ହକି ବିଶ୍ୱକପ : ନେଦରଲ୍ୟାଣ୍ଡସର ଲଗାତର ଦ୍ୱିତୀୟ ବିଜୟ | News Room Odisha

ହକି ବିଶ୍ୱକପ : ନେଦରଲ୍ୟାଣ୍ଡସର ଲଗାତର ଦ୍ୱିତୀୟ ବିଜୟ

ରାଉରକେଲା – ହକି ବିଶ୍ୱକପରେ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆଜି ଖେଳାଯାଇଥିବା ପୁଲ ‘ସି’ର ଏକ ମ୍ୟାଚରେ ତିନିଥରର ଚାମ୍ପିଅନ ନେଦରଲ୍ୟାଣ୍ଡ୍ସ ନ୍ୟୁଜିଲ୍ୟାଣ୍ଡକୁ ୪-୦ ଗୋଲରେ ପରାସ୍ତ କରିଛି। ଏହା ହେଉଛି ନେଦରଲ୍ୟାଣ୍ଡସର ଦ୍ୱିତୀୟ ବିଜୟ । ଏ‌ହି ବିଜୟ ସହ ଦଳ କ୍ୱାର୍ଟର ଫାଇନାଲରେ ସିଧାସଳଖ ପ୍ରବେଶ ନିଶ୍ଚିତ କରିଛି । ନିଜର ପ୍ରଥମ ମ୍ୟାଚ୍‌ରେ ନେଦରଲ୍ୟାଣ୍ଡସ ମାଲେସିଆକୁ ହରାଇଥିଲା।

ମ୍ୟାଚ୍‌ରେ ତୃତୀୟ ମିନିଟ୍‌ରେ ହିଁ ନେଦରଲ୍ୟାଣ୍ଡ୍ସର ଅଧିନାୟକ ଥିରୀ ବ୍ରିଙ୍କମାନ ପ୍ରଥମ ଗୋଲ କରିଥିଲେ । ପ୍ରଥମ କ୍ୱାର୍ଟରରେ ବ୍ରିଙ୍କମାନ ଡଚ୍ ଟିମ୍ ପକ୍ଷରୁ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ। ପ୍ରଥମ କ୍ୱାର୍ଟର ସୁଦ୍ଧା ଦଳ ୨-୦ ଗୋଲରେ ଆଗୁଆ ଥିଲା ।

ଦ୍ୱିତୀୟ କ୍ୱାର୍ଟରରେ ନେଦରଲ୍ୟାଣ୍ଡ୍ସ ପକ୍ଷରୁ କୋଇନ ଭିଜେନ ତୃତୀୟ ଗୋଲ ସ୍କୋର କରିଥିଲେ। ପ୍ରଥମାର୍ଦ୍ଧ ସୁଦ୍ଧା ସ୍ଥିତି ୩-୦ ରହିଥିଲା। ତୃତୀୟ କ୍ୱାର୍ଟର ଗୋଲ ଶୂନ୍ୟ ରହିଥିଲା।
ଚତୁର୍ଥ କ୍ୱାର୍ଟରରେ ହୋଡମେକର୍ସ ଚତୁର୍ଥ ଗୋଲ ଦେଇ ଦଳକୁ ୪-୦ରେ ଆଗୁଆ କରିଥିଲେ।