହତ୍ୟା କରିଥିଲେ।

ବିଜୟ କୁମାର କୁଲଗାମର ମୋହନପୋରା ଗ୍ରାମ୍ୟବ୍ୟାଙ୍କରେ କାର୍ଯ୍ୟ କରୁଥିଲେ। ଆଜି ବ୍ୟାଙ୍କ୍ ଭିତରେ ପଶି କିଛି ଆତଙ୍କବାଦୀ ତାଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ । ଘଟଣାସ୍ଥଳରେ ବିଜୟ କୁମାରଙ୍କ ମୃତ୍ୟୁ ହୋଇଥିଲା। ସେ ରାଜସ୍ଥାନର ହନୁମାନଗଡର ବାସିନ୍ଦା ଥିଲେ। ଘଟଣା ପରେ ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ ଚାରିଆଡୁ ଘେରି ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛନ୍ତି।

ଆତଙ୍କବାଦୀମାନେ କ୍ରମାଗତ ଭାବରେ ଉପତ୍ୟକାରେ ହିନ୍ଦୁ ନାଗରିକ ଏବଂ ସରକାରୀ କର୍ମଚାରୀଙ୍କୁ ଟାର୍ଗେଟ କରୁଛନ୍ତି। ନିକଟରେ ବଡଗାମରେ କାଶ୍ମୀରୀ ପଣ୍ଡିତ ରାହୁଲ ଭଟ୍ଟ ଏବଂ କୁଲଗାମରେ ଜଣେ ଶିକ୍ଷୟିତ୍ରୀଙ୍କୁ ହତ୍ୟା କରାଯାଇଥିଲା। ଏହାପରେ କାଶ୍ମୀରୀ ପଣ୍ଡିତମାନେ ସୁରକ୍ଷା ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କାଶ୍ମୀରୀ ପଣ୍ଡିତଙ୍କ ଦାବି ଥିଲା ଯେ ସମସ୍ତ ପ୍ରବାସୀ କାଶ୍ମୀରୀ ପଣ୍ଡିତ ସରକାରୀ କର୍ମଚାରୀଙ୍କୁ ଏକ ସୁରକ୍ଷିତ ସ୍ଥାନରେ ପୋଷ୍ଟିଂ କରାଯାଉ।