ଜାମ୍ମୁ-କାଶ୍ମୀର ପ୍ରଶାସନର ବଡ଼ କାର୍ଯ୍ୟାନୁଷ୍ଠାନ: ହିଜବୁଲ ମୁଜାହିଦ୍ଦିନ ମୁଖ୍ୟର ପୁଅ ଓ ବିଟ୍ଟା କରାଟେର ପତ୍ନୀଙ୍କ ସମେତ ଚାରି ଚାକିରିରୁ ବହିଷ୍କୃତ | News Room Odisha

ଜାମ୍ମୁ-କାଶ୍ମୀର ପ୍ରଶାସନର ବଡ଼ କାର୍ଯ୍ୟାନୁଷ୍ଠାନ: ହିଜବୁଲ ମୁଜାହିଦ୍ଦିନ ମୁଖ୍ୟର ପୁଅ ଓ ବିଟ୍ଟା କରାଟେର ପତ୍ନୀଙ୍କ ସମେତ ଚାରି ଚାକିରିରୁ ବହିଷ୍କୃତ

ଶ୍ରୀନଗର: ଜାମ୍ମୁ କାଶ୍ମୀର ପ୍ରଶାସନ ଆତଙ୍କବାଦୀ ବିଟ୍ଟା କରାଟେର ପତ୍ନୀଙ୍କ ସମେତ ଆତଙ୍କବାଦୀ ଲିଙ୍କ୍ ଅଭିଯୋଗରେ ଚାରିଜଣ ସରକାରୀ କର୍ମଚାରୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଚାରି ଜଣଙ୍କୁ ସରକାରୀ ଚାକିରୀରୁ ବହିଷ୍କୃତ କରି ଦିଆଯାଇଛି। ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନ ମୁଖ୍ୟ ସୟଦ ସଲାହୁଦ୍ଦିନର ପୁଅ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇଛି।

ଆତଙ୍କବାଦୀ ଲିଙ୍କ୍ ପାଇଁ ବିଟ୍ଟା କରାଟେଙ୍କ ପତ୍ନୀ ତଥା କାଶ୍ମୀର ବିଶ୍ୱବିଦ୍ୟାଳୟର ଜଣେ ବୈଜ୍ଞାନିକଙ୍କ ସମେତ ଚାରି ଜଣ ସରକାରୀ କର୍ମଚାରୀଙ୍କୁ ବରଖାସ୍ତ କରାଯାଇଛି। ଜାମ୍ମୁ କାଶ୍ମୀର ପ୍ରଶାସନ ଧାରା ୩୧୧ ଅନୁଯାୟୀ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ବହିଷ୍କୃତ ଚାରି ସରକାରୀ କର୍ମଚାରୀଙ୍କ ମଧ୍ୟରେ ସବୁଠାରୁ ପ୍ରମୁଖ ନାମ ହେଉଛି ବିଟ୍ଟା କରାଟେର ପତ୍ନୀ ଅସବାହ ଆରଜୁମନ୍ଦ ଖାନ୍ | ଅସବାହ ଆରଜୁମନ୍ଦ ଖାନ୍ ୨୦୧୧ ବ୍ୟାଚର ଜମ୍ମୁ-କାଶ୍ମୀର ପ୍ରଶାସନିକ ସେବା (ଜେକେଏଏସ୍) ଅଧିକାରୀ ଥିଲେ | ଏହାଛଡ଼ା ହିଜବୁଲ ମୁଜାହିଦ୍ଦିନ ମୁଖ୍ୟ ସୟଦ ସଲାହୁଦ୍ଦିନର ପୁଅକୁ ମଧ୍ୟ ସରକାରୀ ଚାକିରିରୁ ହଟାଇ ଦିଆଯାଇଛି। କାଶ୍ମୀର ବିଶ୍ୱବିଦ୍ୟାଳୟର ବରିଷ୍ଠ ସହକାରୀ ପ୍ରଫେସର ମାଜିଦ୍ ହୁସେନ୍ କାଦରୀ ଏବଂ ବୈଜ୍ଞାନିକ ସୟିଦ୍ ମୁହିତ ଭଟଙ୍କୁ ମଧ୍ୟ ବିଦା କରାଯାଇଛି। ବିଟା କରାଟେର ପତ୍ନୀ ଏବଂ ସୟଦ ସଲାହୁଦ୍ଦିନଙ୍କ ତୃତୀୟ ପୁଅର ଆତଙ୍କବାଦୀଙ୍କ ସହ ସିଧାସଳଖ ସମ୍ପର୍କ ଥିଲା ବୋଲି ଅଭିଯୋଗ ହୋଇଥିଲା । ସେହିପରି କାଶ୍ମୀର ବିଶ୍ୱବିଦ୍ୟାଳୟର ପ୍ରଫେସର ତଥା ବୈଜ୍ଞାନିକ ପ୍ରଫେସର ମାଜିଦ୍ ହୁସେନ୍ କାଦରୀ ଏବଂ ସୟିଦ୍ ମୁହିତ ଭଟ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି।

ଉଲ୍ଲେଖଯୋଗ୍ୟ, ଜେକେଏଲ୍ଏଫ୍ ନେତା ଓ ଆତଙ୍କବାଦୀ ବିଟ୍ଟା କରାଟେ ବିରୋଧରେ ନବେ ଦଶକରେ କାଶ୍ମୀରୀ ପଣ୍ଡିତଙ୍କ ଗଣହତ୍ୟା ଅଭିଯୋଗ ହୋଇଥିଲା । ଅପରପକ୍ଷରେ ଯେତେବେଳେ ପଞ୍ଜାବରେ ଆତଙ୍କବାଦ ଏବଂ ଅଲଗା ଖାଲିସ୍ତାନ ରାଷ୍ଟ୍ର ପାଇଁ ଦାବି ଚରମରେ ପହଞ୍ଚିଥିଲା, ମନିନ୍ଦର ସିଂ ବିଟ୍ଟା ଅନେକ ବର୍ଷ ଧରି ଅନେକ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡିତ ଥିଲା।