ବିଶ୍ୱକପ ଫାଇନାଲ ପାଇଁ ହୋଟେଲ୍, ବିମାନ ଭଡ଼ା ଆକାଶଛୁଆଁ | News Room Odisha

ବିଶ୍ୱକପ ଫାଇନାଲ ପାଇଁ ହୋଟେଲ୍, ବିମାନ ଭଡ଼ା ଆକାଶଛୁଆଁ

ଅହମ୍ମଦାବାଦ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ବକପ୍ ଫାଇନାଲ୍ ପାଇଁ ଅହମ୍ମଦାବାଦ ସହରକୁ ଲୋକଙ୍କ ସୁଅ ଛୁଟୁଛି। କ୍ରିକେଟ୍ ଫିଭର୍ ଚରମରେ ପହଞ୍ଚିଥିବା ବେଳେ ହୋଟେଲ୍ ରୁମ୍ ଓ ବିମାନ ଭଡ଼ା ଆକାଶଛୁଆଁ ହୋଇଛି।
ବିଶ୍ୱକପ ଫାଇନାଲ ପାଇଁ ପ୍ରବଳ କ୍ରେଜ୍ ଦୃଷ୍ଟିରୁ ସହରର ଶ୍ରେଷ୍ଠ ପଞ୍ଚ ତାରକା ହୋଟେଲ ଗୁଡ଼ିକ ଭଡ଼ା ଦୁଇରୁ ତିନି ଗୁଣ ବଢ଼ାଇ ଦେଇଛନ୍ତି। ମ୍ୟାଚ୍ ଦିନ ରାତି ପାଇଁ ରୁମ୍ ଭଡା ୨ ଲକ୍ଷ ହୋଇଥିବା ବେଳେ ଅନ୍ୟ ହୋଟେଲଗୁଡିକ ମଧ୍ୟ  ଦର ୫ ରୁ ୭ ଗୁଣ ବୃଦ୍ଧି କରିଛନ୍ତି |
ଗୁଜରାଟର ହୋଟେଲ ଓ ରେଷ୍ଟୁରାଣ୍ଟ ମହାସଂଘର ସଭାପତି ନରେନ୍ଦ୍ର ସୋମାନି କହିଛନ୍ତି,  ବିଶ୍ୱକପ ଫାଇନାଲ୍ ପାଇଁ  କେବଳ ଭାରତରେ ନୁହେଁ ଦୁବାଇ, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ଭଳି ଦେଶର ଲୋକଙ୍କ ମଧ୍ୟରେ ବି ବେଶ୍ ଉତ୍ସାହ ରହିଛି। ସେମାନେ ମଧ୍ୟ ମ୍ୟାଚ୍ ଦେଖିବାକୁ ଅହମ୍ମଦାବାଦ ଆସିବାକୁ ଚାହୁଁଛନ୍ତି ।
ସେ କହିଛନ୍ତି, “ଅହମ୍ମଦାବାଦରେ  ତିନି ତାରକା ଏବଂ ପଞ୍ଚ ତାରକା ବିଶିଷ୍ଟ ୫୦୦୦ ରୁମ୍ ଥିବାବେଳେ ସମଗ୍ର ଗୁଜରାଟରେ ୧୦,୦୦୦ ରୁମ ଅଛି। ନରେନ୍ଦ୍ର ମୋଦୀ ଷ୍ଟାଡିୟମର କ୍ଷମତା ୧ ଲକ୍ଷ ୨୦ ହଜାର । ଆମେ ଆଶା କରୁଛୁ ୩୦,୦୦୦ ରୁ ୪୦,୦୦୦ ଲୋକ ବାହାରୁ ମ୍ୟାଚ୍ ଦେଖିବାକୁ ଆସିବେ।”
ହୋଟେଲ ରୁମର ଚାହିଦା ବୃଦ୍ଧି ଯୋଗୁଁ ଭଡ଼ା ମଧ୍ୟ ବୃଦ୍ଧି ପାଉଛି ବୋଲି ସେ କହିଛନ୍ତି। ଏପରିକି ସାଧାରଣ ହୋଟେଲଗୁଡିକ ମଧ୍ୟ ସେମାନଙ୍କର ଦର ପାଞ୍ଚରୁ ସାତ ଗୁଣ ବଢ଼ାଇ ଦେଇଛନ୍ତି ।
ଏହାଛଡ଼ା ବିଭିନ୍ନ ସହରରୁ ଏଠାକୁ ଆସୁଥିବା ବିମାନ ଯାତ୍ରା  ଭଡ଼ା ମଧ୍ୟ ହଠାତ୍ ବୃଦ୍ଧି ପାଇଛି। ଅନ୍ୟ ଦିନ ଗୁଡ଼ିକରେ ଚେନ୍ନାଇରୁ ଅହମ୍ମଦାବାଦକୁ ବିମାନ ଯାତ୍ରା ପାଇଁ ପ୍ରାୟ ୫୦୦୦ ଟଙ୍କା ଖର୍ଚ୍ଚ ହୋଇଥାଏ । କିନ୍ତୁ ଏବେ ଏହା ୧୬,୦୦୦ ରୁ ୨୫,୦୦୦ ଟଙ୍କାକୁ ବୃଦ୍ଧି ପାଇଛି।